ସରସ୍ୱତୀ ଶିଶୁ ମନ୍ଦିରର ଗଣିତ ଶିକ୍ଷକଙ୍କୁ ହତ୍ଯା ।

0 224

ମାଲକାନଗିରି,୦୧/୦୧(ପିପିଟି): ନୂଆବର୍ଷ ଆରମ୍ଭର ପ୍ରଥମ ଦିନରେ ମାଲକାନଗିରି ଜିଲ୍ଲାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍କୁଲ ପିଅନର ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତ ଶିକ୍ଷକ ଜଣକ ହେଲେ ନିରାକାର ସେଠୀ। ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗଣିତ ଶିକ୍ଷକ ନିରାକାର ସେଠୀ ରବିବାର ସକାଳେ ବିଦ୍ୟାଳୟକୁ ଯାଇ ଥିଲେ। ବିଦ୍ୟାଳୟ ଗେଟ ଖୋଲା ଥିବାରୁ ସେଠାରେ ରହୁଥିବା ସ୍କୁଲ ପିଅନ ନରେଶ କ୍ଷେତ୍ରୀୟଙ୍କୁ କାହିଁକି ଗେଟ ଖୋଲା ରଖିଛ ଗଛ ଗାଈ ଖାଇଯିବ ବୋଲି କହିଥିଲେ । ଏହି ସମୟରେ ପିଅନ ନରେଶ ଖାଇ ବସିଥିଲା । ସେ ହଠାତ ରାଗିଯାଇ ମୋତେ କଣ ଖାଇବାକୁ ଦେବ ନାହିଁ କହି ସେଠାରେ ଥିବା ଏକ ଟାଙ୍ଗିଆରେ ଶିକ୍ଷକ ନିରାକରଙ୍କ ମୁଣ୍ଡ ଓ ବେକକୁ ଚୋଟ ପକାଇ ଥିଲା। ଶିକ୍ଷକ ଛଟପଟ ହୋଇ ଚିତ୍କାର କରିବାରୁ ନିକଟରେ ଥିବା କିଛି ବ୍ୟକ୍ତି ଅନ୍ୟ ଶିକ୍ଷକଙ୍କୁ ଫୋନ ଡାକିଥିଲେ। ସେମାନେ ସେଠାରେ ପହଁଛି ନିରାକାରଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନିରାକାରଙ୍କ ମୃତ୍ୟୁ ଘଟିଛି।
ପିଅନ ନରେଶ ନିଜେ ଥାନାରେ ପହଞ୍ଚି ନିରାକର ଗୁରୁଜୀ ସବୁବେଳେ ଗାଳି ଦେଉଥିବାରୁ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଛି ବୋଲି କହି ଆତ୍ମ ସମର୍ପଣ କରିଛି। ମାଲକାନଗିରି ଥାନା ଅଧିକାରୀ ରିଙ୍ଗନ କିଣ୍ଡୋ ପୋଲିସ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ପିଅନ ନରେଶଙ୍କୁ ପୋଲିସ ଥାନରେ ଅଟକ ରଖି ପଚରା ଉଚରା ଜାରି ରଖିଛି।
ନିରାକାର ସେଠୀ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଜଣେ ଉତ୍ତମ ପରୋପକାରୀ ଶିକ୍ଷକ ଥିବାରୁ ତାଙ୍କ ମୃତ୍ୟୁରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସହିତ ମାଲକାନଗିରି ସହରରେ ଶୋକର ଛାୟା ଖେଳିଯାଇଛି। ନିରାକରଙ୍କ ନିଜ ଘର ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ବୋଲି ଜଣା ପଡିଛି। ସେ ବାପା ମାଆଙ୍କର ଗୋଟିଏ ମାତ୍ର ପୁଅ। ସେ ବିବାହିତ ଥିବା କୁହାଯାଇଛି।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.