ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ବାର୍ତ୍ତା ।

ଆମ ଭାରତୀୟ ସଂସ୍କୃତି,ଐତିହ ଓ ପରମ୍ପରା ମତାନୁସାରେ ମନୁଷ୍ୟ ଜୀବନରେ ବ୍ୟକ୍ତିଗତ,ପାରିବାରିକ,ସାମାଜିକ ଚଳଣି ପାଇଁ ସଠିକ ମାର୍ଗ ଦର୍ଶିକା ଉଲ୍ଲେଖ ରହିଛି। ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ମତରେ “ଶରୀର ମାଧ୍ୟମ ଖଳୁଧର୍ମ ସାଧନମ” ଅର୍ଥାତ ସର୍ବ ପ୍ରଥମେ ଶରୀର ସୁସ୍ଥ ରହିବା ଜରୁରୀ, ମନୁଷ୍ୟ ଜନ୍ମ ର ଉଦ୍ଦେଶ୍ୟ ହେଲା ଧର୍ମ, ଅର୍ଥ, କାମ,ମୋକ୍ଷ, ଚତୁବର୍ଗ ଫଳପ୍ରାପ୍ତି, ଶରୀର ସୁସ୍ଥ ନଥିଲେ ଏହା ସମ୍ଭବ ପର ନୁହେଁ । ଏସବୁ କଥାକୁ ଗମ୍ଭୀରତା ପୁର୍ଣ ଭାବେ ଆମେ ଚିନ୍ତା କରିବାର ଆବଶ୍ୟକତା ରହିଛି, ଯେଭଳି ଆମେ ଧରାପୃଷ୍ଠରେ ସ୍ୱାସ୍ଥ୍ୟବାନ ହେବା ସହ ଦୀର୍ଘାୟୁ ଭାବେ ବଞ୍ଚି ରହିପାରିବା। “ଯୋଗ” ମନୁଷ୍ୟ ଶରୀର ରେ “ରୋଗ ପ୍ରତିରୋଧକ ଶକ୍ତି” କୁ ବୃଦ୍ଧିକରାଇ ନିରୋଗ ରହିବା ସହ ସୁସ୍ଥ, ସବଳ, ଓ ଦୀର୍ଘାୟୁ ରଖିଥାଏ। ଆମ ଦେଶରେ “ଜୁନ ମାସ ୨୧” ତାରିଖ କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଅଛି। ପ୍ରତିବର୍ଷ ଏହିଦିନ ହିଁ ସାରାବିଶ୍ୱ ରେ ଯୋଗଦିବସ ଭାବେ ୨୦୧୫ ମସିହାରୁ ପାଳନ କରାଯାଇ ଆସୁଅଛି। ଆମ ଦେଶରେ ଏହି “ଯୋଗାଭ୍ୟାସ” କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଅଛି।
*ଯୋଗର ଉପକାରିତା*
ଭାରତୀୟ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଦୈନନ୍ଦିନ ଜୀବନରେ ମନୁଷ୍ୟ ପାଇଁ ଯୋଗକୁ ଏକ ଅଂଶ ଭାବେ ଉଲ୍ଲେଖ କରାଯାଇଅଛି। ପ୍ରତିଦିନ ଯୋଗାଭ୍ୟାସ କରିବା ଦ୍ୱାରା ଶାରୀରିକ,ମାନସିକ,ଆଧ୍ୟାତ୍ମିକ ଚିନ୍ତାଧାରା ମନରେ ଉଦ୍ରେକ ହୋଇଥାଏ ଫଳ ସ୍ୱରୂପ ଶରୀର,ମନ ଆତ୍ମା ତିନୋଟିଯାକ ସନ୍ତୁଳିତ ହୋଇ ମନୁଷ୍ୟ ନିରୋଗ,ସ୍ୱାସ୍ଥ୍ୟବାନ ତଥା ଦୀର୍ଘାୟୁ ହୋଇଥାଏ। ପ୍ରତିଦିନ ଯୋଗ କରିବା ଦ୍ୱାରା ମନୁଷ୍ୟ ଶରୀରରେ ହେଉଥିବା କେତେକ ବଂଶାନୁକ୍ରମିକ ରୋଗ ଉଚ୍ଚ ରକ୍ତ ଚାପ,ମଧୁମେହ,ଆସ୍ଥମା,ସ୍ନାୟାବିକ ଦୁର୍ବଳତା ଦୂର ହେବାସହ ମାନସିକ ଅଶାନ୍ତି,ଶୀଘ୍ର ବାର୍ଦ୍ଧକ୍ୟ ପଣର ଛାପ ସ୍ପର୍ଶ କରିପାରିନଥାଏ। ତେଣୁ ସୁସ୍ଥ,ଶାନ୍ତ,ପବିତ୍ର ମନରେ ଉତ୍ତମ ବାୟୁ ଚଳାଚଳ କରୁଥିବା ସ୍ଥାନରେ ସକାଳ ସନ୍ଧ୍ୟା ସମୟ ରେ ଶୌଚ କାର୍ଯ୍ୟ ସାରି ଯୋଗ କରିବା ବିଧେୟ। କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ପ୍ରତି ରାଜ୍ୟର ଜ଼ିଲ୍ଲା,ସବଡ଼ିଭିଜିନାଲ,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଉପସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ “ଯୋଗ” କୁ ପ୍ରାଥମିକତା ଭାବେ ଗ୍ରହଣ କରାଯାଉଅଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଯାହାକି ଯୋଗ କୁ ଏକ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ ହୋଇପାରିଛି।
ଭାରତୀୟ ପ୍ରାଚୀନ ଚିକିତ୍ସା ଶାସ୍ତ୍ର ରେ “ଯୋଗ”କୁ ପ୍ରାଧାନ୍ୟ ଦିଆଯାଇଅଛି। ଉକ୍ତ ଯୋଗକୁ ଦୈନନ୍ଦିନ ମାନବ ସଭ୍ୟତା ପାଇଁ କିପରି ଲୋକପ୍ରିୟ ତଥା ଜନାଦୃତ ହୋଇପାରିବ ଏବଂ ଏହାକୁ ବିଶ୍ୱ ସ୍ତରରେ ପ୍ରଚାର ପ୍ରସାର କରାଯାଇ ପାରିବ ସେହି ଉଦେଶ୍ୟରେ ୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଜାତିସଙ୍ଘର ସାଧାରଣ ପରିଷଦ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଯୋଗାଭ୍ୟାସ” କରିବା ନିମନ୍ତେ ଉପସ୍ଥିତ ରାଷ୍ଟ୍ର ମାନଙ୍କ ସମ୍ମୁଖରେ ପ୍ରସ୍ତାବ ଆଗତ କରିବା ସହ ପ୍ରତିବର୍ଷ “ଜୁନ ୨୧” ତାରିଖକୁ “ଅନ୍ତର୍ଜାତୀୟ ଯୋଗ ଦିବସ” ପାଳନ ନିମନ୍ତେ ଆହ୍ୱାନ କରିଥିଲେ,ଏହି ପ୍ରସ୍ତାବ କୁ ନେପାଳ ର ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲା ସମର୍ଥନ ଜଣାଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା,ଚୀନ,କାନାଡ଼ା ଭଳି “୧୭୦”ରୁ ଅଧିକ ଦେଶ ସାମର୍ଥନ ଜଣାଇବା ସହ ପ୍ରସ୍ତାବଟି ବିଶ୍ୱ ନେତୃବୃନ୍ଦ ଙ୍କ ଦ୍ୱାରା ଗୃହୀତ ହୋଇଥିଲା।ଯାହାକି ପ୍ରତିବର୍ଷ ଜୁନ ମାସ 21 ତାରିଖ କୁ “ଅନ୍ତର୍ଜାତୀୟ ଯୋଗ ଦିବସ” ଭାବେ ସାରା ବିଶ୍ୱରେ ମାନ୍ୟତା ପାଇପାରିଛି.
*ଯୋଗ ଦିବସ ପାଳନ ର ଲକ୍ଷ୍ୟ*
ଯୋଗାଭ୍ୟାସ ଦ୍ୱାରା ସ୍ୱାସ୍ଥ୍ୟ ର ବହୁ
ଦୁରାରୋଗ୍ୟ ରୁ ରକ୍ଷା ପାଇବା ସହ ଯୋଗକୁ ପ୍ରତ୍ସାହନ କରିବା ପାଇଁ ପାଳନ କରାଯାଇଥାଏ। ଯୋଗାଭ୍ୟାସ ଦ୍ୱାରା ମନ ଓ ଶରୀର ସନ୍ତୁଳିତ ରହିଥାଏ।
ପ୍ରତିଦିନ ଯୋଗ କରିବା ଦ୍ୱାରା ମନୁଷ୍ୟ ଶରୀରରେ ସକାରାତ୍ମକ ମନଭାବସୃଷ୍ଟି ହୋଇ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସାମ୍ପ୍ରତିକ ପରିସ୍ଥିତିରେ ଆଜିର ଯୁବ ସମାଜ ଦିଗହରା ହୋଇ ମୋବାଇଲ ଦେଖିବା ଏବଂ ବିଭିନ୍ନ ଅନାବଶ୍ୟକ ଚିନ୍ତାରେ ମଗ୍ନ ରହିଥାନ୍ତି। ଦୈନନ୍ଦିନ ଯୋଗାଭ୍ୟାସ ଦ୍ୱାରା ଧ୍ୟାନ ଓ ଏକାଗ୍ରତା ବୃଦ୍ଧି ପାଇବା ସହ ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ମନୁଷ୍ୟ ବୁଦ୍ଧିମାନ,ଚରିତ୍ରବାନ, କର୍ତ୍ତବ୍ୟ ନିଷ୍ଟ ହେବା ସହ ମନରେ ଉପସ୍ଥିତ ବୁଦ୍ଧି ଉତ୍ପନ୍ନ ହେବାସହ ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି ଘଟିବାରେ ସହାୟକ ହୋଇଥାଏ। ପ୍ରାଚୀନ ଚିକିତ୍ସା ବିଜ୍ଞାନରେ ବର୍ଣିତ ରହିଛି ଯେ ମହର୍ଷି ପତଞ୍ଜଳି ସର୍ବ ପ୍ରଥମେ “ଯୋଗ ସୂତ୍ର” ଆରମ୍ଭ କରିଥିଲେ, ଯାହାକୁ କି “ପତଞ୍ଜଳି ଯୋଗ ସୂତ୍ର” କୁହାଯାଏ।
ଉଲ୍ଲେଖଯୋଗ୍ୟ ଯାହା କି ଆମ ଦେଶର ପ୍ରାଚୀନ ଯୋଗାଭ୍ୟାସ ପଦ୍ଧତି ଆଜି ସାରା ବିଶ୍ୱ ରେ ମାନ୍ୟତା ଲାଭ କରିପାରିଛି। ଭାରତୀୟ ଐତିହ୍ୟ,ସଂସ୍କୃତି ଓ ପରମ୍ପରା କୁ ଅନୁମେୟ କଲେ ଜଣାଯାଏ ଯେ ଅତୀତରେ ମୁନି,ରୁଷି, ମହର୍ଷି ମାନେ ଦୈନନ୍ଦିନ “ଯୋଗ” କରିବା ସହ ସାତ୍ତ୍ଵିକ ତଥା ସନ୍ତୁଳିତ ଆହାର ସେବନ କରିବା ଦ୍ୱାରା ଉତ୍ତମ ନିଦ୍ରା,କାୟିକ ଓ ମାନସିକ ସ୍ତରରେ ସୁସ୍ଥ ରହୁଥିଲେ, ଯଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଦୀର୍ଘଦିନ ବଞ୍ଚି ରହିପାରୁଥିଲେ। ସେମାନଙ୍କୁ ବାର୍ଦ୍ଧକ୍ୟ ବହୁ ବିଳମ୍ବରେ ସ୍ପର୍ଶ କରିପାରୁଥିଲା।

ଯୋଗ ଅଭ୍ୟାସ ଆଜି ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛି,ଯାହାକି ଆମ ଦେଶ ନିମନ୍ତେ ସମ୍ମାନ ଓ ଗୌରବ ର ବିଷୟ ଅଟେ। ଚଳିତ ବର୍ଷ “ଜୁନ ମାସ ୨୧ ତାରିଖ ୨୦୨୬” କୁ ଦ୍ଵାଦଶ ତମ ଆନ୍ତର୍ଜାତୀୟ ଯୋଗଦିବସ ଭାବେ ପାଳନ କରାଯାଉଅଛି। ଚଳିତ ବର୍ଷ ଯୋଗ ଦିବସ ଉପଲେକ୍ଷେ ବିଶ୍ୱ ସ୍ତରୀୟ ଯୋଗଦିବସ ପାଳନ ଅବସରରେ ବାର୍ତ୍ତା ଏହିକି “YOGA FOR HEALTHY AGEING” ଅର୍ଥାତ “ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ “।

ଏହି ସମସ୍ତ ବିଷୟକୁ ହୃଦୟଙ୍ଗମ କରି ବ୍ୟକ୍ତିଗତ,ପାରିବାରିକ,ସାମାଜିକ ସ୍ତରରେ ହାତକୁ ହାତ ମିଶାଇ ପ୍ରତିବର୍ଷ “ଜୁନ ମାସ ୨୧ ତାରିଖ” କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଅତି ଆନନ୍ଦ ର ସହ ପାଳନ କରିବା ଉଚିତ । ଯଦ୍ୱାରା ସାମୁହିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ମାର୍ଗ ଦର୍ଶିକା ହୋଇପାରିବ।

ଲେଖକ – ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ
ଠିକଣା – ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦାହାଣ୍ଡି, ଜିଲ୍ଲା – ନବରଙ୍ଗପୁର
ଫୋନ – ୭୮୯୪୧୧୨୪୮୭

Comments (0)
Add Comment