କବିସୂର୍ଯ୍ୟନଗର,୦୧/୧୧(ପିପିଟି):ଏକା ସମୟରେ ଗୋଟିଏ ବନ୍ଧରେ ଦୁଇଟି ପ୍ରକଳ୍ପ କାର୍ଯ୍ଯ, ମନରେଗା କାର୍ଯ୍ଯରେ ଦୁର୍ନୀତିର ତଦନ୍ତ ପାଇଁ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ହୋଇଛି। କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସୁନାପଲ୍ଲୀ ପଞ୍ଚାୟତରେ ଏହି ଦୁର୍ନୀତି ପଦାକୁ ଆସିଛି। ସୁନାପଲ୍ଲୀ ପଞ୍ଚାୟତର ଅଶିଣପୁର ଗାଁରେ ୨୦୨୦-୨୧ ମସିହାରେ ଗୁଡି ବନ୍ଧ ପୁନରୁଦ୍ଧାର ଓ ଉନ୍ନତିକରଣ ନିର୍ମାଣ ୧୦ଲକ୍ଷ ଟଙ୍କାର କାର୍ଯ୍ଯ ବର୍ତ୍ତମାନ ଚାଲୁରହିଛି। ଗୁଡି ବନ୍ଧ ଏଷ୍ଟିମେଟ ଅନୁଯାଇ କାର୍ଯ୍ଯ ହେଉ ନାହିଁ। ବର୍ତ୍ତମାନ ଉକ୍ତ ଗୁଡି ବନ୍ଧରେ ୨୦୨୨-୨୩ ଆର୍ଥିକ ବର୍ଷରେ ଅମୃତ ସରୋବରାହ କାର୍ଯ୍ଯ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ଯର ଅଟକଳ ମୂଲ୍ଯ ୨୦ଲକ୍ଷ ଟଙ୍କା ରହିଛି। ଅମୃତ ସରୋବରାହ ଗାଇଡ ଲାଇନ ଅନୁଯାଇ କାର୍ଯ୍ଯ ହେଉ ନାହିଁ। ଅଶିଣପୁର ଗାଁର ଗୁଡି ବନ୍ଧ ନିର୍ମାଣ ହେଉଥିବା ଅମୃତ ସରୋବରାହ କାର୍ଯ୍ଯ ସୁଚିନ୍ତିତ ଢଙ୍ଗରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଅଭିଯୋଗ ଉଠାଇ ମୁଖ୍ୟମନ୍ତ୍ରୀ, ମୁଖ୍ଯ ଶାସନ ସଚିବ, ପ୍ରମୁଖ ସଚିବ, ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ, ଜିଲ୍ଲାପାଳ, ଗଞ୍ଜାମ ଓ ଏସପି ଭିଜିଲାନ୍ସ, ବ୍ରହ୍ମପୁରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତରେ ଅବହେଳା ଯୋଗୁଁ ଉଚ୍ଚ ନ୍ୟାୟାଳୟରେ ତଦନ୍ତ ପାଇଁ WP(C)/28879/2022 ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଏଥିରେ ରାଜ୍ଯ ସରକାର,ଜିଲ୍ଲାପାଳ ଗଞ୍ଜାମ,ପ୍ରକଳ୍ପ ନିର୍ଦ୍ଦେଶକ ଗଞ୍ଜାମ,ଏସପି ଭିଜିଲାନ୍ସ , ବ୍ରହ୍ମପୁର, ବିଡ଼ିଓ କବିସୂର୍ଯ୍ୟ ନଗରଙ୍କୁ ପକ୍ଷଭୁକ୍ତ କରାଯାଇଛି। ସମରଜିତ୍ ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ କୁମାର ମହାନ୍ତି ମାମଲା ଦାୟର କରିଛନ୍ତି ।