ବେଗୁନିଆପଡ଼ା,୧୦/୦୩(ପିପିଟି): ଆନ୍ତର୍ଜାତୀୟ ଗୌଡିୟ ବେଦାନ୍ତ ଟ୍ରଷ୍ଟ (IGVT) ଓ ଗୌଡିୟ ବେଦାନ୍ତ ଏଜୁକେସନାଲ୍ ସୋସାଇଟି (GVES) ର ନିର୍ଦ୍ଦେଶନାରେ ପରିଚାଳିତ ଗୌଡିୟ ବେଦାନ୍ତ ବିଦ୍ୟାଳୟ ଅଙ୍ଗାରଗାଁ କୁ ସୋମବାର ଦିନ ଆନ୍ତର୍ଜାତୀୟ ଭକ୍ତମାନଙ୍କ ଆଗମନ କରିଥିଲେ । ଏହି ଦଳରେ ବିଶ୍ୱର ୨୦ରୁ ଅଧିକ ଦେଶର ଭକ୍ତମାନେ ଯୋଗଦେଇଥିଲେ । ଶ୍ରୀଲ ଗୁରୁଦେବ ଓଁ ନିତ୍ୟଲୀଳା ପ୍ରବିଷ୍ଟ ବିଷ୍ଣୁପାଦ ଅଷ୍ଟୋତ୍ତରଶତ ଶ୍ରୀମଦ୍ ଭକ୍ତିବେଦାନ୍ତ ନାରାୟଣ ଗୋସ୍ୱାମୀ ମହାରାଜଙ୍କ ନିର୍ଦ୍ଦେଶନାରେ କୃଷ୍ଣଚେତନାର ଯେଉଁ ମାନେ ଅନୁସରଣ କରୁଛନ୍ତି ସେହି ଭକ୍ତ ମାନେ ଯୋଗ ଦେଇଥିଲେ । ଏହି ଆଗମନରେ ନେତୃତ୍ୱ ନେଇଥିଲେ ଶ୍ରୀମଦ୍ ବି.ଭି. ବନ ଗୋସ୍ୱାମୀ ମହାରାଜ, ଶ୍ରୀମଦ୍ ବି.ଭି. ଶ୍ରୀଧର ଗୋସ୍ୱାମୀ ମହାରାଜ, ଶ୍ରୀପାଦ ବି.ଭି. ବୋଧାୟନ ମହାରାଜ ସମେତ ଅନ୍ୟମାନେ । ଏଥିସହିତ ସ୍ଥାନୀୟ ପ୍ରମୁଖ ବ୍ୟକ୍ତିବିଶେଷ ଏବଂ ଗୌଡିୟ ବେଦାନ୍ତ ବିଦ୍ୟାଳୟର ସ୍ଥାନିୟ ପରିଚାଳନା କମିଟି ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ଭ୍ରମଣ ସମୟରେ ଏହି ଆନ୍ତର୍ଜାତୀୟ ଭକ୍ତମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ବୈଦିକ ଶାସ୍ତ୍ରର ଶାଶ୍ୱତ ଜ୍ଞାନ ଆଧାରିତ ମୂଲ୍ୟବୋଧ ସମ୍ପନ୍ନ ଶିକ୍ଷାର ଗୁରୁତ୍ୱ ବିଷୟରେ ଅନୁପ୍ରେରଣା ଦେଇଥିଲେ। ସେମାନେ କହିଥିଲେ ଯେ ଆଧୁନିକ ଶିକ୍ଷା ସହ ଆଧ୍ୟାତ୍ମିକ ସଂସ୍କାର ଓ ନୈତିକ ମୂଲ୍ୟବୋଧ ଯୋଡ଼ିଲେ ଛାତ୍ରଛାତ୍ରୀ ମାନଙ୍କ ସମ୍ପୂର୍ଣ୍ଣ ବିକାଶ ସମ୍ଭବ । ଏହି ଅବସରରେ ଭକ୍ତମାନେ ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସମାଜ ମଧ୍ୟରେ ଆଧ୍ୟାତ୍ମିକ ଓ ସମଗ୍ର ଶିକ୍ଷାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା । ଏହି ଶିକ୍ଷା ପ୍ରଣାଳୀରେ ପାଠ୍ୟ ଶିକ୍ଷା ସହିତ ନାମସଂକୀର୍ତ୍ତନ,ଧ୍ୟାନ,ଯୋଗ ଓ ଚରିତ୍ର ଗଠନମୂଳକ କାର୍ଯ୍ୟକଳାପ ମଧ୍ୟ ଅନ୍ତର୍ଭୁକ୍ତ। ବିଭିନ୍ନ ଦେଶରୁ ଆସିଥିବା ଭକ୍ତମାନେ ନିଜ ଅନୁଭବ ଅଂଶୀଦାର କରି କହିଥିଲେ ଯେ ଆଧ୍ୟାତ୍ମିକ ଓ ବୈଦିକ ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରଣାଳୀ ତାଙ୍କ ଦେଶରେ ଶିଶୁମାନଙ୍କ ଚରିତ୍ର ଗଠନ, ଶିଷ୍ଟାଚାର ଓ ସାମାଜିକ ସମନ୍ୱୟ ବୃଦ୍ଧିରେ ବଡ଼ ଭୂମିକା ନେଉଛି । ଏହି ଭ୍ରମଣ ମାଧ୍ୟମରେ ଏହା ସ୍ପଷ୍ଟ ହୋଇଛି ଯେ ବୈଦିକ ଶିକ୍ଷା ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରଣାଳୀ ଏକ ଶାନ୍ତିମୟ,ସଂସ୍କାରସମ୍ପନ୍ନ ଓ ସମତାମୂଳକ ସମାଜ ଗଠନରେ ମହତ୍ତ୍ୱପୂର୍ଣ୍ଣ । ଶେଷରେ ଗୌଡିୟ ବେଦାନ୍ତ ବିଦ୍ୟାଳୟ ପରିଚାଳନା ପକ୍ଷରୁ ଆଗତ ବୈଷ୍ଣବ ସନ୍ୟାସୀ ଓ ଆନ୍ତର୍ଜାତୀୟ ଭକ୍ତମାନଙ୍କୁ ତାଙ୍କର ଆଶୀର୍ବାଦ ଓ ପ୍ରେରଣା ପାଇଁ ଗଭୀର କୃତଜ୍ଞତା ଜଣାଯାଇଛି। ତାଙ୍କର ଏହି ଦର୍ଶନ ଛାତ୍ରଛାତ୍ରୀ,ଶିକ୍ଷକ ଓ ସ୍ଥାନୀୟ ସମାଜକୁ ଆଗାମୀ ପିଢ଼ି ପାଇଁ ଆଧ୍ୟାତ୍ମିକ ଓ ଶାସ୍ତ୍ରମୂଳକ ମୂଲ୍ୟବୋଧ ସହିତ ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କରିବାରେ ଅଧିକ ଉତ୍ସାହିତ କରିଛି ବୋଲି ସୂଚନା ଦେଇଛନ୍ତି ସ୍ଥାନିୟ ପରିଚାଳନା କମିଟି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)