ମାଲକାନଗିରି ଥାନା ଘେରାଉ କଲେ ଆଦିବାସୀ;୫ ଜଣଙ୍କୁ ପୋଲିସ ଉଠାଇ ଆଣିଲା ରାତିଅଧିଆ ।

0 235

ମାଲକାନଗିରି,୨୩/୧୦(ପିପିଟି): ମାଲକାନଗିରି ଜିଲ୍ଲା ମାଟାପକା ପଞ୍ଚାୟତ କତାମେଟାରୁ ଗାଁରୁ ୫ଜଣ ଆଦିବାସୀ ଲୋକଙ୍କୁ ଶନିବାର ରାତିରେ ମାଲକାନଗିରି ଥାନା ପୋଲିସ ଉଠାଇ ଆଣିବା ପ୍ରତିବାଦରେ ଆଜି ଶତାଧିକ ଗ୍ରାମବାସୀ ଦୀର୍ଘ ୬ଘଣ୍ଟା ଧରି ମାଲକାନଗିରି ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ୬ଘଣ୍ଟା ଧରି ଧାରଣା ଦେବା ପରେ ୩ଜଣଙ୍କୁ ପୋଲିସ ଛାଡି ଥିବା ବେଳେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି, ମାଟାପେକା ପଞ୍ଚାୟତ କତାମେଟାରୁ ଗ୍ରାମଠାରେ ପ୍ରସ୍ଥାବିତ ସିମେଣ୍ଟ କାରଖାନାକୁ ଉକ୍ତ ଗ୍ରାମର କିଛି ଲୋକ ବିରୋଧ କରିଥିଲେ । ସେମାନଙ୍କ ନାମରେ ପୂର୍ବରୁ ପୋଲିସର ୱାରେଣ୍ଟିଥିଲା । ବାରମ୍ବାର ଥାନା ପକ୍ଷରୁ ସେମାନଙ୍କୁ ଖବର ଦିଆଯାଇଥିଲେ ମଧ୍ୟ ହାଜର ନ ହେବାରୁ ବାଧ୍ୟ ହୋଇ ପୋଲିସ ସେମାନଙ୍କୁ ଗତକାଲି ଥାନାକୁ ଧରି ଆଣିଥିଲା । ପୋଲିସ କାହିଁକି ରାତିରେ ସେ ଲୋକମାନଙ୍କୁ ଉଠାଇ ନେଲା ପରିବାର ଲୋକେ କିଛି ବୁଝି ପାରିଲେ ନାହିଁ । ପୋଲିସ ମଧ୍ୟ ସେମାନଙ୍କ ପରିବାରଙ୍କୁ କିଛି ନ ଜଣାଇ କତାମେଟାରୁ ଗ୍ରାମରୁ ୫ଜଣ ଆଦିବାସୀ ଲୋକଙ୍କୁ ଧରିଆଣି ଥାନାରେ ଅଟକ ରଖିଥିଲା। ସେମାନଙ୍କୁ ଛାଡିବା ପାଇଁ ଆଜି କତାମେଟାରୁ ଗ୍ରାମର ମୁଖିଆ ସଞ୍ଜୟ ସୋଡି, କାଲିମେଳା ବ୍ଲକ ପୂର୍ବତନ ଚେୟାରମ୍ୟାନ ଆଦିବାସୀ ଯୁବନେତା ମାଲା ମାଡ଼ି, ରବୀନ୍ଦ୍ର ମାଡ଼ି, ଜିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ଘନଶ୍ୟାମ ମାଡକାମୀ, ଡ.କମରାଜ କବାସୀ, କୋୟା ସମାଜ ସଭାପତି ମୁକୁନ୍ଦ ପଡ଼ିଆମୀ ପ୍ରମୁଖ ଆଦିବାସୀ ନେତାଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷମାନେ ମାଲକାନଗିରି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ ।ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ଜଗଦୀଶ କର୍ତ୍ତାମି, ଥାନା ଆଇଆଇସି ରିଙ୍ଗନ କିଣ୍ଡୋ ବିକ୍ଷୋଭକାରୀଙ୍କୁ ଧାରଣା ପ୍ରତ୍ୟାହାର କରି ଘରକୁ ଫେରିଯିବା ପାଇଁ ବୁଝାଇ ଥିଲେ । ଥାନାରେ ଅଟକ ରଖିଥିବା ୫ଜଣଙ୍କୁ ନ ଛାଡ଼ିଲା ପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହାର ହେବ ନାହିଁ ବୋଲି କହି ଗ୍ରାମବାସୀ ମନା କରିଥିଲେ । ଫଳରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଭୋକ ଉପାସରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଥାନା ଫାଟକକୁ ବନ୍ଦ କରି ଦିଆଯାଇଥିଲା । ଆଜି ସନ୍ଧ୍ୟା ୬ଟା ପରେ ଅଟକ ଥିବା ୩ଜଣଙ୍କୁ ପୋଲିସ ଛାଡ଼ିବା ପାଇଁ ବାଧ୍ଯ ହୋଇଥିବା ବେଳେ ଅନ୍ୟ ୨ ଜଣ କସା ସୋଡି ଓ ପ୍ରଶାନ୍ତ ବେଟିଙ୍କ ନାମରେ ଜାମିନ ବିହିନ ୱାରେଣ୍ଟି ଥିବାରୁ ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ତିନି ଜଣ ଇର୍ମା ବେକ, ଶିବ ପ୍ରସାଦ ସୋଡି, ଗଙ୍ଗା ସୋଡିଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡିବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.