ମାଲକାନଗିରି,୨୮/୧୧(ପିପିଟି):
ମିଥ୍ଯା ଏନକାଉଣ୍ଟର ପ୍ରତିବାଦ ରେ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ତରଫରୁ ମୁଖ୍ଯ ମନ୍ତ୍ରୀଙ୍କୁ ୪ ଦଫା ସମ୍ବଳିତ ଦାବିପତ୍ର ଆଜି ପ୍ରଦାନ କରାଯାଇଛି। ଗତ ୧୦ ତାରିଖ ରାତ୍ରରେ ମାଲକାନଗିରି ଜିଲ୍ଲା ସୀମାନ୍ତ ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦର ଗାଁରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବେଳେ ପୋଲିସର ଏନ କାଉଣ୍ଟରରେ ମାଥିଲି ଅଞ୍ଚଳର ଧନ କମାର ନାମକ ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଥିଲା । ତାକୁ ମାଓବାଦୀର ରୂପ ଦେଇ ପୋଲିସ ଘଣ୍ଟ ଘୋଡାଉଥିବା ବେଳେ କଂଗ୍ରେସ ମିଥ୍ଯା ଏନକାଉଣ୍ଟର ବୋଲି ଅଭିଯୋଗ କରିଛି। ଏହି ଘଟଣାର ସିବିଆଇ ତଦନ୍ତ,ମୃତ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା,ଏହି ଏନକାଉଣ୍ଟର ଘଟଣାରେ ସାମିଲ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ନିରିହ ଆଦିବାସୀଙ୍କୁ ମାଓବାଦୀ କହି ମିଥ୍ୟା ମକଦ୍ଦମାରେ ଜଡିତ କରବା ଘଟଣାରୁ ନିବୃତ୍ତ ରହିବା ପାଇଁ କଂଗ୍ରେସ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି। ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ ଭଵନ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଏସପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରକାଶ ଥାଉ କି, ଗତ ୧୦ ତାରିଖ ରାତ୍ରରେ ମାଲକାନଗିରି ସୀମାନ୍ତ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲରେ ପୋଲିସ ମଓବାଦୀ ଗୁଳିବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁବରଣ କରିଥିବା ପୋଲିସ ଏକ ନାଟକ ରଚନା କରିଥିଲା। କିନ୍ତୁ ପରବର୍ତ୍ତି ସମୟରେ ମୃତ ପରିବାର ଲୋକେ ଏହାକୁ ଖଣ୍ଡନ କରି ଏହା ମିଥ୍ୟା ଏନକାଉଣ୍ଟର ବୋଲି ଦାବି ଅଭିଯୋଗ କରିଥିଲା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ନିକଟସ୍ଥ ସର୍ଗିଗୁଡା ଗ୍ରାମର ମୃତ ଧନ କମାର ଜଣେ ଦିନ ମଜୁରିଆ ହୋଇଥିବା ବେଳେ କାମ ଅଭାବରୁ ବେଳେ ବେଳେ ଗଞ୍ଜେଇ ଦଲାଲଙ୍କ ସହ କିଛି ମଜୁରି ପାଇବା ପ୍ରଲୋଭନରେ ରାତ୍ର କାଳିନ ସମୟରେ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଭାର ବୋହିବାକୁ ଯାଇଥିଲା।ମାଓବାଦୀଙ୍କ ସହ କୌଣସି ପ୍ରକାର ସମ୍ପର୍କ ନାହିଁ। ପୋଲିସ ନିଜର ବାହାଦୁରି ଦେଖାଇବା ପାଇଁ ଏହି ହତ୍ଯା କାଣ୍ଡକୁ ମାଓବାଦୀ ରୂପ ଦେଇ ନାଟକ ରଚନା କରିଥିଲା ବୋଲି ପରିବାର,ଗ୍ରାମବାସୀ ଓ କଂଗ୍ରେସ ଦଳ ପକ୍ଷରୁ ଆଜି ମାଲକାନଗିରି ସହରରେ ଏକ ବିରାଟ ଶୋଭାଯାତ୍ରା କରାଯାଇ କୋରାପୁଟ ପୋଲିସଙ୍କୁ ଭର୍ତ୍ସନା କରିଥିଲା। ଏହା ପୂର୍ବରୁ ଗତ କିଛିଦିନ ତଳେ ସର୍ଗିଗୁଡା ଭେଜଗୁଡା ଗ୍ରାମର ଶତାଧିକ ଆଦିବାସୀ ମହିଳା ପୁରୁଷ ପିଲାଛୁଆ ଧରି କତାମେଟା ଛକ ୩୨୬ ନମ୍ବର ଜାତୀୟ ରାଜପଥ ଠାରେ ପ୍ରତିବାଦ କରି ରାସ୍ତା ରୋକ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post