ମାଲକାନଗିରି,୨୭/୧୦(ପିପିଟି): ରାଜ୍ଯ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବା ଉଦ୍ଦେଶ୍ଯରେ ବିଭିନ୍ନ ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ଦେବାର ନୀତି ନିର୍ଦ୍ଧାରଣ କରିଛନ୍ତି। ସେହିପରି ମାଲକାନଗିରି ପୌରପରିଷଦ ଅଧିନରେ ଥିବା ବିଭିନ୍ନ ୱାର୍ଡ ଗୁଡିକରେ ମୁକ୍ତା ଯୋଜନାରେ କାମ କରିବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ ସେମାନଙ୍କୁ ଉନ୍ନୟନ କାର୍ଯ୍ୟ ନିର୍ଦ୍ଧାରିତ ଅର୍ଥ ଦିଆଯାଉ ନାହିଁ । ପ୍ରତି କାର୍ଯ୍ୟର ବିଲ ପ୍ରସ୍ତୁତ କରିବା ପାଇଁ ଏକ ଲକ୍ଷ୍ଯ ଟଙ୍କା ରେ ୨୦ ରୁ ୩୦ ହଜାର ଟଙ୍କା ପିସି କାଟି ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାମ ଦିଆଯାଉ ଥିଲେ ମଧ୍ୟ ସେମାନଙ୍କୁ କାର୍ଯ୍ଯାଦେଶ ପ୍ରଦାନ କରା ଯାଉନଥିବା ଆଜି ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପୌରପରିଷଦ ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହି ପରି ମାଲକାନଗିରି ସହରରେ ଥିବା ମହିଳାଙ୍କ ବିକାଶ ପାଇଁ ମୁକ୍ତା ଯୋଜନା ମାଧ୍ୟମରେ ଆସୁଥିବା କାର୍ଯ୍ୟର ସୁବିଧା ପାଇ ପାରୁନାହାନ୍ତି । ଖାଲି ଲୋକ ଦେଖାଣିଆ ଭାବେ ମୁକ୍ତା ଯୋଜନା ମାଧ୍ୟମରେ ସଦରରେ ପୋଖରୀ , ଜଳ ସଂରକ୍ଷଣ କାମ ଭଳି ଅନେକ କାମ ଏହି ମହିଳାମାନଙ୍କୁ ଦିଆ ହେଉଛି । କିନ୍ତୁ କାମ ଗୁଡିକର ୱାର୍କ ଅର୍ଡର ଦେଉନଥିବା ଯୋଗୁଁ ମହିଳାମାନେ ସଠିକ କାମ ପାଉ ନାହାଁନ୍ତି । ଯେଉଁ କାମ ହେଉଛି ସେହି କାମର ପ୍ରାପ୍ୟ ଟଙ୍କା ମଧ୍ୟ ପାଉ ନଥିବା ଏବଂ କିଛି କାମ ସରିଗଲେ ବିଲ କରିବା ସମୟରେ ୨୦ ରୁ ୩୦ ହଜାର ଟଙ୍କା କର୍ମଚାରୀ ଯନ୍ତ୍ରୀମାନେ ପିସି ଆକାରରେ କାଟି ରଖୁଛନ୍ତି ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ମହିଳା ମାନେ ଭେଟି ଅଭିଯୋଗ କରିଛନ୍ତି ।
ବିନା ୱାର୍କ ଅଡ଼ର୍ରେ କାମଦେବା ଓ ଗ୍ରୁପ ସଦସ୍ୟ ନାଁରେ ଅନ୍ୟ ଲୋକଙ୍କୁ କାମଦେବା, କାମସରିଲେ ପିସି ବାବଦକୁ କଟାଯାଉଥିବା ନାନାବିଧ ବେନିୟମ କାର୍ଯ୍ଯର ତଦନ୍ତ କରିବାକୁ ନୂତନ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ମହିଳାମାନେ ଲିଖିତ ଅଭିଯୋଗ କରିଛନ୍ତି । ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ନୂଆ ଭାବେ କାର୍ଯ୍ୟରେ ଯୋଗ ଦେଇଥିବାରୁ ଏ ସମ୍ପର୍କରେ ସେ ଅବଗତ ନଥିବା ପ୍ରକାଶ କରି ଥିଲେ। ମୁକ୍ତା ଯୋଜନାର ସମସ୍ତ କାଗଜପତ୍ର ଯାଞ୍ଚ କରି ତଦନ୍ତ କରିବା ପରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)