ସରିଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ; ଭଞ୍ଜନଗର ବ୍ଲକରେ ସର୍ବାଧିକ ୭୦.୭୮% ମତଦାନ ।

ଭଞ୍ଜନଗର,୨୪/୦୨(ପିପିଟି): ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଥିଲା ଶେଷଦିନ। ପୂର୍ବରୁ ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ମତଦାନ ଆଶାନୁରୂପ ହୋଇ ନଥିବା ବେଳେ ଆଜି ଭଞ୍ଜନଗର ବ୍ଲକରେ ସର୍ବାଧିକ ଶତକଡା ୭୦.୭୮ଭାଗ ମତଦାତା ଭୋଟ ଦେଇଛନ୍ତି।ଏଠାରେ ମୋଟ ୩୨୧ଟି ବୁଥ ଓ ୩୨୧ଟି ପୋଲିଙ୍ଗ ପାର୍ଟିକୁ ନେଇ ନିର୍ବାଚନ ହୋଇଥିବା ବେଳେ କାଁ ଭାଁ କେତେକ ସ୍ଥାନରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିବା ସୂଚନା ମିଳିଛି। ଅନ୍ୟ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବା ଜଣାପଡିଛି। ସେଥି ମଧ୍ୟରେ ଡିହ ପଢାଳ ଉଚ୍ଚ ବିଦ୍ୟାଳୟରେ ମହିଳାମାନଙ୍କ ସୁବିଧା ଦୃଷ୍ଟିରୁ ବ୍ଲକର ଏକ ମାତ୍ର ପିଙ୍କ ବୁଥ କରାଯାଇଥିଲା। ଏହି ବ୍ଲକରେ ସମୁଦାୟ ୧,୦୮୯୬୬ଜଣ ଭୋଟର ଥିବା ବେଳେ ଦିନ ୧୨ଟା ସୁଦ୍ଧା ଶତକଡା ୪୮ଭାଗ ମତଦାନ ହୋଇଥିଲା। ଶେଷ ସମୟରେ ଅଧିକ ଭୋଟର ଭୋଟକେନ୍ଦ୍ରରେ ଉପସ୍ଥିତ ଥିବାରୁ ଲାଲସିଙ୍ଗି ଓ ଅନ୍ୟ କେତେକ ପଞ୍ଚାୟତରେ ସାଢ଼େ ଦୁଇଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କେତେକ ବୁଥ ବୁଲିବା ସହ ଭୋଟ ଗଣତି କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଥିଲେ।ସେହିପରି ପର୍ଯ୍ୟବେକ୍ଷକଙ୍କ ସମେତ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ବିଡ଼ିଓ ଅନୀଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ,ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧିରେସ କୁମାର ଦାସ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ ମାନେ ବିଭିନ୍ନ ଭୋଟ କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା। ବ୍ଲକ ଅଫିସରେ ଭୋଟ ବାକ୍ସ ସବୁ ଜମା ହେବା ବେଳେ ସେଠାକାର ସିସି କ୍ୟାମେରା ଠିକ ଭାବେ କାର୍ଯ୍ୟ କରୁନଥିବା ଦେଖି କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ହେଲେ ରାତି ପର୍ଯ୍ୟନ୍ତ ବିଭିନ୍ନ ଦଳୀୟ କର୍ମୀମାନେ ଭୋଟ ବାକ୍ସର ସୁରକ୍ଷା ପାଇଁ ଭିଡ଼ ଜମେଇଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment