ସମସ୍ତ ପ୍ରକାର ଫିସ୍ ଛାଡ଼ ଦାବିରେ ଅଲ୍‌ ଇଣ୍ଡିଆ ଡି.ଏସ୍‌.ଓ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ଦାବିପତ୍ର ।

0 72

ହିଞ୍ଜିଳିକାଟୁ,ତା-୧୫/୦୯(ପିପିଟି) ; ଆଜି ଅଲ୍‌ ଇଣ୍ଡିଆ ଡି ଏସ୍‌ ଓ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ସରକାରୀ , ବେସରକାରୀ ସ୍କୁଲ , କଲେଜ ଓ ବିଶ୍ଵବିଦ୍ୟାଳୟ ମାନଙ୍କର ସମସ୍ତ ପ୍ରକାର ଫିସ୍ ଛାଡ କରିବା ଦାବିରେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରି ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କରୋନା ମହାମାରୀର କରାଳ ରୂପ ସମଗ୍ର ଦେଶ ସହ ଆମ ରାଜ୍ୟକୁ ମଧ୍ୟ ଗ୍ରାସ କରିବାରେ ଲାଗିଛି । କୋଭିଡ଼-୧୯ ର ପ୍ରକୋପକୁ ଆୟତ୍ତକୁ ଆଣିବା ପାଇଁ ଦେଶକୁ ସମ୍ପୁର୍ଣ୍ଣ ଲକଡାଉନ କରାଯାଇଥିଲା ଦୀର୍ଘଦିନ ଧରି କଳକାରଖାନା , ଦୋକାନ ବଜାର, ଅଫିସ୍ ବନ୍ଦ କରି ଦିଆଯାଇଥିଲା । ଫଳରେ କୋଟି କୋଟି ଲୋକ ସେମାନଙ୍କ ଜୀବନ ଜୀବିକା ହରାଇଛନ୍ତି । ନିଜ ପାଇଁ ଦୁଇଓଳି ଦୁଇମୁଠା ଖାଦ୍ୟ ଯୋଗାଡ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି । ବର୍ତ୍ତମାନ ଲକଡାଉନ ଖୋଲିଯିବା ପରେ ମଧ୍ୟ ଦେଶର ଅର୍ଥନୈତିକ ସ୍ଥିତି ଅଣାୟତ୍ତ ସହ କର୍ମସଂସ୍ଥାନରବି ଘୋର ଅଭାବ ଦେଖାଦେଇଛି। ରାଜ୍ୟରେ କରୋନା ପରିସ୍ଥିତି ସାମାନ୍ୟ ନ ଥିବା ବେଳେ ଅନ୍ୟ ଦିଗରେ ଆମ ରାଜ୍ୟର ଅଧିକାଂଶ ଅଞ୍ଚଳ ବନ୍ୟା ପ୍ଳାବିତ ହୋଇଛି । ଫଳରେ ଅଧିକାଂଶ ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ଏହିଭଳି ଆର୍ଥିକ ଦୂରାବସ୍ଥା ସମୟରେ ସରକାର ବେସରକାରୀ ଓ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଫିସ୍ ଛାଡ଼ କରିବା ଉଚିତ କିନ୍ତୁ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଫିସ୍ ଛାଡ଼ କରିବା ବଦଳରେ ଉପରନ୍ତୁ ଫିସ୍ ବୃଦ୍ଧି ହେବାରେ ଲାଗିଛି । ଘରୋଇ ଶିକ୍ଷାନୁଷ୍ଠାନମାନେ ଅନଲାଇନ ଶିକ୍ଷାର ଭେଳିକି ଦେଖାଇ ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ, ମାନସିକ ଓ ଶାରୀରିକ ଭାବେ ଚାପ ପକାଇ ଚାଲିଛନ୍ତି । ତେଣୁ ଗରିବ ନିମ୍ନ ମଧ୍ୟବିତ୍ତ ଘରର ଛାତ୍ରଛାତ୍ରୀମାନେ ଫିସ୍ ଦେଇ ନ ପାରି ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏଣୁ ଏଭଳି ଏକ ପରିସ୍ଥିତିରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ , କଲେଜ ,ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ସମସ୍ତ ପ୍ରକାର ଫିସ୍ ତୁରନ୍ତ ଛାଡ଼ କରିବା ପାଇଁ ଅଲ୍‌ ଇଣ୍ଡିଆ ଡି.ଏସ୍‌.ଓ ପକ୍ଷରୁ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଲ୍‌ ଇଣ୍ଡିଆ ଡି.ଏସ୍‌.ଓ ଗଞ୍ଜାମ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ , ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ସଭାପତି ଡି. ତିରୁପତି ଦୋରା , ସମ୍ପାଦକ ନାରାୟଣ ସାହୁ ,ପପୁନ ସାହୁ, କିସାନ କୁମାର ସାହୁ, କାମରାଜୁ ସାହୁ, ସୌମ୍ୟରଞ୍ଜନ ଗୌଡ, ବିଭୂତି ଭୂଷଣ ସାହୁ ଆଦି କର୍ମକର୍ତ୍ତା ଓ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.