ଅଣଗେଜେଟେଡ୍ ବନ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ;ଆଠଗଡ ସଂଘର କର୍ମକର୍ତ୍ତା ନିର୍ବାଚନ ।

ଆଠଗଡ,୨୯/୦୯: ଅଣଗେଜେଟେଡ୍ ବନ କର୍ମଚାରୀ ସଂଘ, ଆଠଗଡ ବନଖଣ୍ଡ ଶାଖାର ସାଧାରଣ ପରିଷଦ ବୈଠକ ସହ ଏକ ଆଲୋଚନାଚକ୍ର ଓ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ଆଠଗଡର ବନଖଣ୍ଡିସ୍ଥିତ କେନ୍ଦ୍ରୀୟ ନର୍ସରୀ ପରିସରରେ ଜୋନ ସଭାପତି ଆଶିଷ କୁମାର ନାୟକଙ୍କ ପୌରୋହିତ୍ୟରେ ସାଧାରଣ ପରିଷଦ ବୈଠକ ଏବଂ ‘ଜଙ୍ଗଲ ସୁରକ୍ଷା ଓ ଓଡିଶାରେ ବର୍ତ୍ତମାନର ବ୍ୟବସ୍ଥା’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ଯଅତିଥି ରୂପେ ବନଖଣ୍ଡ ଅଧିକାରୀ (ଡିଏଫଓ) ଡାକ୍ତର ଯଜ୍ଞଦତ୍ତ ପତି, ମୁଖ୍ଯବକ୍ତା ଭାବେ ଅଣଗେଜେଟେଡ୍ ବନ କର୍ମଚାରୀ ସଂଘର ରାଜ୍ଯ ସଭାପତି ଜଗବନ୍ଧୁ ପାତ୍ର, ସମ୍ମାନିତ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ନୀଳମାଧବ ସାହୁ, ସଂଘର ଅଧ୍ୟକ୍ଷ ଖଗେଶ୍ବର ସେଠୀ ପ୍ରମୁଖ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଜଙ୍ଗଲ ସମ୍ପଦର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେବା ଆମ ସମସ୍ତଙ୍କର ପ୍ରଧାନ କର୍ତ୍ତବ୍ଯ ବୋଲି ଡିଏଫଓ ଡାକ୍ତର ପତି କହିବା ସହିତ ବନ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ପ୍ରତି ସରକାର ସଚେତନ ଓ ସମ୍ବେଦନଶୀଳ ଅଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସଂଘର ରାଜ୍ଯସ୍ତରୀୟ କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରି ବନ କର୍ମଚାରୀଙ୍କ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଆଠଗଡ ବନଖଣ୍ଡ ପାଇଁ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଂଘର ଆଠଗଡ ବନଖଣ୍ଡ ଶାଖାର ସଭାପତି ରୂପେ ରମାକାନ୍ତ ବଳବନ୍ତରାୟ, ଉପସଭାପତି ତନ୍ମୟ ବେହେରା, ସଂପାଦକ ପ୍ରମୋଦ କୁମାର ନାୟକ, ଯୁଗ୍ମ ସଂପାଦକ ସଂଗୀତା ସେଠୀ ଓ କୋଷାଧ୍ୟକ୍ଷ ଭାବେ ଚନ୍ଦନ କୁମାର ବେହେରା ସର୍ବସମ୍ମତ କ୍ରମେ ନିର୍ବାଚିତ ହୋଇଥିଲେ । ସଂଘର ରାଜ୍ଯ ସଭାପତି ଶ୍ରୀ ପାତ୍ର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇବା ସହ ସେମାନଙ୍କ ଦାୟିତ୍ବ ସମ୍ପର୍କରେ ଅବଗତ କରାଇଥିଲେ । ଶେଷରେ ନବନିର୍ବାଚିତ ଆଠଗଡ ସଂଘ ସଭାପତି ଶ୍ରୀ ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment