ଅଣ୍ଡା ବଦଳରେ ଦେଉଛନ୍ତି ଫଳ, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଘୋଟାଲା; ବଦଳି ଅର୍ଡର ପରେ ବି ରିଲିଭ ହେଉନାହାଁନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ।

କୋଦଳା,୨୨/୧୧(ପିପିଟି):ଛାତ୍ର ଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ଓ ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏପରିକି ସରକାରୀ ବିଦ୍ୟାଳୟକୁ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଆକୃଷ୍ଟ ହେବା ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ପାଇଁ ମାଗଣାରେ ପୋଷାକ,ଯୋତା ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଆଦି ପ୍ରଦାନର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବିଦ୍ୟାଳୟ ସ୍ତରରେ କିଛି ଅସାଧୁ ଶିକ୍ଷକଙ୍କ ପାଇଁ ଏଥିରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲା କୋଦଳା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ପରିଚାଳନାରେ ଘୋର ଅନିୟମିତତା ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁସାରେ ପ୍ରତି ସପ୍ତାହର ସୋମ, ବୁଧ ଓ ଶୁକ୍ରବାର ପିଲାମାନଙ୍କୁ ଅଣ୍ଡା ଦିଆଯିବାକୁ ନିୟମ ରହିଛି। କିନ୍ତୁ ଏହି ନିୟମକୁ ଅଣଦେଖା କରି ଅଣ୍ଡା ବଦଳରେ ଫଳ ଦେଉଛନ୍ତି ପ୍ରଧାନ ଶିକ୍ଷକ। ଯାହାକୁ ନେଇ ଉପୁଜିଛି ବିବାଦ। ଖାଲି ସେତିକି ନୁହେଁ ଅଣ୍ଡା କାହିଁକି ଦିଆଯାଉନି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କଲେ ବୁଧବାର ଓ ଶୁକ୍ରବାର ଅଣ୍ଡା ବଦଳରେ ଦିଆଯାଉଛି ଗୋଟିଏ କଦଳୀ ଓ ଫାଳେ ସେଓ। ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନାଙ୍କ କହିବା କଥା ମଧ୍ୟାନ୍ନ ଭୋଜନ ବାବଦକୁ ଠିକରେ ଟକାଂ ଆସୁନି।ତତ ସହିତ ଯଦି ଅଣ୍ଡା ନ ମିଳେ ସେହିଦିନରେ ଫଳ ଦେବାକୁ ନିୟମ ଅଛି । ଏଣୁ ଆମ୍ଭେ ସିଆରସିସିଙ୍କ ଉପସ୍ଥିତିରେ ଶୁକ୍ରବାର ଫଳ ବାଣ୍ଟିଛୁ । ସେପଟେ ପ୍ରଧାନ ଶିକ୍ଷକଙ୍କ କଥାକୁ ମାନିବାକୁ ନାରାଜ ଖୋଦ୍ ବେଗୁନିଆପଡ଼ା ବ୍ଲକ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ। ପ୍ରଧାନ ଶିକ୍ଷକ ମନଗଢ଼ା କାହାଣୀ କହୁଛନ୍ତି ବୋଲି କହିଛନ୍ତି ବିଇଓ। କେବେ ବି ଟଙ୍କା କଥା ଆମ୍ଭଙ୍କୁ ଜଣାଇ ନାହାଁନ୍ତି ପ୍ରଧାନ ଶିକ୍ଷକ,କୌଣସି ପର୍ବପର୍ବାଣୀ ରେ ଯଦି ଅଣ୍ଡା ବାର ପଡେ ସେହି କ୍ଷେତ୍ରରେ ଫଳ ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଅଣ୍ଡା ନଦେଇ ପିଲାମାନଙ୍କୁ ନିରାଶ କରୁଥିବା ଅଭିଯୋଗ ହୋଇଛି। ସରକାରୀ ଗାଇଡ୍ ଲାଇନ୍ କୁ କାହିଁକି ମାନୁ ନାହାଁନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନ। ବିଇଓ କହିଛନ୍ତି ମୁଁ ଛୁଟିରେ ଅଛି ଗଲେ ତଦନ୍ତ କରିବି। ଏପଟେ ପରିଦର୍ଶନ ରେ ଯାଉଥିବା ସିଆରସିସି କଣ କରୁଛନ୍ତି ତାକୁ ନେଇ ଉଠୁଛି ପ୍ରଶ୍ନ ,ପ୍ରଧାନ ଶିକ୍ଷକ କହୁଛନ୍ତି ସିଆରସିସି ଙ୍କ ଜାଣତ ରେ ଅଣ୍ଡା ବଦଳରେ ଫଳ ଦେଇଛି । ଅନ୍ୟ ପଟେ ଏହି ପ୍ରଧାନ ଶିକ୍ଷକ କୁଆଡେ ବଦଳି ପାଇଁ ରିଲିଭ ଅର୍ଡ଼ର ଜାରି ହୋଇଥିଲେ ମଧ୍ୟ ସେ ଏହି ସ୍କୁଲକୁ ଛାଡୁ ନାହାନ୍ତି।ଜିଲ୍ଲା ଶିକ୍ଷାଧିକାରୀ ବ୍ରହ୍ମପୁରଙ୍କ ଚିଠି ସଂଖ୍ୟା ୧୯୭୧୦,ତା- ୦୬/୧୦/୨୦୨୫ ପ୍ରକାରେ ଜାଗିଲପଦର କାଲିମେଘି ଉଚ୍ଚ ବିଦ୍ୟାଳୟକୁ ବଦଳି ପାଇଁ ନିର୍ଦ୍ଦେଶ ଆସିଥିବା ବେଳେ ଏହାକୁ ସେ ଗ୍ରହଣ କରିବାକୁ ନାରାଜ,ଆମ ପ୍ରତିନିଧିଙ୍କୁ କହିଛନ୍ତି ଯେ ବିଧାୟକ କହିଛନ୍ତି ତୁମ ଅର୍ଡର କେନସିଲ ହେବ ଆଉଗୋଟିଏ ଅର୍ଡର ଆସିବା ପର୍ଯ୍ୟନ୍ତ ଏଠାରେ ରୁହନ୍ତୁ ଏବଂ ସିନିଅର ଶିକ୍ଷକଙ୍କୁ ଦାଇତ୍ୱ ପ୍ରଦାନ କରିବାକୁ ବି ଇଚ୍ଛା କରୁ ନଥିବା ନେଇ ଚର୍ଚ୍ଚା । ଏହାରି ଉପରେ ପ୍ରଧାନ ଶିକ୍ଷକ ଶ୍ରୀ ଜେନା ଉତ୍ତର ଦେଇ କହିଛନ୍ତି ଯେ ମୋର କିଛି କାମ ର ବକେୟା ଅର୍ଥ ମୋତେ ମିଳିନାହିଁ, ବକେୟା ଅର୍ଥ ମିଳିଲେ ମୁଁ ଦାଇତ୍ୱ ହସ୍ତାନ୍ତର କରିବି । ବହୁ ପୁରାତନ ଏହି ନୋଡାଲ ହାଇସ୍କୁଲ ଏବେ ବ୍ୟାପକ ଅସୁବିଧାରେ ଗତି କରିବା ସହ ଶିକ୍ଷକ ଅଭାବ ସାଙ୍ଗକୁ ସ୍ଥାୟୀ ପ୍ରଧାନ ଶିକ୍ଷକ ଓ ଗଣିତ ଶିକ୍ଷକ ନାହାଁନ୍ତି । ତାସହିତ ହିନ୍ଦୀ ଶିକ୍ଷକ କୁମାରୀପାରି ସ୍କୁଲରୁ ଡେପୁଟେଶନ ହେଇଛି ଓ ସଂସ୍କୃତ ଶିକ୍ଷକ ମ୍ୟାଟରନିଟି ଲିଭ ରେ ଥିବା ଯୋଗୁଁ ସେହି ଜାଗାରେ ସ୍ୱର୍ଣ୍ଣମୟି ହାଇ ସ୍କୁଲ ରୁ ସଂସ୍କୃତ ଶିକ୍ଷକଙ୍କୁ ଡେପୁଟେସନ ହେଇଛି। ଏଠାରେ ଶିକ୍ଷକ ନିଯୁକ୍ତି ପାଇଁ ଦୀର୍ଘଦିନ ହେବ ଦାବୀ ହେଉଥିଲେ ବି ଏହା ଉପରେ କୌଣସି ସୁଫଳ ମିଳୁନାହିଁ।ଆଉ କିଛି ଦିନ ଗଲେ ବାର୍ଷିକ ପରୀକ୍ଷା ଆସୁଥିବା ବେଳେ ବିଷୟ ଭିତ୍ତିକ ଶିକ୍ଷକ ନଥିବା ଯୋଗୁଁ ପିଲାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହା ଉପରେ ଶିକ୍ଷା ବିଭାଗ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଭିଭାବକ ସମେତ କୋଦଳା ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠୀ ଦାବି କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment