ମାଲକାନଗିରି, ୧୩/୦୯(ପିପିଟି) :ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। ମାଲକାନଗିରି ଜିଲ୍ଲାର ଜନଜାତି ବର୍ଗର ମହିଳାଙ୍କ ମଧ୍ୟରେ ମଧ୍ୟ ଏହି ଯୋଜନାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲାରେ ବସବାସ କରୁଥିବା ବଣ୍ଡା ଜନଜାତି ମହିଳାମାନେ ଅଧିକ ସଂଖ୍ୟାରେ ଏହି ଯୋଜନା ପାଇଁ ଆବେଦନ ଜାରି ରଖିଛନ୍ତି। ଖଇରପୁଟ ବ୍ଲକର ୫ ହଜାର ୫ ଶହ ୮୪ ଜଣ ଆବେଦନକାରୀଙ୍କ ମଧ୍ୟରୁ ଅନ୍ଦ୍ରାହାଲ, ମୁଦୁଲିପଡ଼ା, କଦମଗୁଡା, ଖଇରପୁଟ, ପରଖନମାଲା ଓ ରାସବେଡ଼ାର ଅନେକ ବଣ୍ଡା ଜନଜାତି ମହିଳା ଉତ୍ସାହର ସହ ସୁଭଦ୍ରା ଫର୍ମ ପୂରଣ କରିଛନ୍ତି। ସେହିପରି ସୁଭଦ୍ରା ରଥକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି । ମାଲକାନଗିରି ବ୍ଲକର ତମସା, କାଲିମେଳାର ଭୁବନପଲ୍ଲୀ ଓ ତଣ୍ଡାବାଇ, ମାଥିଲିର ତେମୁରପାଲି ସମେତ ବଣ୍ଡାଘାଟିରେ ମଧ୍ୟ ରଥ ବୁଲି ଲୋକଙ୍କୁ ସଚେତନ କରିଛି। ଚିତ୍ରକୋଣ୍ଡାରେ ୫୧୪୨, କାଲିମେଳାରେ ୨୦,୬୮୯, କୋରକଣ୍ଡାରେ ୯୭୫୬, ମାଲକାନଗିରି ରେ ୧୧,୬୫୬, ମାଥିଲିରେ ୭୫୮୫ ଓ ପଡ଼ିଆ ରେ ୪୭୪୭ ଫର୍ମ ପଞ୍ଜିକରଣ କରାଯାଇଛି। ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ୪୮୯ ଓ ମାଲକାନଗିରି ପୌର ପରିଷଦରେ ୨୧୬୯ ଅର୍ଥାତ ଜିଲ୍ଲାରେ ସର୍ବମୋଟ ୬୭,୮୪୮ ଜଣ ମହିଳା ପଞ୍ଜୀକରଣ କରିଛନ୍ତି। ପ୍ରକାଶ ଥାଉ କି ଏହି ରଥ ଚଳିତ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଞ୍ଚଳ ଗୁଡିକରେ ଭ୍ରମଣ କରିବ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)