ଏରସମା,୨୬/୦୬(ପିପିଟି); ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓ ସଂଯୁକ୍ତ କୃଷକ ମୋର୍ଚ୍ଚାର ଆହ୍ୱାନ କ୍ରମେ, ତିନି କଳା କୃଷି ଆଇନ ଓ ନୂତନ ବିଜୁଳି ସଂଶୋଧନ ବିଲ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ପ୍ରବେଶ ପଥରେ ଚାଲିଥିବା ଲକ୍ଷ କୃଷକଙ୍କ ଆନ୍ଦୋଳନର ୭ମାସ ପୂର୍ତ୍ତି ଅବସରରେ ଏରସମାରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦାବୀ ଦିବସ ପାଳନ କରାଯାଇଛି । କୃଷକ ସଭାର ବ୍ଲକ ସଭାପତି ସାଥି ଦାମୋଦର ବେହେରାଙ୍କ ନେତୃତ୍ୱରେ କୃଷକ ମାନେ ଶାରୀରିକ ଦୂରତା ଅବଲମ୍ବନ ସହିତ ମାସ୍କ ପରିଧାନ ପୂର୍ବକ ଏରସମା ବଜାର ଠାରେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହି ପଥପ୍ରାନ୍ତ ସଭାରେ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, କୃଷକ ନେତା ବଇଁଶୀଧର ବେହେରା, ଦେବାଶିଷ ପରିଜା ପ୍ରମୁଖ ବକ୍ତବ୍ୟ ରଖି ୩ କଳା କୃଷି ଆଇନ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼ ପ୍ରତ୍ୟାହାର, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ପାଇଁ ଆଇନ ପ୍ରଣୟନ, ନୂତନ ବିଦ୍ୟୁତ ସଂଶୋଧନ ବିଲର ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିବା ସହିତ ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିବା ବିଜେପି ବା ମୋଦି ସରକାରକୁ ଉତଖାତ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । କୃଷକ ନେତା ବାମର ଗୁରୁ ସମରେଶ ମୁଦୁଲି, ଗଙ୍ଗାଧର ସ୍ୱାଇଁ, ବାଇନ ବାରିକ,ହରେକୃଷ୍ଣ ଗଛାୟତ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।