ହିଞ୍ଜିଳିକାଟୁ, ୧୨/୧୨(ପିପିଟି): ହିଞ୍ଜିଳିକାଟୁ ପୋୖରାଞ୍ଚଳ ଅନ୍ତର୍ଗତ ନୂଆଁଗଡ ସ୍ଥିତ ସିଭିଲ୍ କୋର୍ଟ ପରିସରରେ ବୁଧବାର ପୂର୍ବାହ୍ନ ୧୧ ଘଣ୍ଟ ସମୟରେ ତାଲୁକ୍ ଲିଗାଲ୍ ସର୍ଭିସ୍ କମିଟି ଦ୍ୱାରା ଆୟୋଜିତ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ ପୋୖରାଞ୍ଚଳ ଓ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୪୦ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଆଜିର ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅନ୍ତର୍ଜାତୀୟ ମାନବ ଅଧିକାର ଦିବସକୁ ସଶକ୍ତିକରଣ କରିବା । ଏହା ଉପରେ ଛାତ୍ରଛାତ୍ରୀ ମାନଙ୍କ ବିତର୍କ ପାଇଁ ବିଷୟ ଥିଲା ସୋସିଆଲ ମିଡ଼ିଆ ମାନବ ଅଧିକାରକୁ ସୁରକ୍ଷା ଦେଉଛି ,ନା ଉଲଘଂନ କରିଛି । ଏହି ବିତର୍କକୁ ନେଇ ପ୍ରତିଯୋଗୀମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ତାରାତାରିଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଅରବିନ୍ଦ ପଣ୍ଡା ଏବଂ ବରିଷ୍ଠ ଆଇନଜୀବୀ ନୃସିଂହ ପ୍ରସାଦ ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମରେ
ବିଚାରକ ଭାବେ ଯୋଗ ଦେଇଥିଲେ । ପରେ ଅତିଥି ରୂପେ ଆଇନ ସଚେତନତା କମିଟି ଅଧ୍ୟକ୍ଷା ସବ୍-ଜର୍ଜ ସଙ୍ଗୀତା ମଲିକ,ଜେଏମ୍ଏଫସି ବିଚାରପତି ବନକା ମହାନ୍ତି,ହିଞ୍ଜିଳି ଆଇଆଇସି ଶ୍ରୀନିବାସ ସେଠୀ,ବରିଷ୍ଠ ଅଧିବକ୍ତା ଦ୍ବିତୀକୃଷ୍ଣ ସାବତ, ସରକାରୀ ଆଇନଜୀବୀ ରାମଚନ୍ଦ୍ର ମହାପାତ୍ର, ଜିତେନ୍ଦ୍ର ପ୍ରହରାଜ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଯୋଗ ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ । ଏହି ବିତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସ୍ନେହଲତା ପଣ୍ଡା,ଦ୍ଵିତୀୟ ସ୍ଥାନରେ ଓଁମ ଶ୍ରୀ ଇଂଣ୍ଟର ନେସିନାଲ ସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ପୁନମ ପ୍ରହରାଜ, ତୃତୀୟ ସ୍ଥାନ ଅଧିକାର କରିଥିବା ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ର ଆଦିତ୍ୟ ମହାରଣାଙ୍କୁ ଅତିଥି ମାନେ ଟ୍ରଫି ସହ ମାନପତ୍ର ଦେଇ ଉତ୍ସାହିତ କରିଥିଲେ ।