ରୁପା ବ୍ୟାଗ ଚୋରି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପାଟପୁର ପୋଲିସ ।

0 5,159

ସାନଖେମୁଣ୍ଜି,୩୦/୧୦(ପିପିଟି):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ପ୍ରତାପଗିରି ଗ୍ରାମରୁ ଜଣେ ରୁପା ବ୍ୟବସାୟୀଙ୍କ ଗାଡିରୁ ରୁପା ବ୍ୟାଗ ଚୋରି କରିଥିବା ଅଭିଯୋଗରେ ଶୁକ୍ରବାର ସ୍ଥାନୀୟ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ଜଣକ ହେଲେ ଆସିକା ଥାନା କାଳଷଣ୍ଢପୁର ଗ୍ରାମ ଷ୍ଟାଡିୟମ ସାହିର ଡି.ଶ୍ରୀନିବାସ ଓରଫ ବଂଶୀ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ନିକଟରୁ ଚୋରୀ ରୁପା ଅଳଙ୍କାର ସମେତ ବ୍ୟବହୃତ ବାଇକ ଜବତ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ ସୂଚନା ପ୍ରଦାନ କରିଛନ୍ତି । ଖବର ଅନୁସାରେ ଗତ ଅକ୍ଟୋବର ୧୮ ତାରିଖ ସକାଳ ୮ ଘଣ୍ଟା ସମୟରେ ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ମୁରଲୀ ସାହୁ ନାମକ ରୁପା ବ୍ଯବସାୟୀ ନିଜ ବାଇକ ଯୋଗେ ଅଳଙ୍କାର ବିକ୍ରି କରିବା ପାଇଁ ନିକଟସ୍ଥ ଗ୍ରାମ ପ୍ରତାପଗିରି ଗ୍ରାମକୁ ଯିବା ସମୟରେ ଶ୍ରୀନିବାସ ଓ ତାର ଅନ୍ୟ ସହଯୋଗୀ ଚୋରି କରିବା ନିମନ୍ତେ ଯୋଜନା କରିଥିଲେ । ଏହାପରେ ସେମାନେ ଏକ ଗ୍ଲାମର ବାଇକ ( ଓଡି ୩୨ ଏ ୨୯୪୯ ) ଯୋଗେ ପିଛା କରିଥିଲେ । ତେବେ ବ୍ୟବସାୟ ଜଣକ ଉକ୍ତ ଗ୍ରାମରେ ପହଞ୍ଚି ନିଜ ବାଇକ ରଖି ଜଣକ ଘରକୁ କଥାବାର୍ତ୍ତା ନିମନ୍ତେ ଯାଇଥିଲେ । ଏହାର ସୁଯୋଗ ନେଇ ଦୁଇ ଲୁଟେରା ରୁପା ବ୍ୟାଗଟିକୁ ନେଇ ଦ୍ରୁତ ଗତିରେ ସେଠାରୁ ଚମ୍ପଟ ମାରିଥିଲେ । ଘଟଣାପରେ ମୁରଲୀ ପରଦିନ ପାଟପୁର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଆସିକା ଏସଡିପିଓ ଉମାଶଙ୍କର ସିଂ ଙ୍କ ନେତୃତ୍ୱରେ ଅପରାଧୀକୁ ଧରିବା ପାଇଁ ଆସିକା ଓ ପାଟପୁର ଥାନା ଅଧିକାରୀଙ୍କୁ ନେଇ ଦୁଇଟି ଟିମ୍ ଗଠନ କରାଯାଇଥିଲା । ଏହାପରେ ଦୁଇ ଥାନା ଅଧିକାରୀଙ୍କ ନେତୃତ୍ବରେ ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିବା ବେଳେ ପୋଲିସ ସନ୍ଦେହ କରି ଶ୍ରୀନିବାସକୁ ଉଠାଇ ଆଣି ଜେରା କରିବା ପରେ ଅଭିଯୁକ୍ତ ସମସ୍ତ ଦୋଷ ସ୍ବୀକାର କରିଥିଲା । ଏହାପରେ ଅଭିଯୁକ୍ତଙ୍କ ନିକଟରୁ ୧୨ ଗୋଟି ରୁପା ଖଡ଼ୁ , ୨୬୦ ଗୋଟି ଗୋଡ ମୁଦି , ୧୪ ଗୋଟି ରୁପା ଚେନ , ୫୭ ରୁପାର ହାତମୁଦି , ୬୨ ଗୋଟି ରୁପାର ପାଉଁଜି ଖଡ଼ି , ୪ ଗୋଟି ରୁପା ଲକେଟ୍ , ୨ ଗୋଟି ରୁପାର ବ୍ରେସଲେଟ ଏବଂ ୧୧୮ ଗୋଟି ରୁପାର ପାଉଁଜି ସମେତ ଚୋର ମାନେ ବ୍ୟବହାର କରିଥିବା ମୋଟର ସାଇକେଲ ଜବତ କରିଛି । ପୋଲିସ ଅଭିଯୁକ୍ତର ବୟାନକୁ ଆଧାର କରି ଥାନା ମାମଲା ନଂ ୩୪୮/୨୧ ଅନୁସାରେ ମାମଲା ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଆସ୍କା ଏସ.ଡି.ପିଓ ଉମା ଶଙ୍କର ସିଂ ଙ୍କ ଉପସ୍ଥିତିରେ ଅତିରିକ୍ତ ଏସପି କହିଛନ୍ତି । ତେବେ ଚୋରୀ ଅଳଙ୍କାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ପୋଲିସ ଅନ୍ୟ ଅପରାଧୀଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି କହିଥିବା ବେଳେ ତଦନ୍ତରେ ବାଧା ସୃଷ୍ଟି ହେବା ନିମନ୍ତେ ଅଭିଯୁକ୍ତଙ୍କ ନାମ ଗୋପନ ରଖିଥିବା ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.