ମାଲକାନଗିରି,୧୦/୧୧(ପିପିଟି): ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମାଲ୍ୟବନ୍ତ ମହୋତ୍ସବ-୨୦୨୨ ଆୟୋଜନ ଲାଗି ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସର୍ବସମ୍ମତି କ୍ରମେ ୯ ଜାନୁୟାରୀରେ ମତ୍ସ୍ୟତୀର୍ଥ ଆମାକୁଣ୍ଡ ଠାରୁ ଏହି ମହୋତ୍ସବର ଉଦଘାଟନ କରି ୧୫,୧୬,୧୭,୧୮,୧୯ ଜାନୁୟାରୀ,୨୦୨୩ ରେ ଡି.ଏନ.କେ ଖେଳ ପଡିଆଠାରେ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଳନ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବ୍ଲକ ସ୍ତରରେ ୯,୧୦ ଏବଂ ୧୧ ଜାନୁୟାରୀ ୨୦୨୩ ତିନି ଦିନ ଧରି ମାଲ୍ଯବନ୍ତ ମହୋତ୍ସବକୁ ପାଳନ କରାଯିବ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନୀ ଉପସ୍ଥିତ ରହି ମହୋତ୍ସବ ସମୟରେ ନିଜର ମୂଲ୍ୟବାନ ସାମଗ୍ରୀକୁ ଯତ୍ନ ସହକାରେ ରଖିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଉପସ୍ଥିତ ସଦସ୍ୟମାନେ ମହୋତ୍ସବ ମାଧ୍ୟମରେ ଲୋକକଳାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପଳ ମହେଶ୍ୱର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ, ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ମିଲର୍ସ ସଂଘ, ସାମ୍ୱାଦିକ ସଂଘ, ଜିଲ୍ଲା କଳା ସଂସ୍କୃତି ସଂଘ, ଚ୍ୟାମ୍ୱର ଅଫ୍ କମର୍ସର ସଦସ୍ୟଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post