ହିଞ୍ଜିଳିକାଟୁ,ତା-୨୭/୧୨(ପିପିଟି); ଅନ୍ନଦାତାଙ୍କ ଦାବିକୁ ସମ୍ମାନ ଜଣାଇବା ବଦଳରେ ମାସକରୁ ଅଧିକ ଦିନ ହାଡଭଙ୍ଗା ଶୀତ କାକରରେ ଲକ୍ଷ ଲକ୍ଷ ଚାଷୀ ଦିଲ୍ଲୀର ପ୍ରବେଶ ପଥରେ ପଡି ରହି ଦେଶବାସୀଙ୍କ ପାଇଁ ଐତିହାସିକ ସଂଘର୍ଷ କରୁଛନ୍ତି । ସେମାନଙ୍କ ଦାବିକୁ ତୁରନ୍ତ ମାନିନେବା ବଦଳରେ କୃଷକମାନଙ୍କୁ ‘ଖଲିସ୍ତାନୀ’, ‘ଦେଶଦ୍ରୋହୀ’, ‘ଅର୍ବାନ ନକ୍ସଲ’, ‘ବିରୋଧୀଦଳର ଚାଲ’ କହି ବଦନାମ କରିବାକୁ ଚେଷ୍ଟା କରୁଥିବା ମୋଦି ସରକାରଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ସମୟରେ ଉଚିତ୍ ଜବାବ ଦେବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ୨୭ ଡିସେମ୍ବର ଦେଶବ୍ୟାପୀ ଘଣ୍ଟଥାଳି ପିଟି ପ୍ରତିବାଦ କରିବା ପାଇଁ ଆହ୍ଵାନକୁ ଦେଇଥିଲା । ଏହାକୁସଫଳ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭା (ଏଆଇକେକେଏସ୍) ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଚାନ୍ଦୁଳି ଗ୍ରାମପଞ୍ଚାୟତରେ କୃଷକ, ଭାଗଚାଷୀ ଓ କ୍ଷେତମୂଳିଆଙ୍କ ପକ୍ଷରୁ ଘଣ୍ଟଥାଳି ପିଟି ଗାଁରେ ଶୋଭାଯାତ୍ରା ସହ ପ୍ରତିବାଦ ସହ ସଚେତନ ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ ଏ ପର୍ଯ୍ୟନ୍ତ ୪୦ରୁ ଅଧିକ ଚାଷୀ ଜୀବନ ବଳିଦାନ ଦେଇ ସାରିଲେଣି ଏବଂ ସ୍ୱାଧୀନତା ପରେ ଏହା ଦେଶର ସବୁଠାରୁ ବଡ କୃଷକ ବିଦ୍ରୋହ । ଏହା ସତ୍ତ୍ୱେ ମୋଦି ସରକାର ତିନି କୃଷି ନୀତି ପ୍ରତ୍ୟାହାର କରୁନାହାନ୍ତି । ଚାଷୀମାନଙ୍କର ଦାବୀ ହେଉଛି ଯେ କର୍ପୋରେଟ ସପକ୍ଷରେ ସରକାର ଆଣିଥିବା ତିନି କୃଷି ଆଇନ୍କୁ ରଦ୍ଦ କରନ୍ତୁ ଏବଂ କୃଷିଜାତ ସମସ୍ତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟକୁ ସୁନିଶ୍ଚିତ କରିବା ପାଇଁ ଏକ ଆଇନ୍ ଆଣନ୍ତୁ । ଆଦାନୀ-ଆମ୍ବାନୀ ଭଳି ବଡ ବଡ କର୍ପୋରେଟଙ୍କ ସ୍ୱାର୍ଥରେ ଏହି ସବୁ ଆଇନ୍ ଆଣି ଦେଶର ସର୍ବନାଶ କରନ୍ତୁ ନାହିଁ। କୃଷକମାନଙ୍କ ସମସ୍ୟାର ସମାଧାନ ନକରି ନିରବ ହୋଇ ବସିଯାଇଛନ୍ତି । ସଂଘୀଙ୍କ ଜରିଆରେ ମିଛ ପ୍ରଚାର ଚଳେଇଛନ୍ତି। ଲୋକଙ୍କ ଦ୍ଵାରା ନିର୍ବାଚିତ ଏକ ସରକାରର ଏଭଳି ଅମଣିଷପଣିଆକୁ କେବେ ମଧ୍ୟ ଗ୍ରହଣ କରାଯାଇନପାରେ । ସ୍ବାସ୍ଥ୍ୟ ଆନ୍ଦୋଳନର ନେତା ଅବନୀ ଗୟା ପ୍ରକାଶ କରିଛନ୍ତି ଯେ କୃଷି ଓ ଖାଦ୍ୟ ଆମର ଜୀବନ । ଏହାକୁ ଲାଭଖୋର କମ୍ପାନୀ ହାତକୁ ଟେକି ଦେବା ଆତ୍ମହତ୍ୟା କରିବା ସହିତ ସମାନ । ସେଥିପାଇଁ ଆଜିର କୃଷକ କେବଳ ପ୍ରତିବାଦ ଆନ୍ଦୋଳନ କରୁନାହିଁ ଏହା ଏକ ଜୀବନ-ମରଣର ସଂଗ୍ରାମ ଲଢୁଛି । ଏହାକୁ ସାହାଯ୍ୟ ସହଯୋଗ କରିବା ଏବଂ ଏଥିରେ ସାମିଲ ହେଲେ ହିଁ ଆମ ବଞ୍ଚିବାର ଅଧିକାର ପାଇଁ ଲଢେଇ କରିବା ସହିତ ସମାନ । ଏହି ସଂଗ୍ରାମକୁ ଲଢିବାକୁ ହେବ ଓ ଜିତିବାକୁ ହେବ ବୋଲି ଆହ୍ବାନ ଦେଇଥିଲେ । ଏହି ପ୍ରତିବାଦରେ ମନୋଜ ତରାଇ, ମିଥୁନ ନାହକ, ଶାନ୍ତି ଦାଶ, ସୁଦଷ୍ଟ୍ନା ନାହାକ ଆଦି ସାମିଲ ହୋଇଥିଲେ ।