ବୋଲଗଡ଼,୨୯/୦୭(ପିପିଟି): କେନ୍ଦ୍ରାପଡାରେ ମହିଳା କନେଷ୍ଟବଳଙ୍କ ସାମ୍ବାଦିକଙ୍କୁ ଚାପୁଡା ମାରିବା, ନୟାଗଡରେ ଅବକାରୀ ଅଧିକାରୀ ଦୁଇ ସାମ୍ବାଦିକଙ୍କୁ ଗାଳି ଧମକ ଦେବା,ଜଟଣୀ ସାମ୍ବାଦିକ ସଂଘ କାର୍ଯୟାଳୟର ପାଚେରୀ ଭାଙ୍ଗିବା ଓ ରାଜ୍ୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରୁଛି ପ୍ରେସ୍ କ୍ଲବ ବୋଲଗଡ ।ବୁଧବାର ଦିନ ବୋଲଗଡଠାରେ ସଂଘର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରେସ୍ କ୍ଲବ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ସ୍ୱାଇଁଙ୍କ ଆବାହକତ୍ୱରେ ବୋଲଗଡ, ବେଗୁନିଆ,ରାଜସୁନାଖଳା ଓ ଧଳାପଥର ଅଞ୍ଚଳର ବହୁ ଛାପା,ବୈଦୁତିକ ଏବଂ ୱେବ ମିଡିଆ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ । ଅନୁଷ୍ଠିତ ବୈଠକରେ କରୋନାରେ ଦିବଙ୍ଗତ ସାମ୍ବାଦିକ ମାନଙ୍କ ଆତ୍ମାର ସଦ୍ଗତି କାମନା କରି ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା, ମିଥ୍ୟା କେସରେ ଫସାଇବା ଏବଂ ରାଜନୈତିକ ଚାପ ପକାଇବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଦେଶର ମହାରାଷ୍ଟ୍ର ରାଜ୍ୟଭଳି ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବାପାଇଁ ଦାବି କରାଯାଇଛି । ବୋଲଗଡ,ବେଗୁନିଆ ଅଞ୍ଚଳର ସାମ୍ବାଦିକମାନଙ୍କ ସୁରକ୍ଷାପାଇଁ ବରିଷ୍ଠ ସାମ୍ବାଦିକ ଦୂର୍ଗାପ୍ରସାଦ ଦାସ, ପାଣ୍ଡବ ସାହୁ ଓ ଗଙ୍ଗାଧର ଦାଶ ପ୍ରମୁଖ ଦୃଢ ଦାବି କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅବଦୁଲ ଖଲିକ୍ ଖାଁ, ଶେଖ୍ ନିଜାମ୍, ନିରଞ୍ଜନ ନାୟକ, ଦିଲ୍ଲୀପ କୁମାର ଚଉଧୁରୀ, ମାନସ ପାଣିଗ୍ରାହୀ, ଗଙ୍ଗାଧର ସାହୁ, ଦେବବ୍ରତ ହୋତା, ପ୍ରଫୁଲ କୁମାର ସିଂହ, ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତାରୟ, ଅଶୋକ କୁମାର ପ୍ରଧାନ, ଯଦୁନାଥ ସାମନ୍ତରାୟ, ରାକେଶ ପାଢୀ,ସଞ୍ଜିବ ସେଠୀ,ଗୋବିନ୍ଦ ରଥ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମଟି କରୋନା କଟକଣା ଏବଂ ସାମାଜିକ ଦୂରତା ରକ୍ଷା କରି ଅନୁଷ୍ଠିତ ହୋଇଥିଲା।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)