କୋଭିଡ କଟକଣା ମଧ୍ୟରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପର୍ବ ପାଳିତ ।

ଉଲୁଣ୍ଡା,୨୪/୦୮(ପିପିଟି); କରୋନା ମହାମାରୀର କଡା କଟକଣା ମଧ୍ୟରେ ଉତ୍ସାହ ଉଦ୍ଧିପନାର ସହ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସମଗ୍ର ପଶ୍ଚିମ ଓଡ଼ିଶାରେ ପାଳିତ ହୋଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରେ ମଧ୍ୟ ଧୁମ ଧାମରେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି । ଏ ବର୍ଷ କରୋନା କଟକଣା କାରଣରୁ ସାଧାରଣ ଜାଗା ମାନଙ୍କରେ ଗହଳି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଥିବାରୁ ସେସବୁ ଦେଖିବାକୁ ମିଳିନଥିଲା କିନ୍ତୁ ଗାଁ ମାନଙ୍କରେ ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଅର୍ପଣ ପରେ ପରିବାର ସଦସ୍ୟମାନଙ୍କ ସହିତ ନିଜ ନିଜ ଘରେ ମିଳିମିଶି ନବାନ୍ନ ଭକ୍ଷଣ କରିଥିଲେ । ନବାନ୍ନ ଭକ୍ଷଣ ପରେ ପରମ୍ପରା ଅନୁଯାୟୀ ପରିବାର ବଡ଼ ମାନଙ୍କୁ ସାନ ମାନେ ମୁଣ୍ଡିଆ ମାରିବା ସହିତ ପଡୋଶୀ ମାନଙ୍କ ସହିତ ଜୁହାର ଭେଟ ହୋଇଥିଲା ।ତାପରେ ଗାଁ ଲୋକ ଏକଜୁଟ ହୋଇ ମନ୍ଦିର ଯାଇ ଠାକୁର ଦର୍ଶନ ବିଧି ରହିଥିଲେ ମଧ୍ୟ ଏବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ଲୋକେ ମନ୍ଦିର ବାହାରୁ ଦର୍ଶନ କରି ଫେରିଥିବାର ଦେଖିବାକୁ ମିଳିଥିଲା । ସେହିଭଳି ସନ୍ଧ୍ୟାରେ ମଧ୍ୟ ଲୋକମାନେ ଘରୁ ନ ବାହାରି ନିଜ ନିଜ ଘରେ ରହି ନିଜ ପରିବାର ସଦସ୍ୟଙ୍କ ସହିତ ନିଆଁଖାଇ ର ମଜା ଉଠାଇଥିଲେ ।କିନ୍ତୁ ଏବର୍ଷ ଭଲ ବର୍ଷା ହୋଇନଥିବା କାରଣ ରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ନୂଆଁଖାଇରେ ଚାଷୀର ମନ ସେତେଟା ହରଷ ନ ଥିବା ପରିଲକ୍ଷିତ ହୋଇଛି । କେବଳ ପରମ୍ପରାକୁ ବଞ୍ଚାଇବାକୁ ଯାଇ ବିଧିରକ୍ଷା ପୂର୍ବକ ନୂଆଁଖାଇ ପର୍ବକୁ ପାଳନ ହୋଇଥିବା ଦେଖିବାକୁ ମିଳିଛି । ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।

Comments (0)
Add Comment