ଅନାସ୍ଥାରେ କଟିଲେ ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା ଅମ୍ବିକା ଦାସ ।

ନୀଳଗିରି,୨୭/୦୯: ବାଲେଶ୍ୱର ଜିଲାର ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଆଜି ଅନାସ୍ଥା ପ୍ରସ୍ତାବରେ ଭୋଟିଂ ହୋଇଥିଲା। ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ଦାସ ପୁଣିଥରେ ହାଇକୋର୍ଟରେ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। ସୂଚନା ଯେ, ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା ଅମ୍ବିକା ଦାସ ନିଜ ଦାୟିତ୍ୱରେ ଅବହେଳା କରିବା, ୱାର୍ଡ଼ ପ୍ରତି ପକ୍ଷପାତିତା କରୁଥିବା ନେଇ ପୂର୍ବରୁ ୧୧ଜଣ କାଉନସିଲର ଅଭିଯୋଗ କରିଥିଲେ । ଏପରିକି କାଉନସିଲର ମାନେ ଅନାସ୍ଥା ନେଇ ଜିଲାପାଳଙ୍କୁ ଅବଗତ କରିଥିଲେ ହେଁ ଗତ ଅଗଷ୍ଟ ୧୩ରେ ଅଧ୍ୟକ୍ଷା ଶ୍ରୀମତୀ ଦାସ ଡବ୍ଲ୍ୟୁପିସି ନଂ ୧୯୬୬୯/୨୪ମୂଳେ ମାନ୍ୟବର ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ଅନାସ୍ଥା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି ଶେଷ କରି ଦେଇଥିଲେ । ପୁଣିଥରେ ବାଲେଶ୍ୱର ଜିଲାପାଳ ସମସ୍ତ ପ୍ରସଙ୍ଗକୁ ଭିତ୍ତିକରି କିଛିଦିନ ପୂର୍ବେ ବିଜ୍ଞପ୍ତି ପ୍ରକାଶ କରି ଅଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲରଙ୍କୁ ନୋଟିସ ଜାରି କରିଥିଲେ । ୨୭ତାରିଖ ନୀଳଗିରି ଏନ୍‍ଏସି ସଭାଗୃହରେ ଭୋଟିଂ ହୋଇଥିଲା ଏବଂ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା, ୧୨ଟା ୧୦ରେ ମତଦାନ, ୧୨ଟା ୩୦ରେ ଫଳାଫଳ ଘୋଷଣା କରାଯାଇଥିଲା । ଜିଲାପାଳଙ୍କ ଏହି ବିଜ୍ଞପ୍ତିକୁ ନେଇ ଅଧ୍ୟକ୍ଷା ଶ୍ରୀମତୀ ଦାସ ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ଆଜି ପୂର୍ବାହ୍ନରେ ମାନ୍ୟବର ହାଇକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ସେପଟେ ଆଜି ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥଙ୍କ ତତ୍ୱାବଧାନରେ ଏହି ଭୋଟିଂ ପ୍ରକ୍ରିୟା ଚାଲିଥିଲା । ୧୦ଜଣ କାଉନସିଲର ଅନାସ୍ଥା ସପକ୍ଷରେ ଭୋଟ ଦେଇଥିବା ବେଳେ ୮ନଂ କାଉନସିଲର ସୁଚିସ୍ମିତା ବେହେରା ବିପକ୍ଷରେ ମତ ଦେଇଛନ୍ତି । ସେହିପରି ୭ନଂ ଓ ୧୩ନଂ କାଉନସିଲର ଏହି ଭୋଟିଂରେ ଅଂଶଗ୍ରହଣ କରି ନଥିଲେ । ଯାହାପାଇଁ ଏନ୍ଏସି ଅଧ୍ୟକ୍ଷା ଶ୍ରୀମତୀ ଦାସ ଅନାସ୍ଥା ରେ ପରାଜିତ ହୋଇଛନ୍ତି । ଅପରପକ୍ଷରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏହାକୁ ଧର୍ମର ଜୟ ବୋଲି କହିଛନ୍ତି । ବିଜୟୀ ପରେ ବିଜେପି ସମର୍ଥକ ମାନେ ବାଣ ରୋଷଣୀ ଫୁଟାଇ ଜୟ ବିଜେପି ଜୟ ଶ୍ରୀରାମ ନାରା ଦେଉଥିବା ପରିଲକ୍ଷିତ ହୋଇଛି।

Comments (0)
Add Comment