ବ୍ରହ୍ମପୁର,୩୦/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଥିବା ସାଇବର ଥାନା ଏବେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ପରିଣତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭର୍ଚୁଆଲ ମାଧ୍ୟମରେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା ପୋଲିସ ମୁଖ୍ୟାଳୟରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଆଜିକାଲି ଅନଲାଇନ୍ ମାଧ୍ୟମରେ ବ୍ୟାଙ୍କ୍ ଓ ଆର୍ଥିକ କାରବାର , ଋଣ ନେଣଦେଣ ହେଉଛି । କରୋନା ମହାମାରୀ ପରେ ଲୋକ ମାନେ ଅନଲାଇନ୍ ମାଧ୍ୟମରେ ବିଭିନ୍ନ ସମ୍ପିଂ ସାଇଟରୁ ବହୁଳ ଭାବରେ କିଣାବିକା କରୁଛନ୍ତି । ସେହିକ୍ରମରେ ସାଇବର ଅପରାଧ ବଢୁଥିବା ଲକ୍ଷ୍ୟ କରାଯାଉଛି ବୋଲି ଆରକ୍ଷୀ ଅଧିକ୍ଷକ କହିଥିଲେ । ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଯୋଗୁଁ ଅପରାଧ ମଧ୍ୟ ବଢୁଛି । ଏଣିକି ଏହି ଥାନାରେ ସାଇବର ଅପରାଧ ସହ ଆର୍ଥିକ ଅପରାଧ ସମ୍ବଦ୍ଧୀୟ ସମସ୍ତ ମାମଲା ରୁଜୁ କରାଯିବ । ସେହିପରି ପୂର୍ବରୁ ସାଇବର ଥାନା କ୍ରାଇମବ୍ରାଞ୍ଚ୍ ଅଧୀନରେ ପରିଚାଳିତ ହେଉଥିବା ବେଳେ ଏଣିକି ଜିଲ୍ଲା ପୋଲିସ ଦ୍ଵାରା ପରିଚାଳିତ ହେବ ବୋଲି ଆରକ୍ଷୀ ଅଧିକ୍ଷକ କହିଥିଲେ । ବର୍ତ୍ତମାନ ବଡ଼ବଜାର ଥାନା ନିକଟ ଏକ କୋଠାରେ ଅସ୍ଥାୟୀ ଭାବେ ଏହି ଥାନା ଚାଲୁଥିବା ବେଳେ ନୂତନ କୋଠା ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ବୈଦ୍ୟନାଥପୁର ଥାନା ନିକଟରେ ଥିବା ଜାଗାରେ କୋଠା ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ପ୍ରସ୍ତାବ ଦେଇଥିଲେ ଆରକ୍ଷୀ ଅଧିକ୍ଷକ ।
(ରିପୋର୍ଟ- ଆରତ କୁମାର ହୋତା। )
Next Post