ଭୁବନେଶ୍ବର,୨୪/୧୨: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନୟାଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ମହାପାତ୍ର ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକରି ସେଠାରେ ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।
ପରେ ଶ୍ରୀ ମହାପାତ୍ର ନିର୍ମାଣଧିନ କୁସୁମୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଥିଲେ। ପ୍ରାୟ ତିନି ଶହ କୋଟି ଟଙ୍କା ବ୍ଯୟରେ ନିର୍ମିତ ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ହଜାର ହଜାର ହେକ୍ଟର ଚାଷ ଜମି ଜଳସେଚନ କରାଯାଇପାରିବ । ଏହାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବା ସହ ଜଳସେଚନ ପାଇଁ ପାଇପ ଲାଇନ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହାପରେ ମୁଖ୍ୟ ଶାସନ ସଚିବ ଶରଣକୁଳ ଝାଡେଶ୍ବରୀ ଇକୋ ଟୁରିଜିମ ପ୍ରକଳ୍ପ, ରାମସାଗର ପାର୍କ, ନନ୍ଦିଘୋର ସାଗର ପୋଖରୀ ଏବଂ ଓଡଗାଁସ୍ଥିତ ରଘୁନାଥଜୀଉ ମନ୍ଦିର ଗସ୍ତ କରିଥିଲେ। ରଘୁନାଥଜୀଉଙ୍କ ଦର୍ଶନ ପରେ ମନ୍ଦିର ଉନ୍ନତିକରଣ ନିମନ୍ତେ ସେବାୟତ ମାନଙ୍କ ବିଭିନ୍ନ ଦାବି ଉପରେ ସେମାନଙ୍କ ସହ ଆଲୋଚନା କରିଥିଲେ।