ଭଞ୍ଜନଗର,୩୦/୧୦(ପିପିଟି):କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏନସିସି ଆର୍ମି, ନାଭାଲ୍, ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନା ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ସଭାରେ ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ ଅଧକ୍ଷତା କରି ଦୁର୍ନୀତି ରୋକିବାରେ ଯୁବ ଗୋଷ୍ଠୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଛାତ୍ରୀଛାତ୍ର ମାନେ ସଚେତନ ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧକ୍ଷ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ଵାନ ଦେଇଥିଲେ। ସାମ୍ବାଦିକ ମାନେ ମଧ୍ୟ ଦୁର୍ନୀତିକୁ ରୋକିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ଯାହାଫଳରେ ବହୁ ଲୋକ ଦୁର୍ନୀତି କରିବାକୁ ସାହସ କରନ୍ତି ନାହିଁ। କର୍ମଚାରୀଙ୍କ ଠାରୁ ଆରମ୍ଭକରି ସାଧାରଣ ଜନତା ସମସ୍ତେ ସଚେତନ ହେଲେ ଯାଇ ଦୁର୍ନୀତିକୁ ରୋକା ଯାଇପାରିବ। ଏଥିପାଇଁ ଅଧିକରୁ ଅଧିକ ଜନ ସଚେତନତାର ଆବଶ୍ୟକତା ରହିଛି।ଏଥିସହ ମନୁଷ୍ଯ ଆର୍ଥିକ ଲୋଭ ମନୋବୃତ୍ତି ଛାଡିବା ଦ୍ୱାରାହିଁ ଦେଶରୁ ଦୁର୍ନୀତି ହଟିବ ବୋଲି ଅଧକ୍ଷ ଶ୍ରୀ ପ୍ରଧାନ କହିଥିଲେ। ନାଭାଲ୍ ଅଫିସର ଡଃ ରବିନ୍ଦ୍ର କୁମାର ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ।ପ୍ରାଧ୍ୟାପକ ଡଃ ରବିନ୍ଦ୍ର ନାଥ ପାଳ ଛାତ୍ରୀଛାତ୍ରଙ୍କୁ ଏସମ୍ପର୍କରେ ଶପଥ ପାଠ କରାଇଥିଲେ । ପ୍ରାଧ୍ୟାପକ ଡଃ ପୀତବାସ ପାଳ, ରେଡକ୍ରସ ଅଫିସର ପ୍ରାଧ୍ୟାପକ ବଦ୍ରି ନାରାୟଣ ପାତ୍ର, ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସନାତନ ବେହେରା, ହରମୋହନ ନାୟକ, ଅଧ୍ୟାପିକା ଅନିତା ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।ଏନସିସି ଅଫିସର ଲେଫ୍ଟନାଣ୍ଟ ରଜନୀ କାନ୍ତ ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ବିଭାଗର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )