କଂଗ୍ରେସ ସାଙ୍ଗଠନିକ ଅଦଳବଦଳ, ଡ.ଚେଲ୍ଲା କୁମାର ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ।

ନୂଆଦିଲ୍ଲୀ;୧୨/୦୯: କଂଗ୍ରେସର ସାଂଗଠନିକ ଅଦଳବଦଳ ଶୁକ୍ରବାର ଦିନ ହୋଇଛି । କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଦଳୀୟ ସଂଗଠନରେ ବଡ ଧରଣର ପରିବର୍ତ୍ତନ କରିଛନ୍ତି । ଓଡିଶା ପ୍ରଭାରୀ ଥିବା ସାଂସଦ ଜିତେନ୍ଦ୍ର ସିଂହଙ୍କୁ ବଦଳାଇ ସାଂସଦ ଡ.ଚେଲ୍ଲା କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ରାଜ୍ୟ କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିବା ସହ ସିଡବ୍ଲୁସି ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହିତ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ଓ ତେଲେଙ୍ଗାନା ପ୍ରଭାରୀ ଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ବାଦ ଦିଆଯାଇଛି । ସାଂସଦ ଜିତେନ୍ଦ୍ର ସିଂହଙ୍କୁ ଆସମ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସୋନିଆଙ୍କ ନୂଆ ଟିମରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ,ମୋତିଲାଲ ଭୋରା,ଅମ୍ବିକା ସୋନି ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାଧାରଣ ସଂପାଦକ ପଦରୁ ହଟାଇ ଦିଆଯାଇଛି । ଏହା ସହିତ ୯ ନୂଆ ସାଧାରଣ ସଂପାଦକଙ୍କୁ ନିଯୁକ୍ତି ମିଳିଛି । ଜୀତିନ ପ୍ରସାଦଙ୍କୁ ପଶ୍ଚିମ ବଙ୍ଗ,ପ୍ରିୟଙ୍କାଙ୍କୁ ୟୁପି ଏବଂ ମୁକୁଲ ୱାସନିକଙ୍କୁ ମଧ୍ୟ ପ୍ରଦେଶ ଦାୟିତ୍ୱ ଦିଆଯାଇଛି । ସୋନିଆଙ୍କୁ ସହାୟତା କରିବା ପାଇଁ ୬ ଜଣିଆ କମିଟିରେ ଏକେ ଆଣ୍ଟୋନି,ଅହମଦ ପଟେଲ,ଅମ୍ବିକା ସୋନି,କେସି ବେଣୁଗୋପାଳ,ରଣଦୀପ ସିଂହ ସୂର୍ଯ୍ୟେୱାଲା ଏବଂ ମୁକୁଲ ୱାସନିକ ରହିଛନ୍ତି । ଓଡିଶା ନୂଆ ପ୍ରଭାରୀ ଡ.ଚେଲ୍ଲା କୁମାର ଦାୟିତ୍ୱ ନେବା ପରେ ଓଡିଶା ସଂଗଠନ ସ୍ଥିତିକୁ ମଜବୁତ୍ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା କରାଯାଉଛି ।

Comments (0)
Add Comment