ବ୍ରହ୍ମପୁର,୧୧/୦୭(ପିପିଟି); ଡିଜେଲ , ପେଟ୍ରୋଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦରବୃଦ୍ଧି ବିରୋଦ୍ଧରେ ରାଜ୍ୟର ୪ଟି ବାମପନ୍ଥି ସି.ପି.ଆଇ , ସି.ପି.ଆଇ ( ଏମ ) , ସି.ପି.ଆଇ ( ଏମ. ଏଲ ) , ଲିବରେସନ ଓ ଫରୱାର୍ଡ ବ୍ଲକ ପକ୍ଷରୁ ଆସନ୍ତା ଜୁଲାଇ ୧୫ ତାରିଖ ସକାଳ ୬ ଘଣ୍ଟ ଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏ ବନ୍ଦ ପରିପ୍ରେକ୍ଷୀରେ ଆଜି ସି.ପି.ଆଇ , ସି.ପି.ଆଇ ( ଏମ ) ଓ ଫରୱାର୍ଡ ବ୍ଲକ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ , ହିଲପାଟଣା , ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇ ଗଣମାଧ୍ୟମକୁ କୁହାଯାଇଛି ଯେ – ଡିଜେଲ , ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ଏବେ ଲିଟର ୧୦୦ ଟଙ୍କାରୁ ଅଧିକ ହେଲାଣି । ଏହାର ସିଧା ପ୍ରଭାବ ମାଲ ଓ ଯାତ୍ରୀ ପରିବହନ ଉପରେ ପଡୁଛି । କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ । ସେତେବେଳେ ଦରଦାମ୍ ବୃଦ୍ଧି ଯୋଗୁଁ ଲୋକେ ମରଣ ଜନ୍ତାକୁ ଠେଲି ହୋଇଗଲେଣି । ତୈଳଜାତ ସାମଗ୍ରୀର ଦରବୃଦ୍ଧି ସାଙ୍ଗକୁ ୨୩ଟି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ହଟାଇ ଦେବା ଫଳରେ ଖାଇବା ତେଲ , ଡାଲି , ଆଳୁ , ପିଆଜ , ଚିନି ଓ ଔଷଧ ଆଦି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆକ୍ରମଣ । ରନ୍ଧନଗ୍ୟାସର ଦର ମଧ୍ୟ ୩୦୦ ଟଙ୍କାରୁ ୯୦୦ ଟଙ୍କାକୁ ନିଆଗଲାଣି । ଉଜ୍ଜଳା ଗ୍ୟାସର ପ୍ରତିଶ୍ମୃତି ଅନ୍ଧାର ହୋଇଗଲାଣି । କେନ୍ଦ୍ର ସରକାର ଇତି ମଧ୍ୟରେ ପେଟ୍ରୋଲ ଉପରେ ଶତକଡା ୨୫୮ ଭାଗ ଏବଂ ଡିଜେଲ ଉପରେ ଶତକଡା ୮୨୦ ଭାଗ ଅଵକାରୀ ଶୁଳ୍କ ବୁଦ୍ଧି କରିବା ଫଳରେ ତୈଳ ଦର ବୁଦ୍ଧି ପାଇଛି । ୨୦୧୪ – ୧୫ରେ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ଡିଜେଲ ଓ ପେଟ୍ରୋଲ ଉପରୁ ଅବକାରୀ ଶୁଳ୍କ ବାବଦରେ ୭୪,୧୫୮ କୋଟି ଟଙ୍କା ଆଦାୟ କରିଥିବାବେଳେ ୨୦୨୦ ଏପ୍ରିଲରୁ ୨୦୨୧ ଜାନୁଆରୀ, ୧୦ ମାସରେ ଆଦାୟ କରିଛନ୍ତି ୨ ଲକ୍ଷ ୯୫ ହଜାର କୋଟି ଟଙ୍କା । ଏହା ଉପରେ ରହିଛି ରାଜ୍ୟ ସରକାରଙ୍କ ପେଟ୍ରୋଲ ଉପରେ ୩୨ ଭାଗ ଓ ଡିଜେଲ ଉପରେ ୨୮ ଭାଗ ଟିକସ । ମୋଟାମୋଟୀ ଭାବେ ଡିଜେଲ ଓ ପେଟ୍ରୋଲ ଦର ଯାହା ତା’ଠାରୁ ୨ ଗୁଣ ଟିକସ କେନ୍ଦ୍ର ଓ ରାଜ୍ୟ ମିଶି ଆଦାୟ କରିଥିବାରୁ ଏଭଳି ଦରବୃଦ୍ଧି ଘଟୁଛି । ଡିଜେଲ ଓ ପେଟ୍ରୋଲ ଉପରୁ ଅବକାରୀ ଶୁଳ୍କ ଆଦାୟ ବନ୍ଦ କରି ଏହା ଉପରେ ଭାଟ୍ ଲାଗୁକଲେ ଦର କମିବ ।ଏହା ସହିତ ଗୋଟିଏ ବର୍ଷରେ ଖାଦ୍ୟ ସାମଗ୍ରୀର ଦର ୭୦ ରୁ ୮୦ ଭାଗ ବୃଦ୍ଧି ପାଇଛି । ବେଆଇନ ମହଜୁଦ ଓ କଳାବଜାରୀ ବ୍ୟାପକ ହୋଇଛି । ଦରଦାମ ବୃଦ୍ଧି ଫଳରେ ସଧାରଣ ଲୋକଙ୍କ ତେଲ ଲୁଣର ସଂସାର ଉଜୁଡ଼ୀ ଯିବାକୁ ବସିଲାଣି । ଏଣୁ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ ଓ ପେଟ୍ରୋଲ ଉପରୁ ଅବକାରୀ ଶୁଳ୍କ ଓ ଭାଟ୍ ଟିକସ ହ୍ରାସ କାରି ଦର କମାଇବା , ନିତ୍ୟ ବ୍ୟବହାଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ କରିବା , କଳାବଜାରୀ ମହଜୁଦକାରୀଙ୍କୁ ଜବତ କରିବା, ପ୍ରତି ପରିବାରକୁ ମୁଣ୍ଡପିଛା ୧୦ କେଜି ଚାଉଳ/ଗହମ , ଖାଇବା ତେଲ , ଡାଲି , ଚିନି , ଚା ଇତ୍ୟାଦି ରାସନ କୀଟ ମାଗଣାରେ ଯୋଗାଇବା, ଆୟକର ଦେଉ ନଥିବା ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରିବା ଦାବି କରି ଆସନ୍ତା ଜୁଲାଇ ୧୫ ତାରିଖ ସକାଳ ୬ ଟାରୁ ମଧ୍ୟାହ୍ନ ୧୨ ଟା ପଯ୍ୟନ୍ତ ୬ ଘଣ୍ଟିଆ ଓଡିଶା ବନ୍ଦକୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ସର୍ବତ୍ର ସଫଳ କରିବା ପାଇଁ ପରିବହନ ସଂସ୍ଥା ଓ କର୍ମଚାରୀ , ଗଞ୍ଜାମ ଜିଲ୍ଲା ବ୍ୟବସାୟୀ ସଂଘ , ବାର୍ ଆସୋସିଏସନ୍ , ଶ୍ରମିକ ସଙ୍ଗଠନ , ଛାତ୍ର , ଯୁବକ , ବୁଦ୍ଧଜୀବୀ , ମହିଳା ଓ ଜନସାଧାରଣ ଦରବୃଦ୍ଧି ବିରୋଦ୍ଧରେ ସ୍ବର ଉତ୍ତୋଳନ କରି ବନ୍ଦ ଆନ୍ଦୋଳନରେ ସ୍ଵତଃପ୍ରବୃତ୍ତ ଭାବେ ସାମିଲ ହେବାକୁ ନିବେଦନ କରୁଛୁ । ଆଜିର ସାମ୍ବାଦିକ ସମ୍ମିଳନୀରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସିପିଏମ ଜିଲ୍ଲା ସମ୍ପାଦକ କୈଳାଶ ଷଢଙ୍ଗୀ , ଫରୱାର୍ଡ ବ୍ଲକ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି , ସିପିଏମ ଜିଲ୍ଲା ସମ୍ପାଦକ ମଣ୍ଡଳୀର ସଦସ୍ଯ ବସନ୍ତ ନନ୍ଦ , ସିପିଏମ ଜିଲ୍ଲା ନେତା ବିଦ୍ଯାଧର ଜେନା , ଯୁଧିଷ୍ଠିର ବେହେରା , ଏଆଇୱାଇଏଫ୍ ଜିଲ୍ଲା ସମ୍ପାଦକ କାମଦେବ ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )