ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬’ କାର୍ଯ୍ୟକ୍ରମର ସମୀକ୍ଷା କଲେ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରମୁଖ ସଚିବ ଓ ସଚିବ।

​ଭୁବନେଶ୍ୱର, ୧୮/୦୬(ପିପିଟି):ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬’ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଦୁଇଟି ପୃଥକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ପ୍ରମୁଖ ସଚିବ ଏସ୍. ବି. ଯୋଶୀ ଢେଙ୍କାନାଳ ଜିଲ୍ଲା ଓ ସଚିବ ସୁଜିତ କୁମାର ମିଶ୍ର ଅନୁଗୁଳ ଜିଲ୍ଲା ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିବା ସହ କ୍ଷେତ୍ରସ୍ତରୀୟ କାର୍ଯ୍ୟଧାରା ପ୍ରତି ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ଏସ୍. ବି. ଯୋଶୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।।  ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସିଇଓ ଏମ୍. ଆର୍. ପାରକର ଏବଂ ଡେ଼ପୁଟି ସିଇଓ ପ୍ରଶାନ୍ତ ନାଗେ ,ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଡେପୁଟି ସିଇଓ ଡ. ଲକ୍ଷ୍ମୀପ୍ରସାଦ ସାହୁ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସମସ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଏହି ବୈଠକରେ ସାମିଲ ଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚ଼ନ୍ଦ୍ର ସେଠି, ସମସ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଏବଂ ଡ଼େପୁଟୀ କଲେକ୍ଟର (ନିର୍ବାଚନ) ନିବେଦିତା ରାଉତଙ୍କ  ସହିତ  ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।

ନିର୍ବାଚନ କମିଶନଙ୍କ ପ୍ରତିନିଧି ଦଳ ବିଭିନ୍ନ ମତଦାନ କେନ୍ଦ୍ର ଏବଂ ଡିଜିଟାଇଜେସନ୍ ସେଣ୍ଟରଗୁଡ଼ିକୁ ପରିଦର୍ଶନ କରି କ୍ଷେତ୍ରସ୍ତରୀୟ କାର୍ଯ୍ୟକାରିତାର ପ୍ରତ୍ୟକ୍ଷ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଛନ୍ତି।

ସେହିପରି ,ଭାରତ ନିର୍ବାଚନ ଆୟୋଗ ର ସଚିବ ସୁଜିତ କୁମାର ମିଶ୍ର ଅନୁଗୁଳ ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ଅଗ୍ରଗତି ର ସମୀକ୍ଷା କରିଛନ୍ତି।ଅନୁଗୋଳଠାରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅବଦ୍ଦାଲ ଏମ୍. ଅଖତର (ଭା.ପ୍ର.ସେ) ଜିଲ୍ଲାରେ ଚାଲିଥିବା ବିଭିନ୍ନ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟର ଅଗ୍ରଗତି ଉପସ୍ଥାପନ କରିଥିଲେ।

ଆୟୋଗ ର ସଚିବ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ସେ ଏକ ସଠିକ୍, ସ୍ୱଚ୍ଛ, ତ୍ରୁଟିମୁକ୍ତ ଏବଂ ସର୍ବସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଜିଲ୍ଲା ପ୍ରଶାସନର ନିଷ୍ଠାକୁ ମଧ୍ୟ ସ୍ୱାଗତ କରିଥିଲେ।

ସମୀକ୍ଷା ବୈଠକ ପରେ ଶ୍ରୀ ମିଶ୍ର ଅନୁଗୋଳ ବିଧାନସଭା କ୍ଷେତ୍ରର ବୁଥ ସ୍ତରୀୟ ଅଧିକାରୀ ଓ ବିଏଲଓ ସୁପରଭାଇଜରମାନଙ୍କ ସହ ସିଧାସଳଖ ଆଲୋଚନା କରି କ୍ଷେତ୍ରସ୍ତରର ଅନୁଭୂତି ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ଏବଂ ଜିଲ୍ଲାର କାର୍ଯ୍ୟଧାରା ପ୍ରତି ସନ୍ତୋଷ ବ୍ୟକ୍ତ କରିଥିଲେ ।

୧୮ ଜୁନ ୨୦୨୬ ସୁଦ୍ଧା ଜିଲ୍ଲାରେ ମୋଟ ୯,୫୩,୭୫୭ ଜଣ ଭୋଟରଙ୍କ ମଧ୍ୟରୁ ୯,୪୮,୪୨୩ ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇ ୯୯.୪୪% ସଫଳତା ହାସଲ କରାଯାଇଥିବା ବେଳେ ୭,୨୭,୨୦୬ ଜଣ ଭୋଟରଙ୍କ ତଥ୍ୟ ଡିଜିଟାଇଜେସନ୍‌ କରାଯାଇଛି ଯାହା ମୋଟ ଭୋରଟଙ୍କର ୭୬.୨୫ ପ୍ରତିଶତ।

ଏହି ସମୀକ୍ଷା ବୈଠକରେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର ,ଅନୁଗୋଳ ର ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ,ସମସ୍ତ ନିର୍ବାଚକ ପଞ୍ଜୀକରଣ ଅଧ‌ିକାରୀ ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି,ରାଜ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ୯୯.୩୮ ପ୍ରତିଶତ  ଅର୍ଥାତ ୩କୋଟି ୩୧ଲକ୍ଷ ୯୧ହଜାର ୪୫୩ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ ହୋଇଥିବା ବେଳେ ସେଥି ମଧ୍ୟରୁ ୬୨.୭୪ ପ୍ରତିଶତ ଅର୍ଥାତ ୨କୋଟି ୯୫ଲକ୍ଷ ୬୦ହଜାର ୪୧ଜଣ ଭୋଟରଙ୍କର ଡିଜିଟାଇଜେସନ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରଶାସନ ଦ୍ୱାରା ଆପଣାଯାଇଥିବା ଶ୍ରେଷ୍ଠ ପ୍ରଣାଳୀ ଏବଂ ଅଭିନବ ପ୍ରୟାସଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ମହାରାଷ୍ଟ୍ରର ଯୁଗ୍ମ ସିଇଓ ଏବଂ ଡେପୁଟି ସିଇଓ ମଧ୍ୟ ଏହି ପ୍ରତିନିଧି ଦଳ ସହ ଢେଙ୍କାନାଳ ଗସ୍ତରେ ସାମିଲ ହୋଇଥିଲେ।

​ଓଡ଼ିଶାରେ ଏକ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଦୁଇ ଜିଲ୍ଲାର ପ୍ରଶାସନିକ ତତ୍ପରତା ଓ ସଫଳତାକୁ ନିର୍ବାଚନ ଆୟୋଗଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ବେଶ୍ ପ୍ରଶଂସା କରିଛନ୍ତି।

 

Comments (0)
Add Comment