ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ , ଘଣ୍ଟା ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ।

ବୋଲଗଡ଼,୨୩/୦୫(ପିପିଟି):ତାପମାତ୍ରା ୪୦ ଡ଼ିଗ୍ରୀରୁ ଉର୍ଦ୍ଧ୍ବ ରହିଥିବାରୁ ଖରାରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉ ଥିବା ବେଳେ ଅସହ୍ୟ ହୋଇ ପଡ଼ିଛି ଗରମ ଓ ଗୁଳୁଗୁଳି । ଏହା ସହିତ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଏହାର ପ୍ରଭାବରେ ଛଟ ପଟ ହୋଉଛନ୍ତି । ରାଜ୍ୟ ସରକାର ଅଘୋଷିତ ବିଦ୍ୟୁତ କାଟକୁ ଏକ ଦଣ୍ଡନୀୟ ଅପରାଧ ଘୋଷଣା କରିଥିଲେ ମଧ୍ୟ ଟାଟା କମ୍ପାନୀ ସରକାରଙ୍କ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରି ବିଭିନ୍ନ ଆଳ ଦେଖାଇ ଦୈନିକ ୮ରୁ ୧୦ ଥର ଅଘୋଷିତ ବିଦ୍ୟୁତ୍‌ କାଟ କରୁଛି । ଏହା ସହିତ ବିଦ୍ୟୁତ୍‌ କାଟକୁ ନେଇ ସ୍ଥାନୀୟ ଯନ୍ତ୍ରୀଙ୍କୁ ଯୋଗ ଯୋଗ କଲେ ମଧ୍ୟ ଫୋନ ଉଠାଉ ନାହାନ୍ତି । ଏହି ଅଘୋଷିତ ଓ ଅନିୟମିତ ବିଦ୍ୟୁତ କାଟରେ ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା,କାସନ୍ଦା, ସୂର୍କାବଡି,ନରେନ୍ଦ୍ର ପୁର ଗ୍ରାମର ଲୋକମାନେ ଅତିଷ୍ଠ ହୋଇ ପ୍ରତିବାଦ କରିଥିଲେ ।ଗ୍ରାମବାସୀମାନେ ରାଜସୁନାଖଳା ଗ୍ରିଡକୁ ଘେରାଉ କରିବା ସହିତ ୫୭ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଶହ ଶହ ଗାଡି ରାଜ ରାସ୍ତାରେ ଲମ୍ବିବା ସହିତ ଘଣ୍ଟା ଘଣ୍ଟା ଧରି ଯାତାୟାତ ଠପ ରହିଥିଲା । ରାଜସୁନାଖଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଯାତାୟାତ ନିୟନ୍ତ୍ରଣ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ରାଜସୁନାଖଳା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନା ପ୍ରତ୍ୟକ୍ଷ ଭାବରେ ସ୍ଥାନୀୟ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସ୍ଥାନୀୟ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କୁ ଅଘୋଷିତ ବିଦ୍ୟୁତ ନକାଟିବା ପାଇଁ ତାଗିଦ କରିଥିଲେ । ଏଥି ସହିତ ଲୋକଙ୍କୁ ବୁଝାସୁଝା କରି ପୋଲିସ ,ବିଦ୍ୟୁତ କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆଗାମୀ ଦିନରେ ଏକ ବୈଠକ ବସାଇ ବିଦ୍ୟୁତ ସମସ୍ୟାର ସମାଧାନ କରା ଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଓ ଯାତାୟାତ ସ୍ଵାଭାବିକ ହୋଇ ଥିଲା। ସ୍ଥାନୀୟ ଅଞ୍ଚଳର ବହୁ ଗ୍ରାମବାସୀମାନେ ସାମିଲ ଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment