ମାଲ୍ୟବନ୍ତ ମହୋତ୍ସବ ପାଇଁ ଆଦିବାସୀ ଲୋକନୃତ୍ୟକୁ ଚୟନ ।

0 142

ମାଲକାନଗିରି,୦୩/୦୧(ପିପିଟି): ଜିଲ୍ଳାର ପାରମ୍ପରିକ ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଆୟୋଜନ ହେଉଛି ମାଲ୍ୟବନ୍ତ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଦିବାସୀ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗୀତା ଆୟୋଜନ ହୋଇଯାଇଛି। ଏହି ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଲକାନଗିରିର ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ବିଶାଲ ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧ୍ୱୱାନି, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ଉପ ଜିଲ୍ଲାପାଳ ତଥା ସଂସ୍କୃତି କମିଟିର ଅଧ୍ୟକ୍ଷ ଅକ୍ଷୟ କୁମାର ଖେମୁଣ୍ଡୁ ,ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତ୍ରିନାଥ ମାଝୀ ଯୋଗ ଦେଇ ଉଦଘାଟନ କରିଛନ୍ତି । ଅତିଥିମାନଙ୍କ ଦ୍ବାରା ମାଲ୍ୟବନ୍ତ ମହୋତ୍ସବ-୨୦୨୨ର ପ୍ରଚାର ପତ୍ରକୁ ଉନ୍ମୋଚନ କରିଛନ୍ତି । ଆମ ଓଡିଶାର ଆଦିବାସୀ ନୃତ୍ୟ ସବୁଠାରୁ ସ୍ୱତନ୍ତ୍ର ଏବଂ ଅନନ୍ୟ ବୋଲି ଜିଲ୍ଲାପାଳ ବିଶାଲ ସିଂ ପ୍ରକାଶ କରିଥିଲେ। ନିଜ ସଂସ୍କୃତି ଓ ପରମ୍ପରାକୁ ନେଇ ଆମେ ଗର୍ବ କରିବା ଉଚିତ୍ । ପାରମ୍ପରିକ ଲୋକ ସଂସ୍କୃତି ଓ ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ଅନନ୍ୟ ପଦକ୍ଷେପ ବୋଲି ସମସ୍ତ ଅତିଥିମାନେ ମତ ଦେଇଥିଲେ । ସେହିପରି ଉପ ଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ସ୍ଵାଗତ ଭାଷଣ ପ୍ରଦାନ କରି ମାଲକାନଗିରି ମାଟିରେ ରହିଥିବା କଳା ଓ ସଂସ୍କୃତିର ମହାନତା ବିଷୟରେ ଆଲୋକପାତ କରିଥିଲେ । ଏହି ଲୋକ ନୃତ୍ୟ ପ୍ରତିଯୋଗୀତାରେ ୭ ଟି ବ୍ଲକରୁ ୧୭ ଗୋଟି ଦଳ ଭାଗ ନେଇଥିଲେ। ଜିଲ୍ଳାର ବଣ୍ଡା,କୋୟା,ଦିଦାୟୀ, ପରଜା,କନ୍ଧ,ସାନ୍ତାଳୀଙ୍କ ସମେତ ବିଭିନ୍ନ ଜନଜାତି ଆଜି ଏହି ପାରମ୍ପରିକ ନୃତ୍ୟରେ ସାମିଲ ହୋଇଥିଲେ । ପାରମ୍ପରିକ ବେଶଭୂଷା ଓ ବାଦ୍ୟ ଯନ୍ତ୍ର ନେଇ ସେମାନେ ଏହି ନୃତ୍ୟ ପରିବେଷଣ କରିଥିଲେ। ଆଜିର ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଦଳଗୁଡିକ ମାଲ୍ୟବନ୍ତ ମହୋତ୍ସବ ମୁକାଶ ରଙ୍ଗ ମଞ୍ଚରେ ସେମାନଙ୍କ ନୃତ୍ୟକଳା ପରିବେଶଣ କରିବେ। ଏହି ନୃତ୍ୟ ପ୍ରତିଯୋଗୀତାରେ ଗୁରୁ ପଞ୍ଚାନନ ମିଶ୍ର, ଆନନ୍ଦ ଦାସ ଏବଂ ଘେନୁ ମୁଦୁଲି ବିଚାରକ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହାୟକ ଜିଲ୍ଲାପାଳ ସାଗରିକା ସାହୁ,କର୍ମ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ,ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଅବସରପ୍ରାପ୍ତ ତହସିଲଦାର ଶଶାଙ୍କ ମିଶ୍ର,ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ,ପୂର୍ଣ୍ଣିମା ଡୁରୁକା,ବିନାଶ ମିଶ୍ରୀ ଉପସ୍ଥିତ ଥିଲେ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.