ଅଧୁରା ରହିଗଲା କିଲିମଞ୍ଜାରୋ ସ୍ୱପ୍ନ ।

କେନ୍ଦୁଝର,୦୩/୧୦:  ପାହାଡ଼ ଚଢ଼ିବାର ଅଦମ୍ୟ ନିଶା ଓ ଦେଶ ପାଇଁ କିଛି କରିବାର ସ୍ୱପ୍ନ ଦେଖିଥିବା ଜଣେ ପ୍ରତିଭାବାନ ଯୁବକଙ୍କ ଜୀବନ ଅକାଳରେ ଥମିଯାଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁର ଯୁବ ପର୍ବତାରୋହୀ ତଥା ସଫ୍ଟୱେୟାର ଇଞ୍ଜିନିୟର ଜଗନ୍ନାଥ ମହାନ୍ତଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗରେ କେନ୍ଦୁଝର ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଶ୍ୟାମସୁନ୍ଦର ମହାନ୍ତ ଓ ଶୈଳେନ୍ଦ୍ରୀ ମହାନ୍ତଙ୍କ ଏକମାତ୍ର ପୁଅ ଥିଲେ ଜଗନ୍ନାଥ। ଭୁବନେଶ୍ୱରସ୍ଥିତ ୱିପ୍ରୋ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିବା ଜଗନ୍ନାଥ ଗୁରୁବାର ଅପରାହ୍ଣରେ କାର୍ଯ୍ୟସାରି ଘରକୁ ଫେରୁଥିଲେ। ୨୦୦ ଫୁଟିଆ ବାଇପାସ୍‌ ରାସ୍ତାରେ ହଠାତ୍‌ ଏକ ଷଣ୍ଢ ତାଙ୍କ ବାଇକ୍‌ ସାମ୍ନାକୁ ଆସିଯିବାରୁ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଉତ୍କଳ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପିଲାଦିନରୁ ଦୁଃସାହସିକ କାର୍ଯ୍ୟ ପ୍ରତି ଜଗନ୍ନାଥଙ୍କର ବିଶେଷ ଆଗ୍ରହ ଥିଲା। ପର୍ବତାରୋହଣ ତାଙ୍କ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ପାଲଟିଥିଲା। ୨୦୨୧ରେ ଭାରତୀୟ ଦୁଃସାହସିକ ସଂସ୍ଥାନ (IAF) ପକ୍ଷରୁ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ଗଡ଼ୱାଲ ହିମାଳୟର ଗୋବିନ୍ଦ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରେ ଥିବା କେଦାରକଣ୍ଠରେ ଜାତୀୟ ପର୍ବତାରୋହଣ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଦେଶର ୩୦ ଜଣ ପର୍ବତାରୋହୀ ଏଥିରେ ଅଂଶଗ୍ରହଣ କରିଥିଲେ।

୨୦୨୧ ଡିସେମ୍ବର ୩୦ରୁ ୨୦୨୨ ଜାନୁଆରୀ ୪ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ଜାନୁଆରୀ ୩ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ଜଗନ୍ନାଥ ୧୨,୫୦୦ ଫୁଟ୍‌ ଉଚ୍ଚ କେଦାରକଣ୍ଠ ଶୃଙ୍ଗରେ ପହଞ୍ଚିଥିଲେ। ବିଯୁକ୍ତ ୧୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାର ପ୍ରତିକୂଳ ପରିସ୍ଥିତିରେ ସେ ୨୮୦ ଫୁଟ୍‌ ଲମ୍ବର ତ୍ରିରଙ୍ଗା ଉଡ଼ାଇଥିଲେ। ଏହି ଅଭିଯାନରେ ସେ ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ଅଂଶ ନେଇଥିବା ଏବଂ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ନବମ ସ୍ଥାନ ହାସଲ କରିଥିବା ତଥ୍ୟ ରହିଛି।

ଏହି ସଫଳତା ତାଙ୍କୁ ରେକର୍ଡଧାରୀ ପର୍ବତାରୋହୀ ଭାବେ ମଧ୍ୟ ପରିଚିତ କରାଇଥିଲା। ତାଙ୍କ ନାମ ଇଣ୍ଡିଆନ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌, ଇଣ୍ଟରନ୍ୟାସନାଲ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ ଏବଂ ୟୁନିଭର୍ସାଲ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିଲା। କିନ୍ତୁ ଆଗାମୀ ଦିନରେ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ କିଲିମଞ୍ଜାରୋ ଆରୋହଣ କରିବାର ଯେଉଁ ସ୍ୱପ୍ନ ସେ ଦେଖିଥିଲେ, ତାହା ଅଧୁରା ରହିଗଲା।

ପିପିଳିଆସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ ଜଗନ୍ନାଥଙ୍କ ପ୍ରତିଭା ଓ ଦୁଃସାହସିକ ମନୋଭାବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତାଙ୍କ ବିୟୋଗରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ସମେତ ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ୱାଇଁ, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ମହାନ୍ତ ଓ ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ପଟେ ପର୍ବତ ଜୟ କରିବାର ସାହସ, ଅନ୍ୟପଟେ ପେଶାଗତ ଜୀବନରେ ସଫଳତା—ଜଗନ୍ନାଥ ନିଜ ପ୍ରତିଭାରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ। ତାଙ୍କ ଅକାଳ ବିୟୋଗ କେବଳ ପରିବାର ପାଇଁ ନୁହେଁ, କେନ୍ଦୁଝରର ଦୁଃସାହସିକ କ୍ରୀଡ଼ା ଓ ଯୁବ ପ୍ରତିଭା ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି।

Comments (0)
Add Comment