ଗ୍ରାମାଞ୍ଚଳରେ ପୋଷ୍ଟର ଓ ବ୍ୟାନର ଲଢେଇ; ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ଗଞ୍ଜାମ ଏସପି ।

ଭଞ୍ଜନଗର,୦୯/୦୨(ପିପିଟି): ଦିନକୁ ଦିନ ପାଖେଇ ଆସୁଛି ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ।ଆସନ୍ତା ୨୪ତାରିଖରେ ନିର୍ବାଚନ ତାରିଖ ଘୋଷଣା ପରେ ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ଭୋଟର ମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ପୋଷ୍ଟର, ବ୍ୟାନର ଓ ଦଳୀୟ ପତାକାରେ ଗ୍ରାମ ସବୁ ଛାଇ ଗଲାଣି। ଏଥି ସହ ଘରକୁ ଘର ବୁଲି ପ୍ରାର୍ଥୀ ମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ନିର୍ବାଚନକୁ କିଭଳି ଅବାଧ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାରେ ସମ୍ପାଦନ କରାଯାଇ ପାରିବ ସେଥିପାଇଁ ପୁଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।ପ୍ରତ୍ୟେକ ଦିନ ପୁଲିସ ପକ୍ଷରୁ ବିଭନ୍ନ ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ କରିବା ସହ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି। ଏ ସଂକ୍ରାନ୍ତରେ ବୁଧବାର ଗଞ୍ଜମ ଜିଲ୍ଲା ଆରକ୍ଷୀ ଅଧିକାରୀ ବ୍ରିଜେଶ କୁମାର ରାୟ ଭଞ୍ଜନଗର ଗସ୍ତରେ ଆସି ଆଇନ ଶୃଙ୍ଖଳା ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ବ୍ୟବସ୍ଥା,ଉତ୍ତେଜନା ପ୍ରବଣ ଗ୍ରାମ ଏବଂ ସେଠାକାର ସମସ୍ୟା ଓ ଶାନ୍ତି ଶୃଙ୍ଖଳା ସମ୍ପର୍କରେ ବିଟ ଅଧିକାରୀ ମାନଙ୍କ ସହ ପ୍ରତ୍ୟେକ୍ଷ ଭାବେ ଆଲୋଚନା କରିଥିଲେ।ଏଥିସହ ଭଞ୍ଜନଗର ଥାନାର ବିଭିନ୍ନ ସମସ୍ୟା ଓ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ।ଏସପିଙ୍କ ଏହି ଗସ୍ତ ସମୟରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧିରେସ କୁମାର ଦାସ ଓ ଅନ୍ୟ ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment