ଗଞ୍ଜାମ ଜିଲ୍ଲାପାଳଙ୍କ ପାତ୍ରପୁର ବ୍ଲକ୍ ଗସ୍ତ, ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ମାର୍ଗ ଦର୍ଶାଇଥିଲେ ।

ଛତ୍ରପୁର,୧୩/୦୯(ପିପିଟି): ଗଞ୍ଜାମ ଜିଲ୍ଲାପାଳ ପାତ୍ରପୁର ବ୍ଲକ୍ ଗସ୍ତ କରି ସ୍କୁଲର ରୂପାନ୍ତର କରଣ ଏବଂ ପର୍ଯ୍ୟଟନ ସ୍ଥଳର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପାତ୍ରପୁର ବ୍ଲକ୍ ର ଉପାନ୍ତ ଅଞ୍ଚଳ ତୁରୁବୁଡି, ବୁରୁତୋଳ, ବାରିଆ ପଥର ପ୍ରଭୃତି ଅଞ୍ଚଳ ଗସ୍ତ କରି ବିଦ୍ୟାଳୟ ଗୁଡିକର ରୂପାନ୍ତରକରଣ ଦିଗରେ କରାଯାଉଥିବା ଉନ୍ନୟନ କାର୍ଯ୍ୟଧାରା ତଦାରଖ କରିବା ସହିତ ଏହାର ରୂପାନ୍ତର ଦିଗରେ କେଉଁସବୁ ପଦକ୍ଷେପ ଗୁଡିକ ପ୍ରାଥମିକତା ଦେବା ଆବଶ୍ୟକ ସେସମ୍ପର୍କରେ ଉପସ୍ଥିତ ଲୋକ ପ୍ରତିନିଧି, ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜଣାଇଥିଲେ । ତୁରୁବୁଡି ଠାରେ ଥିବା ବିଦ୍ୟାଳୟ, ବାଦପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟ, ବୁରୁତୋଳ ଠାରେ ଥିବା ଆଦିବାସୀ ବିଦ୍ୟାପୀଠ ଏବଂ ଛାତ୍ରୀ ନିବାସର ଉନ୍ନତି କରଣ ଓ ରୂପାନ୍ତରୀକରଣ ଉପରେ ଆଲୋଚନା କରିଥିଲେ । ତୁରୁବୁଡିଠାରେ ଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିବା ସହ ସେଥିନିମନ୍ତେ କେଉଁ ଭଳି ନିଜକୁ ପ୍ରସ୍ତୁତ କରିବେ ସେ ସମ୍ପର୍କରେ ମାର୍ଗ ଦର୍ଶାଇଥିଲେ ।ମହେନ୍ଦ୍ରଗିରି ଯିବା ପଥରେ ପଡୁଥିବା ବାରିଆ ପଥର ଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ସକାଶେ ନିର୍ମାଣ ହେଉଥିବା ଭିୟୁ ପଏଣ୍ଟ ଟିକୁ କିଭଳି ଅଧିକ ସୌନ୍ଦର୍ଯ୍ୟକରଣ ଏବଂ ଲୋକଙ୍କ ସୁବିଧା ନିମନ୍ତେ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରିବା ନେଇ ମତାମତ ଦେଇଥିଲେ । ଏହାଦ୍ବାରା ଉକ୍ତ ଅଞ୍ଚଳରେ ରହିଥିବା ପର୍ଯ୍ୟଟନ ସ୍ଥଳର ବିକାଶ ହୋଇ ପାରିବ । ତାଙ୍କ ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାଶ, ସହକାରୀ ଯନ୍ତ୍ରୀ ଶାରଦା ପ୍ରସନ୍ନ ଜେନା ଏବଂ ସଂପୃକ୍ତ ଅଧିକାରୀ ଘଣ ଉପସ୍ଥିତ ଥିଲେ ।

Comments (0)
Add Comment