ସୁବର୍ଣ୍ଣପୁର ,୦୯/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାର ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତା ଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସଚେତନତା ଶିବିର ମଙ୍ଗଳବାର ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ସହକାରୀ ଜିଲ୍ଲାପାଳ ଶ୍ରୀମତୀ ତପସ୍ୱୀନି ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲୋକ ମାନେ ଅଧିକ ସୁଧ ଆଶାରେ ଘରୋଇ ସଂସ୍ଥା ମାନଙ୍କରେ ଅର୍ଥ ଜମାକରି ଶେଷରେ ମୁଳ ଟଙ୍କା ପାଇ ପାରୁ ନାହାଁନ୍ତି । ଏଣୁ ଡାକଘରେ ଥିବା ବିଭିନ୍ନ ଯୋଜନାର ଅର୍ଥ ଜମାକରି ନିଜ ଟଙ୍କାକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନ ଡାକଘରେ ସ୍ବଳ୍ପ ସଞ୍ଚୟ ଯୋଜନାର ସମସ୍ତ ଯୋଜନା ଉପରେ ଆଲୋକପାତ କରିଥିଲେ । ଗତବର୍ଷ ସୁବର୍ଣ୍ଣପୁର ଜିଲ୍ଲାକୁ ରାଜ୍ୟ ସ୍ବଳ୍ପ ସଞ୍ଚୟ ବିଭାଗ ତରଫରୁ ୪୭ କୋଟି ଟଙ୍କାର ଜମା କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଜିଲ୍ଲାର ଏଜେଣ୍ଟ ମାନଙ୍କ ତରଫରୁ ୫୮ କୋଟି ୬୩ ଲକ୍ଷ ଟଙ୍କାରୁ ଅଧିକ ଜମା କରାଯାଇଛି । ସେହିଭଳି ଭାବରେ ସ୍ବଳ୍ପ ସଞ୍ଚୟ ଲଟେରୀ ପାଇଁ ଦୁଇ ଲକ୍ଷ କୁପନ୍ କାଟିବାକୁ ବିଭାଗ ତରଫରୁ କୁହା ଯାଇଥିବା ବେଳେ ୨ଲକ୍ଷ ୪ ହଜାର ୩୩୪ ଲଟେରୀ କୁପନ କଟା ଯାଇଥିଲା । ଚଳିତ ବର୍ଷ ୬୨ କୋଟି ଟଙ୍କାର ଲକ୍ଷ ଧାର୍ଯ୍ୟ କରାଯାଇଛି ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଏଣୁ ସମସ୍ତ ସ୍ବଳ୍ପ ସଞ୍ଚୟ ଏଜେଣ୍ଟ ମାନେ ଓ ଜିଲ୍ଲା ପ୍ରଶାସନର ତରଫରୁ ଏହି ଲକ୍ଷ ହାସଲ କରାଯାଇ ପାରିବ ବୋଲି କହିଥିଲେ ।ଏହା ବ୍ୟତୀତ ସ୍ବଳ୍ପ ସଞ୍ଚୟ ବିଭାଗ ତରଫରୁ ଆସିଥିବା ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଆସନ୍ତା ମାସ ବିନିକା ଓ ଉଲୁଣ୍ଡା ବ୍ଳକରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ଦିନ ଧାର୍ଯ୍ୟ କରା ଯାଇଥିଲା l ପର୍ଯ୍ୟାୟ କ୍ରମେ ଅନ୍ୟ ବ୍ଳକ ମାନଙ୍କରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ପଧାନ କହିଥିଲେ। ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୫୦ ଜଣରୁ ଅଧିକ ଏଜେଣ୍ଟ ଯୋଗଦେଇ ବିଭିନ୍ନ ଅଭାବ ଅସୁବିଧା ଉପରେ ଆଲୋଚନା କରିଥିଲେ । ସ୍ବଳ୍ପ ସଞ୍ଚୟ ବିଭାଗର କର୍ମଚାରୀ ଆଶିଷ କୁମାର ସାହୁ ଓ ସଞ୍ଜୟ କୁମାର ବାରିକ ପ୍ରମୁଖ ସହାୟତା କରିଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ