ଅକ୍ଟୋବର ୨୫ ତାରିଖ ଦିନ ଆମ ଦେଶ ସମେତ ଋଷ, ୟୁରୋପ, ଦକ୍ଷିଣ ଓ ପଶ୍ଚିମ ଏସିଆ, ଉତ୍ତର ପୂର୍ବ ଆଫ୍ରିକା ପରି ବିଶ୍ୱର କିଛି ଦେଶରେ ଏକ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ସେଦିନ ସୂର୍ଯ୍ୟାସ୍ତ ସମୟରେ କିଛି ସମୟ ପାଇଁ ଆକାଶରୁ ସୂର୍ଯ୍ୟ ଗାୟବ ହେବା ସହ ଅନ୍ଧାର ଦେଖାଯିବ । ସୂର୍ଯ୍ୟପରାଗ ନାମରେ ପରିଚିତ ପ୍ରକୃତିର ଏହି ବିରଳ ଦୃଶ୍ୟକୁ ସାରା ପୃଥିବୀର ଲୋକେ ଉପଭୋଗ କରିବେ । ଏହାପୂର୍ବରୁ ଗତ ୩୦ ଏପ୍ରିଲ ଦିନ ଆଂଶିକ ସୂର୍ଯ୍ୟପରାଗ ହୋଇଥିବା ବେଳେ ଚଳିତ ଥର ତା’ଠାରୁ ଟିକିଏ ଅଧିକ (୪୫%) ସୂର୍ଯ୍ୟପରାଗ ହେବାକୁ ଯାଉଥିବା ଜଣାପଡ଼ିଛି ।
ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ହେଉଛି ଏକ ମହାଜାଗତିକ ପ୍ରାକୃତିକ ଘଟଣା । ଆମେ ଜାଣୁ ଯେ ସୌରଜଗତରେ ସୂର୍ଯ୍ୟ ହିଁ ଏକମାତ୍ର ନକ୍ଷତ୍ର ଯାହାର ନିଜର ଆଲୋକ ରହିଛି । ତାକୁ କେନ୍ଦ୍ର କରି ପୃଥିବୀ ଗୋଟିଏ ଉପ ବୃତ୍ତକାର ପଥରେ ତାର ଚାରିପାଖରେ ପରିକ୍ରମା କରୁଛି । ଆଉ ପୃଥିବୀର ଉପଗ୍ରହ ରୂପେ ପରିଚିତ ଚନ୍ଦ୍ର ଆଉ ଏକ ଉପବୃତ୍ତକାର ପଥରେ ପୃଥିବୀ ଚାରିପାଖରେ ପରିକ୍ରମା କରୁଛି । ଏହି ପରିକ୍ରମା କରିବା ସମୟରେ ଏଭଳି ଏକ ସମୟ ଆସେ ଯେତେବେଳେ ଚନ୍ଦ୍ର ଆମ ପୃଥିବୀ ଓ ସୂର୍ଯ୍ୟର ମଝିରେ ରହିଯାଏ । ସେତେବେଳେ ପୃଥିବୀର ଲୋକଙ୍କ ପାଇଁ ସୂର୍ଯ୍ୟ କିଛି ସମୟ ପାଇଁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଅଦୃଶ୍ୟ ହୋଇଯାଏ । ସେତେବେଳେ ଚନ୍ଦ୍ରର ଛାୟାଟି ପୃଥିବୀ ଉପରେ ପଡ଼େ । ଏହି ଘଟଣାକୁ ହିଁ ସୂର୍ଯ୍ୟପରାଗ ବୋଲି କୁହାଯାଇଥାଏ । ପୃଥିବୀର ଯେଉଁ ଅଂଚଳରେ ଏହି ଘଟଣା ଘଟେ, ସେହି ଅଞ୍ଚଳ ଠାରୁ ସୂର୍ଯ୍ୟ ଅଦୃଶ୍ୟ ହୋଇଯାଏ ।
ଚନ୍ଦ୍ରର ଛାୟା ପୃଥିବୀ ଉପରେ ପଡ଼ିବାକୁ ହେଲେ, ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀକୁ ଗୋଟିଏ ସରଳରେଖାରେ ରହିବାକୁ ହୁଏ । ମାସରେ ଦୁଇ ଥର ଚନ୍ଦ୍ର ପୃଥିବୀର କକ୍ଷ ତଳ ଅତିକ୍ରମ କରିଥାଏ । ଏହି ଦୁଇ ଦିନରେ କିଛି ସମୟ ପାଇଁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସମତଳରେ ଆସିଥାଏ । ଏହି ଦୁଇ ଦିନ ହିଁ କିଛି ସମୟ ପାଇଁ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଗୋଟିଏ ସମତଳରେ ରହନ୍ତି । ପ୍ରତି ଅମାବାସ୍ୟାରେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଗୋଟିଏ ସରଳରେଖାରେ ଆସନ୍ତି । ସେହି ସମୟରେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ରହିଥାଏ । କିନ୍ତୁ ସବୁ ଅମାବାସ୍ୟାରେ ସୂର୍ଯ୍ୟପରାଗ ହୋଇନଥାଏ । ସୂର୍ଯ୍ୟପରାଗ ହେବାକୁ ହେଲେ ଚନ୍ଦ୍ରର ଛାୟା ପୃଥିବୀ ପର୍ଯ୍ୟନ୍ତ ପହଂଚିବା ଦରକାର ।
ଆମେ ଜାଣୁ ଯେ ସୂର୍ଯ୍ୟର ବ୍ୟାସ ୧୩ ଲକ୍ଷ ୯୨ ହଜାର କିଲୋମିଟିର । ପୃଥିବୀ ଠାରୁ ତା’ର ଦୂରତ୍ୱ ୧୫ କୋଟି ୨୩ ଲକ୍ଷ କି.ମି । ଅନ୍ୟପଟେ ଚନ୍ଦ୍ରର ବ୍ୟାସ ମାତ୍ର ୩,୪୭୪ କି.ମି ଏବଂ ପୃଥିବୀ ଠାରୁ ତା’ର ଦୂରତା ୩ କୋଟି ୮୪ ହଜାର ୪୦୦ କି.ମି । ଅତଏବ ଏତେ ଦୂରରୁ ଚନ୍ଦ୍ରର ଛାୟା ପୃଥିବୀ ଉପରେ ପଡ଼ିବା ସମ୍ଭବ ନୁହେଁଁ । କିନ୍ତୁ ଚନ୍ଦ୍ର ପୃଥିବୀର ଚାରି ପାଖରେ ଯେଉଁ କକ୍ଷପଥରେ ଘୁରେ ସେହି ପଥଟି ଉପ ବୃତ୍ତାକାର ହୋଇଥିବାରୁ ଗୋଟିଏ ସମୟରେ ଚନ୍ଦ୍ର, ପୃଥିବୀର ପାଖାପାଖିଚାଲି ଆସିଥାଏ । ଚନ୍ଦ୍ର ଯେତେବେଳେ ପୃଥିବୀର ସବୁଠାରୁ ପାଖକୁ ଚାଲିଆସେ, ସେତେବେଳେ ପୃଥିବୀ ଠାରୁ ଚନ୍ଦ୍ରର ଦୂରତ୍ୱ ୧୩ ଲକ୍ଷ ୬୩ ହଜାର ୩୦୦ କି.ମି ହୋଇଥାଏ । ସେତେବେଳେ ଚନ୍ଦ୍ରର ଛାୟା ଅତି ସହଜରେ ପୃଥିବୀ ଉପରେ ପଡ଼ିଥାଏ, ଯାରିଫଳରେ ସୂର୍ଯ୍ୟପରାଗ ହୋଇଥାଏ । ସୂର୍ଯ୍ୟପରାଗ ହେବା ପଛରେ ଅନେକ କାରଣ ରହିଛି । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖାରେ ରହିବା ସହିତ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ଚନ୍ଦ୍ରର ଚାୟାର ଦୈର୍ଘ୍ୟ ଠାରୁ କମ୍ ହେବା ଦରକାର । ଚନ୍ଦ୍ରର ଯେଉଁ ଦିଗରେ ସୂର୍ଯ୍ୟ ରହେ, ତା’ର ବିପରୀତ ଦିଗରେ ପ୍ରଛାୟା ଓ ଉପଛାୟା ନାମରେ ଦୁଇ ପ୍ରକାର ଛାୟା ଉତ୍ପନ୍ନ ହୋଇଥାଏ । ଅନ୍ୟପଟେ ଚନ୍ଦ୍ର ତୁଳନାରେ ସୂର୍ଯ୍ୟ ଅନେକ ଗୁଣ ବଡ଼ ହୋଇଥିବା ଯୋଗୁଁ ଏକ ବଡ଼ ଆଲୋକ ଉତ୍ସ ଠାରୁ ଅପେକ୍ଷାକୃତ ଛୋଟ ଚନ୍ଦ୍ର ଉପରେ ଆଲୋକ ପଡ଼ିଲେ, ଚନ୍ଦ୍ରର ବିପରୀତ ପାଶ୍ୱର୍ରେ ଛାୟା ତିଆରି ହୁଏ । ସେହି ଛାୟାର ମଝିରେ ଗୋଟିଏ ଅଂଶରେ ସୂର୍ଯ୍ୟ ଠାରୁ ବାହାରୁଥିବା ଆଲୋକ ପଡ଼େନାହିଁ । ତାକୁ ପ୍ରଚ୍ଛାୟା କୁହାଯାଏ । ଏହି ପ୍ରଚ୍ଛାୟା ତି୍ର୍ରକୋଣ ଆକାରର ହୋଇଥିବାରୁ କ୍ରମାନ୍ୱୟରେ ସରୁ ହୋଇ ଗୋଟିଏ ବିନ୍ଦୁରେ ଯାଇ ଶେଷ ହୁଏ । ଏହି ବିନ୍ଦୁଟିକୁ ଏପେକ୍ସ୍ ବୋଲି କୁହାଯାଏ । ପ୍ରଛାୟାର ପରିପାଶ୍ୱର୍ରେ ସୂର୍ଯ୍ୟର ଆଲୋକ ସାମାନ୍ୟ ପଡ଼ିଥାଏ, ଯାହାକୁ ଉପଛାୟା କୁହାଯାଏ । ଚନ୍ଦ୍ରର ପ୍ରଚ୍ଛାୟା ପୃଥିବୀର ଯେଉଁସବୁ ଅଂଚଳରେ ପହଞ୍ଚେ, ସେସବୁ ଅଂଚଳରେ ସେହି ସମୟ ପାଇଁ ସୂର୍ଯ୍ୟ ଦେଖାଯାଇ ନଥାଏ । ସୂର୍ଯ୍ୟର କେତେ ଅଂଶ ଦେଖାଯାଏ, ତା’ର ଆଧାରରେ ସୂର୍ଯ୍ୟପରାଗର ନାମ କରଣ ବି ହୋଇଥାଏ । ଯଥା, ପୂର୍ଣ୍ଣଗ୍ରାସ, ଆଂଶିକ ଗ୍ରାସ କିମ୍ବା ବଳୟଗ୍ରାସ ସୂର୍ଯ୍ୟପରାଗ । ଆମେ ଦେଖୁଥିବା ଅଧିକାଂଶ ସୂର୍ଯ୍ୟପରାଗ ଆଂଶିକ ହୋଇଥାଏ । ବିଶେଷ ଅବସ୍ଥାରେ ଚନ୍ଦ୍ରର ପ୍ରଚ୍ଛାୟା ପୃଥିବୀର ଆକାଶର ବେଶ କିଛି ଉପରେ ଶେଷ ହୁଏ । ସୂର୍ଯ୍ୟପରାଗ ମଧ୍ୟରେ ୩୯% ଆଂଶିକ ହୋଇଥିବା ବେଳେ ୨୮% ପୂର୍ଣ୍ଣ ଏବଂ ୩୩% ବଳୟ ସୂର୍ଯ୍ୟପରାଗ ହୋଇଥାଏ । ମହାକାଶ ବିଜ୍ଞାନୀଙ୍କ ମତରେ ପ୍ରତି ୫୪ ବର୍ଷ ୩୪ ଦିନରେ ଥରେ ଏକା ଜାଗାରେ ଓ ଏକା ପ୍ରକାରର ସୂର୍ଯ୍ୟପରାଗ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ୨-୫ ଥର ଏବଂ ପ୍ରତି ଶହେ ବର୍ଷରେ ୨୩୮ଟି ସୂର୍ଯ୍ୟପରାଗ ଦେଖିବାକୁ ମିଳିଥାଏ ।
ବିଜ୍ଞାନର ବିକାଶ ପୂର୍ବରୁ ମଣିଷ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପରି ମହାଜାଗତିକ ଘଟଣାକୁ ବୁଝିବାରେ ଅସମର୍ଥ ଥିଲା । ସେହି କାରଣରୁ ସମାଜରେ ଏହାକୁ ନେଇ ବିଭିନ୍ନ ପ୍ରକାରର କାଳ୍ପନିକ ଧାରଣା ଓ ପୌରାଣିକ କାହାଣୀ ରହି ଆସିଛି । ସାଧାରଣ ମଣିଷ ଏପରିକି ବିଜ୍ଞାନ ପଢ଼ିଥିବା ଶିକ୍ଷିତ ଲୋକେ ବି ସାମାନ୍ୟ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଅଭାବରୁ ଏସବୁକୁ ସହଜରେ ବିଶ୍ୱାସ କରିଥାନ୍ତି ଏବଂ ସେହି ସମୟରେ କେତେକ ଅବୈଜ୍ଞାନିକ ରୀତିନୀତିକୁ ବି ଅବଲମ୍ବନ କରିବା ଦେଖାଯାଇଥାଏ । କିନ୍ତୁ ଆଜି ବିଜ୍ଞାନ ବିଶେଷ କରି ମହାକାଶ ବିଜ୍ଞାନର ବିକାଶ ଫଳରେ ଏଭଳି ମହାଜାଗତିକ ଘଟଣାକୁ ଜାଣିବା ଓ ତା’ର ପଛରେ ରହିଥିବା ବୈଜ୍ଞାନିକ କାରଣକୁ ବୁଝିବା ସମ୍ଭବ ଓ ସହଜ ହୋଇପାରିଛି । ଆଜି ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପିଲାଟିଏ ମଧ୍ୟ ଏହାର କାରଣ ସମ୍ପର୍କରେ କହିପାରିବ ।
ବିଜ୍ଞାନର ଏତେ ଉନ୍ନତି ସତ୍ତ୍ୱେ ତଥା ଚନ୍ଦ୍ରପୃଷ୍ଠକୁ ମହାକାଶ ଯାନ ପଠାଇବା ସତ୍ତ୍ୱେ ଆଜି ବି ଆମ ସମାଜରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣକୁ ନେଇ ଅନେକ ଭୂଲ ଧାରଣା ରହିଛି । ଅନ୍ଧବିଶ୍ୱାସର ଶିକାର ହେବା ଯୋଗୁଁ ସେହିଦିନ ଆମର ଜୀବନଚର୍ଯ୍ୟାଟି ସମ୍ପୂର୍ଣ୍ଣ ବଦଳିଯାଏ । ପରାଗ ସମୟରେ କୌଣସି ଖାଦ୍ୟ ନଖାଇ ପାକତ୍ୟାଗ କରିବା, ଘର ବାହାରକୁ ଯିବାକୁ ବାରଣ କରିବା, ଗ୍ରହଣ ବା ପରାଗ ପରେ ପରେ ଗାଧୋଇ ଶୁଦ୍ଧିଲାଭ କରିବା ଏବଂ ମନ୍ଦିର ଯାଇ ଠାକୁର ଦର୍ଶନ କରିବା ଆମ ଦେଶରେ ଏକ ସାଧାରଣ ପରମ୍ପରା ଭାବେ ରହି ଆସିଛି । ଏପରିକି ଗ୍ରହଣ କିମ୍ବା ପରାଗ ସମୟରେ ଗର୍ଭବତୀ ମହିଳମାନେ ବାହାରକୁ ଗଲେ ସେମାନଙ୍କ ଗ୍ରହଣଖଣ୍ଡିଆ ଛୁଆ ଜନ୍ମ ହେବାର ଆଶଙ୍କା ରହିଛି ବୋଲି ଧରାଯାଏ । କେଉଁ କେଉଁ ସ୍ଥାନରେ ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟପରାଗ ଫଳରେ ପ୍ରାକୃତିକ ବିପର୍ଯ୍ୟୟ ହୋଇଥାଏ ଏବଂ ପୃଥିବୀ ଧ୍ୱଂସ ହେବ ବୋଲି ବି ଲୋକେ ବିଶ୍ୱାସ କରିଥାନ୍ତି । କିନ୍ତୁ ଏସବୁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ନୁହଁନ୍ତି ବରଂ ପ୍ରକୃତିର ଗୋଟିଏ ଗୋଟିଏ ସୁନ୍ଦର ଓ ରୋମାଞ୍ଚଭରା ଦୃଶ୍ୟ ମାତ୍ର ।
ସୂର୍ଯ୍ୟପରାଗର ପ୍ରଭାବ ମଣିଷ କିମ୍ବା ଜୀବଜନ୍ତୁଙ୍କ ଶରୀର ଉପରେ ପଡ଼ି ନଥାଏ । ଚନ୍ଦ୍ରଗ୍ରହଣକୁ ଖାଲି ଆଖିରେ ଦେଖାଯିବାରେ କୌଣସି ଅସୁବିଧା ନଥିବା ବେଳେ ସୂର୍ଯ୍ୟପରାଗକୁ କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଖାଲି ଆଖିରେ ନଦେଖିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଥାନ୍ତି । ତେବେ ଏଥିପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ୍ତ ଚଷମା ବ୍ୟବହାର କରି ଅଥବା ତା’ର ପ୍ରତିବିମ୍ବ ଜରିଆରେ ଦେଖାଯାଇପାରେ । ସେହିପରି ସୂର୍ଯ୍ୟପରାଗ ସହିତ ମଣିଷର ପାଚନ ପ୍ରକ୍ରିୀୟାର କୌଣସି ସମ୍ପର୍କ ନଥିବାରୁ ସେହି ସମୟରେ ଖାଦ୍ୟ ଖାଇବାରେ କିମ୍ବା ମଳମୂତ୍ର ତ୍ୟାଗ କରିବାରେ କୌଣସି ଅସୁବିଧା ନାହିଁ । ଅତଏବ ସେହି ସମୟରେ ଖାଦ୍ୟ ଖାଇଲେ ତାହା ଶରୀର ପାଇଁ କ୍ଷତିକାରକ ହେବ ବୋଲି ଯେଉଁ ଧାରଣା ରହିଛି, ତାହା ଆଦୌ ବିଜ୍ଞାନ ଉପରେ ଆଧାରିତ ନୁହେଁ । ସେହିପରି ସୂର୍ଯ୍ୟପରାଗ ସମୟରେ ବାହାରକୁ ଯିବାରେ କøଣସି ଅସୁବିଧା ନାହିଁ । ଆଜିକାଲି ସରକାର ଓ ବିଜ୍ଞାନରେ ବିଶ୍ୱାସୀ ବିଭିନ୍ନ ସଙ୍ଗଠନମାନଙ୍କ ପକ୍ଷରୁ ସୂର୍ଯ୍ୟପରାଗ ସମୟରେ ତାକୁ ଦେଖିବାକୁ ପ୍ଳାନେଟୋରିୟମ୍ମାନଙ୍କରେ ବିଶେଷ ବ୍ୟବସ୍ଥା କରାଯାଇଥାଏ । ବିଦେଶରେ ସେହିଦିନ ସ୍କୁଲ, କଲେଜମାନଙ୍କରେ ମଧ୍ୟ ବିଶେଷ ବ୍ୟବସ୍ଥାର ଆୟୋଜନ କରି ତାକୁ ଦେଖିବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରାଯାଇଥାଏ ।
ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ମହାକାଶରେ ଛାଇ ଓ ଆଲୁଅର ଖେଳ । ମହାକାଶରେ ଉପସ୍ଥିତ ଗ୍ରହ ନକ୍ଷତ୍ର ବା ବସ୍ତୁ ସମୂହ କୌଣସି ସ୍ୱର୍ଗୀୟ ବସ୍ତୁ ନୁହଁନ୍ତି । ସେସବୁରେ କୌଣସି ଦେବତା ବା ପେଗାମ୍ବର କିମ୍ବା ଅବତାର ବାସ କରନଥାନ୍ତି । ମଣିଷ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଅଭାବରୁ ଗ୍ରହ ନକ୍ଷତ୍ରମାନଙ୍କ ସମ୍ପର୍କରେ ଧର୍ମଗ୍ରନ୍ଥମାନଙ୍କରେ ଦିଆଯାଇଥିବା ଭ୍ରମାତ୍ମକ ବ୍ୟାଖ୍ୟାକୁ ସହଜରେ ବିଶ୍ୱାସ କରି ଆସିଛି । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ମଣିଷ ମନରେ ରହିଥିବା ଉପରୋକ୍ତ ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ୱାସକୁ ଉଜାଗର କରିବାକୁ ଏକ ସୁଯୋଗ ମାତ୍ର । ଅତଏବ ଏପରି ଏକ ମହାଜାଗତିକ ଘଟଣାକୁ ନେଇ ଅନ୍ଧବିଶ୍ୱାସର ଶିକାର ହେବା ପରିବର୍ତ୍ତେ ଆମେ ତା’ରି ସମ୍ପର୍କରେ ସବିଶେଷ ଜାଣିବାର ଓ ତାର ରୋମାଞ୍ଚକର ଦୃଶ୍ୟକୁ ଉପଭୋଗ କରିବା ଦରକାର ।
ଫୋନ୍ : ୮୨୮୦୯୬୯୬୦୭
ଇ-ମେଲ : debadarshini128@gmail.com