ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ସମର୍ଥନରେ ଏରସମା ଠାରେ ମୋଦିଙ୍କ କୁଶପୁତ୍ତଳିକା ଦାହ ।

ଏରସମା,୦୫/୧୨(ପିପିଟି); ସନ୍ଧ୍ୟାରେ ଅଖିଳ ଭାରତ କୃଷକ ସଭା ଏରସମା ବ୍ଲକ କମିଟି ପକ୍ଷରୁ ମୋଦି ସରକାରଙ୍କ କୃଷି ଓ କୃଷକ ବିରୋଧୀ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଓ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ସମର୍ଥନରେ ଏରସମା ବଜାର ଠାରେ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । କୃଷକ ସଭାର ବ୍ଲକ ସମ୍ପାଦକ ଓ ପୂର୍ବତନ ଏରସମା ବ୍ଲକ ଉପାଧ୍ୟାକ୍ଷ ରାମଚନ୍ଦ୍ର ମୁଦୁଲି ଓ କୃଷକ ସଭାର ଜିଲ୍ଲା ସମ୍ପାଦକ ପିତାମ୍ବର ଦାସଙ୍କ ନେତୃତ୍ୱରେ ଶତାଧିକ କୃଷକ ମାନଙ୍କର ଏକ ଶୋଭାଯାତ୍ରା ଏରସମା ବଜାର ପରିକ୍ରମା କରିବା ପରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ଯୁବ ନେତା ଦେବାଶିଷ ପରିଜା ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାରଙ୍କ କୃଷକ, ଶ୍ରମିକ, ଛାତ୍ର, ଯୁବକ ତଥା ସାଧାରଣ ମଣିଷ ବିରୋଧୀ ନୀତି ଓ ନିଷ୍ପତ୍ତିକୁ ଦୃଢ଼ ସମାଲୋଚନା କରିବା ସହିତ ଦିଲ୍ଲୀରେ ସଂଘର୍ଷରତ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ଓ ନୂତନ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରିବା ସହିତ ଆଗାମୀ ୮ ତାରିଖ କୃଷକ ମାନଙ୍କ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ l ସଭା ପରେ ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଅଗ୍ନି ସଂଯୋଗ କରିଥିଲେ । ଏହି ଆନ୍ଦୋଳନକୁ କୃଷକ ନେତା ସର୍ବେଶ୍ୱର ବେଉରା, ଅମରେନ୍ଦ୍ର ଦାସ, ବସନ୍ତ ସାହୁ,ଶରତ ମଳିକ, କଳ୍ପତରୁ ଖଟୁଆ, ଶଶୀକାନ୍ତ ମାଝୀ ପ୍ରମୁଖ ପରିଚାଳନା କରିଥିଲେ ।

Comments (0)
Add Comment