ନୂଆଦିଲ୍ଲୀ,୨୨/୦୯: ଅତ୍ଯାବଶ୍ଯକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ-ପିଆଜ । ଆଜି ସଂସଦର ଉଭୟ ଗୃହରେ ଅତ୍ଯାବଶ୍ଯକ ସାମଗ୍ରୀ (ସଂଶୋଧନ)ବିଲ୍ ପାସ୍ ହୋଇଛି । ଏହା ଅନୁସାରେ ଏବେ ଖାଦ୍ଯ ଶସ୍ଯ,ଆଳୁ,ପିଆଜ,ଖାଇବା ତେଲ ଭଳି ଜିନିଷ ଅତ୍ଯାବଶ୍ଯକ ସାମଗ୍ରୀ ତାଲିକାରେ ରହିବ ନାହିଁ । ଏହି ଲୋକସଭାରେ ୧୫ ସେପ୍ଟେମ୍ବର ରେ ପାସ୍ ହୋଇଥିଲା । ରାଜ୍ୟସଭାରେ ଆଜି ପୁଣିଥରେ ବିଲ୍ ପାସ୍ ହୋଇଛି । ବର୍ତ୍ତମାନ ଠାରୁ ଏହି କୃଷି ସାମଗ୍ରୀ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ରହିବ ନାହିଁ ।କୃଷକ ନିଜର ହିସାବରେ ମୂଲ୍ଯ ନିର୍ଦ୍ଧାରଣ କରି ଯୋଗାଣ ଓ ବିକ୍ରି କରିପାରିବେ । ତେବେ ସରକାର ସମୟ ସମୟରେ ଏହାର ସମୀକ୍ଷା କରିବେ ବୋଲି ଲୋକସଭାରେ ଏନେଇ ଉପଭୋକ୍ତା,ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନଭେ କହିଛନ୍ତି,ଏହି ବିଲ୍ ମାଧ୍ୟମରେ କୃଷି କ୍ଷେତ୍ରରେ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳାକୁ ମଜବୁତ୍ କରିହେବ । କୃଷକ ପୂର୍ବ ଅପେକ୍ଷା ଆହୁରି ସଶକ୍ତ ହେବ ଓ ନିବେଶରେ ବୃଦ୍ଧି ଘଟିବ । ଏହି ବିଲକୁ ବିରୋଧୀ ଦଳ ବିରୋଧ କରିବା ସହ ସରକାର ଏହି ବିଲକୁ ଫେରାଇ ନେବାକୁ ଦାବି କରିଥିଲେ ।