ଜନ ସାଧାରଣଙ୍କୁ କରୋନା ଲକ୍ଷଣ ନ ଲୁଚାଇବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ ।

ଛତ୍ରପୁର, ତା- ୨୩/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବହୁ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାର ଜନ ସାଧାରଣ କରୋନା ସଂକ୍ରମଣ ହେଉଥିବା କାରଣରୁ ଏହି ସଂକ୍ରମଣକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନର ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଅବଶ୍ୟରକ ପଡୁଛି ବୋଲି ଗଞ୍ଜାମ ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାପାଇଁ ପ୍ରବର୍ତ୍ତାଇଥିଲେ । ଗତକାଲି ଜିଲ୍ଲାରେ ୫୪୦ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି  ଏବଂ ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏଣୁ ତଥ୍ୟ ସଂଗ୍ରହ ଦିଗରେ ସମସ୍ତେ ଗୁରୁତ୍ହ ଦେଇ କାର୍ଯ୍ୟ କରିବା ଆବଶ୍ୟକ ଯଦ୍ବାରା ପରବର୍ତ୍ତୀ  ଯୋଜନା ସୂଚାରୁରୂପେ ସମ୍ପାଦିତ ହୋଇପାରିବ ଓ କରୋନା ସଂକ୍ରମଣକୁ ରୋକାଯାଇପାରିବ । କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ଚିକିତ୍ସା ଅଧିକାରୀ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ତାଙ୍କର ଲକ୍ଷଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତୁ ଏବଂ ସେହି ଅନୁଯାୟୀ ତାଙ୍କର ଚିକିତ୍ସା ପଦ୍ଧତି ସ୍ଥିର କରି ଚିକିତ୍ସା କରିବେ ତାହା ନିଜେ ବିଚାର କରିବାକୁ  ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରତି କୋଭିଡ୍ କେୟାର ସେଣ୍ଟରରେ ୫୦ ପ୍ରତିଶତ ଶଯ୍ୟାରେ ଯେପରି ଅକ୍ସିଜେନ୍ ସିଲିଣ୍ଡର ରହିବ  ସେଥିପ୍ରତି ଦୃଷ୍ଟି ଦେବେ । କୋଭିଡ୍ କାମରେ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଅବହେଳା ପ୍ରଦର୍ଶନ କଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ସତର୍କ କରାଇ ଦିଆଯାଇଥିଲା । ପ୍ରତିଟି ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ରଖନ୍ତୁ ଆବଶ୍ୟକ ସ୍ଥଳେ ସେ ସମପର୍କରେ ତଦନ୍ତ କରାଯିବ । ଯେଉଁ ଦୋକାନୀମାନେ କରୋନା ସଂକ୍ରମିତ ହୋଇଛନ୍ତି ତାଙ୍କ ଚିକିତ୍ସା କରାଯାଉ ଏବଂ ତାଙ୍କ ଦୋକାନ ଏକମାସ ବନ୍ଦ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।  ସଂକ୍ରମିତ କୋଭିଡ୍ ଯୋଦ୍ଧାଙ୍କ ଘରକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଗସ୍ତ କରି ତାଙ୍କ ଖବର ବିଷୟରେ ପଚାରି ବୁଝନ୍ତୁ ଯଦ୍ବାରା କୋଭିଡ୍ ଯୋଦ୍ଧା ମାନଙ୍କୁ ପ୍ରୋତ୍ସାହନ ମିଳିପାରିବ । କରୋନା ସମ୍ପର୍କିତ କିଛି ଲକ୍ଷଣ ଯଦି ପରିଲକ୍ଷିତ ହୁଏ ତାହାକୁ ନ ଲୁଚାଇ ପ୍ରଶାସନକୁ ଜଣାଇବା ପାଇଁ ଜନ ସାଧାରଣଙ୍କୁ ଜିଲ୍ଲାପାଳ ନିବେଦନ କରିଥିଲେ ।  ଭିଡିଓ କନଫରେନ୍ସିଂ ରେ ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୋଲ୍ ପଟ୍ଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ ଜଗଦୀଶ ପଟ୍ଟନାୟକ, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment