ଅଜଣା ଗାଡି ଧକ୍କାରେ ଭାଲୁର ମୃତ୍ୟୁ ।

ସମ୍ବଲପୁର,୨୫/୦୯:ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଧପୁର -ଅଙ୍ଗାବିରା ରାସ୍ତାରୁ ବୁଧୁବାର ସକାଳୁ ଏକ ଭାଲୁର ମୃତ ଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଅଜଣା ଗାଡି ଧକ୍କାରେ ଭାଲୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ରାଞ୍ଚି -ବିଜୟୱାଡ଼ା ଜାତୀୟ ରାଜପଥର ଅଂଶ ବିଶେଷ ନାକଟିଦେଉଳ ଅଙ୍ଗାବିରା ରାସ୍ତାର ବିନ୍ଧପୁର ପୋଲ ନିକଟ ଗେଣ୍ଠଣି ଠାରେ ଏହି ଭାଲୁ ଟି ରାସ୍ତା ପାରି ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଅଜଣା ଗାଡି ସହିତ ମୁଁହା ମୁଁହି ଧକ୍କା ହେବାରୁ ଘଟଣା ସ୍ଥଳରେ ଭାଲୁଟିର ମୃତ୍ୟୁ ଘଟି ଥିବା ଅନୁମାନ କରାଯାଉଛି । ବୁଧୁବାର ସକାଳୁ ଏହି ରାସ୍ତାରେ ଯାଉଥିବା କିଛି ଲୋକ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ଏକ ଭାଲୁର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବାଟଗାଁ ଫରେଷ୍ଟର ଦିଲ୍ଲୀପ କୁମାର ବେହେରା ସଦଳ ବଳେ ବୁଧୁବାର ସକାଳୁ ଘଟଣା ସ୍ଥଳରେ ପହଞ୍ଚି ଭାଲୁର ମୃତ ଦେହ ଜବତ କରିଥିବା ଜଣାପଡିଛି । ତେବେ ବ୍ୟବଚ୍ଛେଦ ପରେ ଭାଲୁର ମୃତ ଦେହକୁ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Comments (0)
Add Comment