ହୁସିଆର : ଆଉ ମାରନାହିଁ ମଣିଷକୁ

ବାରତା ଶୁଣି ପଢ଼ି କାନ ହେଲାଣି ବଧିର
ଆଖି ହୋଇଲାଣି ଜଳକା
ଲୋଡ଼ା ନାହିଁ ଆଉ ବାର୍ତ୍ତା ଆମକୁ
ଲୋଡ଼ା ଔଷଧ ରାସନ ସଉଦା ।
ଜିଇଁ ଥାଉ ଥାଉ ମରୁଅଛୁ ଆଜି
ଔଷଧ ବଟିକା ଅଭାବେ
ଡାକ୍ତରଖାନାରେ ତାଲା ଝୁଲୁଅଛି
ତୁମର ବୁଡ଼େକି ଅଭାବେ ।
କଳାବଜାରରେ ନିୟନ୍ତ୍ରଣ ହୀନ
ବଜାର ଦର ଟା ବଢୁଛି
ତେଲ ଲୁଣ ଆଳୁ ପରିବା ଦରରେ
ଆଖି ଲୁହ ଝଡି ପଡୁଛି ।
ପାଟିରେ ପାଟିରେ ସବୁ କହୁଅଛ
କାମରେ ତୁମେତ ହୁଗୁଳା
ବାର୍ତ୍ତା ଆମକୁ ଆଉ ଶୁଣାଅନି
ଶୁଣି ଶୁଣି ଆମେ ବାଉଳା ।
ପୋକ ମାଛି ଭଳି ଝଡ଼ୁଛି ଜୀବନ
ଡାକ୍ତରୀ ସେବାର ଅଭାବେ
ଅର୍ଦ୍ଧାହାର ଆଉ ଅନାହାର ଆଜି
ବଇରୀ ସାଜିଛି ଜୀବନ ନେଉଛି ଗରିବେ ।
କାହା କଥା ଏଠି କେହି ବୁଝୁନାହିଁ
ସବୁ କରିଦେଇ ଅଚଳ
କି ଯଶ ପାଇବ ତୁମେ ହେ ଶାସକ
କରି ଶୋଷଣ କଷଣ ପ୍ରବଳ ।
ସାମାଜିକ ଭିତ୍ତି ଦୋହଲାଇ ଦେଇ
ସଂସ୍କୃତିକୁ କରି ଦୁର୍ବଳ
କେଉଁ ଫୁଲମାଳ ପିନ୍ଧିବ ଶାସକ
ତୁମେ ନିଜେ ହୋଇ ସବଳ ।
କ୍ରୁର ଶାସକର ବୁକୁଚା ନବୋହି
ପ୍ରଶାସକ ତୁମେ ସାଜନାହିଁ ଆଉ ବୋଲକରା
ଜୀବନ ବିକଳେ ମଣିଷ ମାତିଲେ
ତୁମେ ହୋଇଯିବ ଦିଗହରା ।
ଅକାଳରେ ଏଠି ଝଡ଼ୁଛି ଜୀବନ
ତୁମେ ହେଉଅଛ ମଦମତ୍ତ
ଭାଷଣ ବାରତା ଭଙ୍ଗୀରେ ଦେଇ
ମଣିଷକୁ କର ହନ୍ତସନ୍ତ ।
ରାସନ ଔଷଧ ରୋଜଗାର ଦିଅ
ମଣିଷର ଏହା ଅଟେ ହକ
ଆଉ ମାରନାହିଁ ମଣିଷକୁ ତୁମେ
ହୁସିଆର ହୋଇ ପଥେ ଦେଖ ।

ବିନାୟକ ଦାଶ, ନୀଳବଙ୍ଗଳା, ସାନଖେମୁଣ୍ଡି ।

Comments (0)
Add Comment