କୋଦଳା,୦୫/୧୨(ପିପିଟି):ବାତ୍ୟାର ଭୟ ଛାଡିଗଲା କିନ୍ତୁ ଚାଷୀଙ୍କ ଦୁଃଖ ବଢିଗଲା । ଦୁଇଦିନ ଧରି ଲଗାଣ ବର୍ଷା । ବର୍ଷା ଛାଡିବାର ନା ନେଉନାହିଁ । ଚାରିଆଡେ କେବଳ ପାଣି ହିଁ ପାଣି । ସତେ ଯେପରି ଧାନ କ୍ଷେତ ନୁହଁ କୃତ୍ରିମ ହ୍ରଦର ଭ୍ରମ ଶୃଷ୍ଟି ହେଉଛି । ଜମିକୁ ଯାଇ ନ ପାରି ହୁଡା ଉପରୁ ଚାଷୀଙ୍କ କ୍ରନ୍ଦନ । କିଛିଦିନ ପୂର୍ବେ ଲଗାଣ ବର୍ଷାରେ ଅଧିକାଂଶ ଚାଷଜମିରେ ପାଣି ପଶି କାଟା ଯାଇଥିବା ପାଚିଲା ଧାନ ନଷ୍ଟ ହୋଇଯାଇଥିବା ବେଳେ ବର୍ତ୍ତମାନର ଲଗାଣ ବର୍ଷାରେ ଯାହା କିଛି ବଞ୍ଚିଥିଲା ସେ ବି ନଷ୍ଟ ହୋଇଗଲା । ବର୍ଷ ଯାକର କଷ୍ଟ ଓ କରିଥିବା ଋଣ କିପରି ଶୁଝିବେ। ଏମିତି ଭୟବହ ଦୃଶ୍ୟମାନ ଦେଖାଦେଇଛି ବେଗୁନିଆପଡା ବ୍ଲକ ଓ କୋଦଳା ଅଞ୍ଚଳରେ । ଏହି ବର୍ଷ ଭଲ ଆଦାୟ ହେବ ବୋଲି ଚାଷୀ ଆଶା କରିଥିବା ବେଳେ ସତେ ଯେମିତି ତାଙ୍କ ପରିବାର ଉପରେ ଭାଗ୍ୟ ଦାଉ ସାଧୁଛି,ଅକାଳ ଚଡକ ପଡିବା ଭଳି ତାଙ୍କ ଆଶା ଧୂଳିସାତ ହୋଇଯାଇଛି ।କେମିତି ପରିବାର ଚଲାଇବେ,ସାହୁକାର ର ମାହାସିଲ କେମିତି ଦେବେ,ଋଣ କେମିତି ସୁଝିବେ ସେହି ଚିନ୍ତାରେ ଭାଙ୍ଗି ପଡିଛନ୍ତି ଚାଷୀ । ଚାଷୀଙ୍କ ଋଣ ଛାଡ଼ କରିବା ସହିତ କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଗୁହାରି କରୁଛନ୍ତି ଚାଷୀ । ବର୍ଷା ଟିକେ କମିବା ପରେ ତହସିଲଦାର ସସ୍ମିତା ଶତପଥୀ ନିଜ କର୍ମଚାରିଙ୍କୁ ନେଇ ଅଞ୍ଚଳର ସମସ୍ତ ଚାଷ ଜମି ପରିଦର୍ଶନ କରିଛନ୍ତି ଏବଂ ସୋମବାର ସୁଦ୍ଧା ଧାନ ଜମିର କ୍ଷୟ କ୍ଷତି ଅନୁଧ୍ୟାନ କରି ନିଜ ନିଜ ସର୍କଲର ରିପୋର୍ଟ ପ୍ରଦାନ କରିବାକୁ ଆର ଆଇ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ରିପୋର୍ଟ ମିଳିବା ପରେ କ୍ଷତିପୂରଣ ବାବଦ ରେ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୂର୍ଯ୍ୟ ନାରାୟଣ ବଡୁ)