ଅଦିନିଆ ବର୍ଷାରେ ଉଜୁଡିଲା ଧାନ ଫସଲ, ଚାଷୀ ହତାଶ ।

ବ୍ରହ୍ମପୁର,୧୩/୧୧(ପିପିଟି): ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମରେ ଧାନ ଫସଲ ବିଲରେ ପାଣି ଜମି ପାଚିଲା ଧାନ ନଷ୍ଟ ହୋଇଥିବା ହେତୁ ଚାଷୀ ହତାଶ ହୋଇଛନ୍ତି । ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ମୌସୁମୀ ବର୍ଷା ପ୍ରାୟ ସମ୍ପୁର୍ଣ୍ଣ ରୂପେ ବିଦାୟ ନେଇ ସାରିଥିବା ବେଳେ ଗତ ତିନିଦିନ ହେଲା ଲଘୁଚାପ ଜନିତ ଅଦିନିଆ ବର୍ଷା ହେବା ଫଳରେ ପାଚିଲା ଧାନ ଶସ୍ୟ ଜମି ଥିବା ପାଣିରେ ବୁଡିଯିବା ସହ ଏବଂ ଧାନ ପୁଡାରେ ପାଣି ବହୁ ସମୟ ଧରି ରହିବା ହେତୁ ନଷ୍ଟ ହେବା ନେଇ ଆଶଙ୍କା ରହିଛି । ଏହି ବ୍ଲକର ଅଧିକାଂଶ ଚାଷୀ ମାନେ ପ୍ରଥମ ପର୍ଯ୍ୟାୟରେ ରୁଆ କାମ ଶେଷ କରିଥିଲେ ଏବଂ ଧାନ ସଅଳ ପାଚି ଯାଇଥିଲା । କିଛି ଜାଗାରେ ପାଗ ସଫା ଦେଖି ଧାନ କଟା ସରିଥିଲା ।କଟା ପାଚିଲା ଧାନ ବିଲ ମଧ୍ୟରେ ହିଁ ପଡିରହିଛି । ଅଚାନକ ଅଦିନିଆ ବର୍ଷା ଚାଷୀକୁ ଉପାୟ ଶୂନ୍ୟ ଓ ହତାଶ କରିଦେଇଛି ।ବର୍ତ୍ତମାନ ସମୟରେ ବିଲ ମଧ୍ୟରେ ଆଣ୍ଠୁଏ ପାଣି ଜମି ରହିଛି ।ଚଳିତ ବର୍ଷ ମୌସୁମୀର ବିଳମ୍ବ ଏବଂ ନିଅଣ୍ଟିଆ ବର୍ଷାର ଅଭାବ ସ୍ୱତେ ଚାଷୀ କୌଣସି ପ୍ରକାରେ ଧାନ ତଳୀକୁ ସୁରକ୍ଷା ଦେଇ ରୁଆ କାମ ସାରିଥିଲେ ।ବର୍ତ୍ତମାନ ଅଦିନିଆ ବର୍ଷା ଦାଉ ସାଜିବା ସହ ଧାନ ଅମଳ କରିବେକି ନାହିଁ ଚାଷୀ ସନ୍ଦେହ ଘେରରେ । କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି।

Comments (0)
Add Comment