ରାୟଗଡା,୨୯/୦୮(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଗୁଳୁମୁଣ୍ଡା ଗ୍ରାମପଞ୍ଚାୟତ ଅଧିନ ପଣସଗୁଡା ଗ୍ରାମର ଜଣେ ୧୪ ବର୍ଷର ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି।ଗୁଣୁପୁର ପୋଲିସ ଏହି ଘଟଣାରେ ୬ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ପିଡ଼ିତାଙ୍କ ବାପା ଗତ ୨୭-୦୮-୨୦ରେ ଅଭିଯୋଗପରେ ସମଗ୍ର ପ୍ରଶାସନ ତତ୍ପର ହୋଇଥିଲା।ଅଭିଯୋଗ ମୁତାବକ ପ୍ରାୟ ୭ମାସ ତଳେ ପିଡିତା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ୬ ଜଣ ତାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ। କଥାଟା ପ୍ରଘଟକଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଭୟରେ ପିଡିତା କାହାକୁ କିଛି କହିନଥିଲେ। ପରବର୍ତ୍ତୀ ସମୟରେ ମଧ୍ୟ ଅଭିଯୁକ୍ତମାନେ ବିଭିନ୍ନ ପ୍ରଲୋଭନ ଓ ଭୟ ଦେଖାଇ ଦୁଷ୍କର୍ମ କରିଆସୁଥିଲେ। ଆଠ ଦିନତଳେ ପିଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ଘରଲୋକେ ଆଶାକର୍ମୀଙ୍କ ସହାୟତାରେ ଗୁଣୁପୁର ଡାକ୍ତରଖାନାରେ ପରୀକ୍ଷାରେ ୬ ମାସର ଗର୍ଭବତୀ ଥିବାର ଜଣାପଡିବା ପରେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଅଙ୍ଗନୱାଡି କର୍ମୀଙ୍କ ସହଯୋଗରେ ରାମନାଗୁଡା ସିଡିପିଓ ଶାନ୍ତିଲତା ରଥ,ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଗୁଳୁମୁଣ୍ଡା ସରପଞ୍ଚ ନିର୍ମଳା ଶବର ପିଡିତାଙ୍କ ସହ ଆଲୋଚନା କରିଥିଲେ। ଗୁଣୁପୁର ଥାନାରେ କେସ ନଂ ୧୪୭/୨୦ରେ ରୁଜ୍ଜୁ ହେବାପରେ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଓ ଏସ ଆଇ ରୁଦ୍ରମାଧଵ ମୁଦୁଲି ପଣସଗୁଡାର ୫ଜଣ ଓ ପାଖଗ୍ରାମ ବନ୍ଧୁଗୁଡାର ଜଣକୁ ଉଠାଇ ନେଇଛନ୍ତି। ଉପଖଣ୍ଡ ପୋଲିସ ଅଧିକାରୀ ରାଜକିଶୋର ଦାସ କହିଛନ୍ତି ଯେ ପିଡ଼ିତାଙ୍କ ଡାକ୍ତରୀମାଇନା ସରିଛି, ଅଭିଯୁକ୍ତଙ୍କ ମାଇନା ସରିବା ପରେ କୋର୍ଟରେ ହାଜର କରାଯିବ,କରୋନା ପରୀକ୍ଷା ପାଇଁ ବିଳମ୍ବ ଘଟୁଛି। ସ୍ଥାନୀୟ ଜନସାଧାରଣ ନିଜ ନିଜର ପରିଚୟ ଗୋପନରଖି କହିଛନ୍ତି ଯେ ଏବେ ୬ ଜଣ ଗିରଫ ହୋଇଛନ୍ତି । ଅଧିକ ତଦନ୍ତ କଲେ ଆହୁରି ଅନେକ ଥାଇପାରନ୍ତି,କାରଣ ପିଡିତାଙ୍କ ନିରୀହତାର ଫାଇଦା ଉଠାଇଛନ୍ତି। ରିପୋର୍ଟ – ନବୀନ ନାୟକ ବେହେରା ।