ଗଞ୍ଜାମ ଜିଲ୍ଲା ପାଞ୍ଚଟି ପଞ୍ଚାୟତରେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ ହେବ ବର୍ଯ୍ୟବସ୍ତୁ ସୁପରିଚାଳନା କାର୍ଯ୍ୟ ।

ବ୍ରହ୍ମପୁର,୦୭/୦୨(ପିପିଟି): ପଞ୍ଚାୟତରାଜ ବିଭାଗ ଏବଂ ନଗର,ଗୃହ ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ବର୍ଯ୍ୟବସ୍ତୁ ପରିଚାଳନା କର୍ମଶାଳା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦୁର୍ବନ୍ଧ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳା ସଭାରେ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ବିଭିନ୍ନ ଦିଗରୁ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକତା ଭିତ୍ତିରେ ୫ ଗୋଟି ପଞ୍ଚାୟତରେ କିପାରି ଭାବେ କଠିନ, ତରଳ ଓ ମଳ ବର୍ଯ୍ୟବସ୍ତୁ ସୁପରିଚାଳନା କରାଯାଇ ପାରିବ ତାହାରୀ ଉପରେ ଆଲୋକପାତ କରାଯାଇଥିଲା।ପ୍ରଥମେ ଜିଲ୍ଲା ପ୍ରକଳ୍ପ କୋଡ଼ିନେଟର ମହେଶ ତରାଇ ଏହି ସମ୍ବନ୍ଧୀୟ ସୂଚନା ବିବରଣୀ ପ୍ରଦାନ କରିଥିଲେ। ସୂଚନା ପ୍ରକାରେ ପ୍ରାଥମିକତା ଭିତ୍ତିରେ ଗଞ୍ଜାମ ଜିଲ୍ଲାର ପାଞ୍ଚ ଗୋଟି ପଞ୍ଚାୟତ ଛତ୍ରପୁର ବ୍ଲକର ଚମାଖଣ୍ଡି, ହିଞ୍ଜିଳି ବ୍ଲକର ଦୁର୍ବନ୍ଧ,କୁକୁଡ଼ାଖଣ୍ଡି ବ୍ଲକର ନିମଖଣ୍ଡି ଓ ଲୋଚାପଡ଼ା, ରଙ୍ଗେଇଲୁଣ୍ଡା ବ୍ଲକର କନିସି ପଂଚାୟତକୁ ନେଇ ପ୍ରାଥମିକତା ଭିତ୍ତିରେ ପରୀକ୍ଷାମୂଳକ ଭାବେ ବର୍ଯ୍ୟବସ୍ତୁ ସୁପରିଚାଳନା କରାଇବା ପାଇଁ ନିଷ୍ପତି ନିଆଯାଇଛି।ଏହି ସବୁ ପଞ୍ଚାୟତରେ କଠିନ ଓ ତରଳ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଦୁଇ ଗୋଟି ଲେଖାଏଁ ବ୍ୟାଟେରୀଚାଳିତ ଗାଡ଼ି ପ୍ରଦାନ କରାଯିବ। ଉକ୍ତ ଗାଡ଼ି ଗୁଡିକ ଦ୍ୱାରା ଏସ୍.ଏସ୍.ଜି ଗ୍ରୁପ ସହାୟତାରେ ସେହି ଅଞ୍ଚଳର କଠିନ ଓ ତରଳ ବର୍ଯ୍ୟବସ୍ତୁ ଘରକୁ ଘର ଜାଇ ସଂଗ୍ରହ କରି ଉଚିତ ସୁପରିଚାଳନା କରାଯିବାର ବ୍ୟବସ୍ଥା କରାଯିବ। ଚମାଖଣ୍ଡି ପଞ୍ଚାୟତର ସମସ୍ତ ସୁପରିଚାଳନା ଦାଇତ୍ୱ ଚମାଖଣ୍ଡି ପଞ୍ଚାୟତ ଦ୍ୱାରା କରାଯିବ। ଦୁର୍ବନ୍ଧ ପଞ୍ଚାୟତ ହିଞ୍ଜିଳି ପୌର ପରିଷଦ ଦ୍ୱାରା ଏବଂ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି, ଲୋଚାପଡ଼ା ଓ ରଙ୍ଗେଇଲୁଣ୍ଡା ବ୍ଲକର କନିଷି ପଞ୍ଚାୟତ ବ୍ରହ୍ମପୁର ନଗରପାଳିକା ଦ୍ୱାରା ବର୍ଯ୍ୟବସ୍ତୁ ପରିଚାଳନା ସମୀକ୍ଷା କାର୍ଯ୍ୟକାରୀ କରାଯିବ।ଏହି ସବୁ ପଞ୍ଚାୟତରେ ମଳର ସୁପରିଚାଳନା ପାଇଁ ସେସ୍ ପୁଲ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଦୁର୍ବନ୍ଧ ପଞ୍ଚାୟତ ପାଇଁ ହିଞ୍ଜିଳି ପୌର ପରିଷଦ କାର୍ଯ୍ୟାଳୟ ଦ୍ୱାରା ନିୟୋଜିତ ସେସ୍ ପୁଲ ଗାଡ଼ି ବ୍ୟବହାର ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଚମାଖଣ୍ଡି ପଂଚାୟତକୁ ସ୍ୱତନ୍ତ୍ର ସେସ୍ ପୁଲ ଗାଡ଼ିର ବ୍ୟବସ୍ଥା କରାଯାଇଛି।ତାହାକୁ ସେହି ପଞ୍ଚାୟତର ଏସ୍.ଏସ୍.ଜି ଗ୍ରୁପ ଦ୍ୱାରା ପରିଚାଳନା କରାଯିବାର ବ୍ୟବସ୍ଥା ହୋଇଛି। ସେହିପରି ନିମଖଣ୍ଡି, ଲୋଚାପଡ଼ା ଓ କନିସି ଏହି ତିନୋଟି ପଞ୍ଚାୟତର ମଳ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ବ୍ରହ୍ମପୁର ନଗର ପାଳିକାର ସେସ୍ ପୁଲ ମାଧ୍ୟମରେ ସଫେଇ କାର୍ଯ୍ୟ କରାଯିବାର ବ୍ୟବସ୍ଥା କରାଯାଇଛି। ଉକ୍ତ ପଞ୍ଚାୟତର ଗୁଡିକରେ ପ୍ରାଥମିକତା ଭିତ୍ତିରେ ହେବାକୁ ଯାଉଥିବା ଏହି କାର୍ଯ୍ୟ ଗୁଡିକର ସମୀକ୍ଷାକରି ସଫଳତା ପରେ ଗଞ୍ଜାମ ଜିଲ୍ଲାର ଅନ୍ୟ ୫୦୩ ପଞ୍ଚାୟତରେ ଏହିଭଳି ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଉକ୍ତ କର୍ମଶାଳାରେ ୟୁନିସେଫ ତରଫରୁ ଅଂମ୍ବ୍ରେସ ବେଲାଗାଲ, ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା , ହିଞ୍ଜିଳି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ,ହିଞ୍ଜିଳି ସିଡ଼ିପିଓ ଅଂଶୁପା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment