ଭଞ୍ଜନଗର,୨୮/୦୬(ପିପିଟି); ଭଞ୍ଜନଗର ଶ୍ରୀରାମ ନଗର ଠାରେ ଥିବା ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଚଳିତ ବର୍ଷ ୭୨ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାର୍ଥୀ ରହିଥିଲେ ମଧ୍ୟ ସେମାନଙ୍କର ଫଳାଫଳ ପ୍ରକାଶିତ ହୋଇ ନଥିବାରୁ ଅସନ୍ତୋଷ ଦେଖାଦେଇଛି। କରୋନା ସକାଶେ ଏହିବର୍ଷ ଦଶମ ଶ୍ରେଣୀ ପରୀକ୍ଷାକୁ ରାଜ୍ୟ ସରକାର ବନ୍ଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ତେଣୁ ନବମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ଆଧାରରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଫଳାଫଳ ଘୋଷଣା କରାଯାଇଥିଲା। ଯାହା ଫଳରେ ପରୀକ୍ଷା ନଦେଇ ବହୁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବାରେ ସକ୍ଷମ ହୋଇଛନ୍ତି। ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସମସ୍ତ ସରକାରୀ ନିର୍ଦ୍ଦେଶ ପ୍ରକାରେ ପୂର୍ବରୁ ସମସ୍ତ ପରୀକ୍ଷା ଦେଇଥିଲେ।ଅନ୍ୟ ସମସ୍ତ ବିଦ୍ୟାଳୟର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ମଧ୍ୟ ଏହି ବିଦ୍ୟାଳୟର ପରୀକ୍ଷା ଫଳ ବାହାରିଲା ନାହିଁ। ପୂର୍ବତନ ଛାତ୍ରଛାତ୍ରୀ ମାନେ ଏଠାରେ ପରୀକ୍ଷା ଦେଇ ସଫଳ ହୋଇଥିବା ବେଳେ ଏହିବର୍ଷ ସ୍କୁଲ କର୍ତ୍ତୃପକ୍ଷ ପରୀକ୍ଷା ଫଳ ପ୍ରକାଶିତ ହେବା ପୂର୍ବ ଦିନ ସମସ୍ତଙ୍କୁ କୋରସପେନଡେଣ୍ଟ ପରୀକ୍ଷା ଦେଲେ ଯାଇ ରେଜଲ୍ଟ ବାହାରିବ ବୋଲି କହିଥିଲେ। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକ ଦିନ ବିଦ୍ୟାଳୟରେ ଉପସ୍ଥିତ ରହି ଶିକ୍ଷା ଗ୍ରହଣ କରିବା ସହ ବିଦ୍ୟାଳୟର ସମସ୍ତ ଖର୍ଚ୍ଚ ବହନ କରିଥିଲେ ମଧ୍ୟ ସେମାନେ ରେଗୁଲାର ନହୋଇ କରୋସପେନଡେଣ୍ଟରେ ପୁଣିଥରେ ପରୀକ୍ଷା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ତେଣୁ ପିଲାମାନଙ୍କ ଭବିଷ୍ୟତକୁ ନେଇ ସମସ୍ତେ ଦ୍ଵନ୍ଦରେ ରହିଥିବା ବେଳେ ଏସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁ ନଥିବାରୁ ଶେଷରେ ବାଧ୍ୟହୋଇ ସୋମବାର ଏକ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଅଭିଭାବକ ଏକାଠି ହୋଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଣାଇଥିଲେ। ଉପଜିଲ୍ଲାପାଳ ଏସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ, ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କିଛି ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
( ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )