ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ୧୫ ତମ ରାଜ୍ୟ ସମ୍ମିଳନୀ ।

ଭୁବେଶ୍ବର,୦୩/୧୨(ପିପିଟି):କଳା ସଂସ୍କୃତି,ଲୋକ ନୃତ୍ୟ,ଖଣିଜ ସଂପଦ, ପର୍ଯ୍ୟଟନ ସ୍ଥଳୀ,କୃଷି ଜଙ୍ଗଲ,ସୁଦୀର୍ଘ ବେଳା ଭୂମି ସହ ମାନବ ସମ୍ବଳ ଓଡ଼ିଶା ପ୍ରତି ପ୍ରକୃତି ଓ ଶ୍ରୀ ଜଗନ୍ନାଥ ପ୍ରଭୁଙ୍କ ଅମୂଲ୍ୟ ବରଦାନ ।

ଓଡ଼ିଶା ଏକ ସଂସ୍କୃତି ସଂପନ୍ନ, ଐତିହ୍ୟ ବିମଣ୍ଡିତ,ପୁରାଣ ପ୍ରସିଦ୍ଧ ପ୍ରାଚୀନ ଭୂଖଣ୍ଡ । ଅତୀତରେ ଓଡ଼ିଆମାନେ କଳା,ସାହିତ୍ୟ,ସଂସ୍କୃତି, ଭାସ୍କର୍ଯ୍ୟ,ପରାକ୍ରମ ଓ ବଣିଜ କ୍ଷେତ୍ରରେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଲାଭ କରିଥିଲେ । ଖାରବେଳଙ୍କ ସମୟର ଓଡ଼ିଶା ଓ ପଞ୍ଚଦଶ ଶତାବ୍ଦୀ କପିଳେନ୍ଦ୍ର ଦେବଙ୍କ ସମୟର ଓଡ଼ିଶା ସବୁ ଦିଗରୁ ସମୃଦ୍ଧ, ବିତ୍ତଶାଳୀ ଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶା ବାହ୍ୟ ଶକ୍ତିଙ୍କ ଦ୍ୱାରା ଆକ୍ରମିତ ହେଲା । ୧୫୬୮ ମସିହା ଗୋହିରା ଟିକିରି ଯୁଦ୍ଧରେ ଦ୍ଵିତୀୟ ମୁକୁନ୍ଦଦେବ ପରାସ୍ତ ହେଲେ । ଓଡ଼ିଶା ପରାଧୀନ ହେଲା । ପାଖାପାଖି ୩୫୦ ବର୍ଷର ପରାଧୀନତା ଓଡ଼ିଆ ମାନଙ୍କୁ ଶିଥିଳ,ଆଳସ୍ୟ ପରାୟଣ ଓ ପରମୁଖାପେକ୍ଷୀ କରିଦେଲା । ଓଡ଼ିଶା ବିଖଣ୍ଡିତ ହୋଇଗଲା । ଆମର ଅନେକ ଅଞ୍ଚଳ ପଡ଼ୋଶୀ ରାଜ୍ୟମାନଙ୍କ ଦଖଲକୁ ଚାଲିଗଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି,ସ୍ଵଭାବକବି ଗଙ୍ଗାଧର ମେହେର,ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ,ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ସମେତ ଓଡ଼ିଶାର ସୁଯୋଗ୍ୟ ବରପୁତ୍ରମାନଙ୍କ ତ୍ୟାଗପୂତ ପ୍ରୟାସ ଫଳରେ ୧୯୩୬ ଅପ୍ରେଲ୍ ୧ ତାରିଖ ଦିନ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇଲା । ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଦେଶ ସ୍ୱାଧୀନତା ଲାଭ କଲା । ମାତ୍ର ଓଡ଼ିଶା ଯେଭଳି ବିକଶିତ ହେବା କଥା,ତାହା ବିଭିନ୍ନ କାରଣରୁ ଏ ଯାବତ ସମ୍ଭବ ହୋଇପାରି ନାହିଁ । ଯେହେତୁ ଆମର ପ୍ରଥମ ପରିଚୟ ହେଉଛି ଆମ ମାତୃଭାଷା, ସେହି ଦୃଷ୍ଟିରୁ ଓଡ଼ିଆ ଭାଷା-ସାହିତ୍ୟର ସର୍ବବିଧ ବିକାଶ ମାଧ୍ୟମରେ ଓଡ଼ିଶାକୁ ବିକଶିତ ରାଜ୍ୟ ରୂପେ ପ୍ରତିଷ୍ଠିତ କରାଯାଇପାରିବ ।

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ଗତ କିଛି ବର୍ଷ ଧରି ଏ ଦିଗରେ କାର୍ଯ୍ୟ କରି ଆସୁଅଛି । ଭୁବନେଶ୍ୱର,ବ୍ରହ୍ମପୁର ସମେତ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ,ମୁମ୍ବାଇ, ବାଙ୍ଗାଲୋର ଓ କଲିକତା ଆଦି ମହାନଗରରେ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ଆୟୋଜନ ପୂର୍ବକ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତା ସୃଷ୍ଟି ଦିଗରେ ଏହି ଅନୁଷ୍ଠାନ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା ଶୁଣି ମୁଁ ବିଶେଷ ଭାବରେ ଆନନ୍ଦିତ । ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ କଳା,ବିଜ୍ଞାନ,ବାଣିଜ୍ୟ,ଯାନ୍ତ୍ରିକ ବିଜ୍ଞାନ,ଭେଷଜ ବିଜ୍ଞାନ ସମେତ ସମସ୍ତ ବିଷୟ ମାତୃଭାଷା ଓଡ଼ିଆରେ ପଢ଼ାଯିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଦିଗରେ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ହେବ । ଆଗାମୀ ପିଢ଼ି ଆମ ଜଗନ୍ନାଥ,ଆମ ସଂସ୍କୃତି, ଆମ ପରମ୍ପରା ଓ ଆମ ଭାଷା-ସାହିତ୍ୟ ସହିତ ଆତ୍ମିକ ଭାବେ ସଂପର୍କିତ ହେଲେ ଓଡ଼ିଶା ବିକାଶର ଚିତ୍ର ଅଙ୍କାଯାଇ ପାରିବ । ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ଦେଶବିଦେଶରେ ବସବାସ କରୁଥିବା ଓଡ଼ିଆଭାଷୀଙ୍କ ମନରେ ଓଡ଼ିଆ ଅସ୍ମିତା,ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠା ଦିଗରେ ଆରମ୍ଭ କରିଥିବା ଅଭିଯାନ ନିଶ୍ଚିତ ରୂପେ ସ୍ଵାଗତଯୋଗ୍ୟ ଏକ ଜାତୀୟ କାର୍ଯ୍ୟ । ଆସନ୍ତୁ ଆମେ ସମସ୍ତେ ହାତକୁ ହାତ ମିଳାଇ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠା ନିମନ୍ତେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ବୋଲି ଆଜି ଜୟଦେବ ଭବନ ଠାରେ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଆୟୋଜିତ ୧୫ ତମ ରାଜ୍ୟ ସମ୍ମିଳନୀ ରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥଭାବେ ଯାଜପୁର ସାଂସଦ ରବି ନାରାୟଣ ବେହେରା ବିଶିଷ୍ଟ ଅତିଥ ଭାବେ ବିଶିଷ୍ଟ ଚଳଚିତ୍ର ଅଭିନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ, ଜାଭିଆର ଗ୍ରୁପ ବିଦ୍ୟାଳୟର ସଭାପତି ଡ ବଦ୍ରିନାଥ ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ମହସଂଘ୍ ସଭାପତି ଡ ବିପିନି ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରତିଷ୍ଠାନ ର ସଭାପତି ସୁଶାନ୍ତ କୁମାର ସାବତ ସମ୍ମିଳନୀର ଅଧ୍ୟକ୍ଷତା କରି ଶତାୟୁ ଓଡ଼ିଶାକୁ ବିଶ୍ଵ ଦରବାରରେ ପରିଚିତି କରାଇବା ନିମନ୍ତେ ଦଳ ମତ ଅନୁଷ୍ଠାନ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ସୁନ୍ଦର୍ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥିଲା। ରାଜ୍ୟର ବିଭନ୍ନ ପ୍ରାନ୍ତରୁ ୪୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମକୁ ଶାନ୍ତନୁ ରଣା ସଂଯୋଜନା କରିଥିବା ବେଳେ ସଂଯୁକ୍ତା ପଣ୍ଡା,ମାନସ ଦାସ,ଶ୍ରୀକାନ୍ତ ସାବତ, ସୂର୍ଯ୍ୟ ନାରାୟଣ ପାତ୍ର,ଆଦ୍ୟଶ୍ରୀ ସାବତ,ତପନ ପଣ୍ଡା,ଦେବେନ୍ଦ୍ର ଚୌଧୁରୀ,ହିରନ୍ୟା ପାତ୍ର,ରବି ଶଙ୍କର, ନିଲମ।ଧବ ତ୍ରିପାଠୀ, ମଂନରଞ୍ଜନ ପାଣିଗ୍ରାହୀ,ଜୟଶ୍ରୀ ସାବତ,ମନରଞ୍ଜନ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ।

Comments (0)
Add Comment