ମାଲକାନଗିରିର ସ୍ବାଭିମାନ ଅଞ୍ଚଳକୁ ଗସ୍ତ କରିଛନ୍ତି ନୂତନ ଡିଜିପି ସୁନୀଲ ବଂଶଲ ।

0 224

ମାଲକାନଗିରି,୧୧/୦୨(ପିପିଟି): ଆଜି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଦାୟିତ୍ବ ଗ୍ରହଣ କଲା ପରେ ମାଲକାନଗିରି ସ୍ବାଭିମାନ ଅଞ୍ଚଳକୁ ପ୍ରଥମ ଥର ଗସ୍ତ କରିଛନ୍ତି । ଦୀର୍ଘ ବର୍ଷ ପରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ସେ ନିଜେ ଅନୁଧ୍ୟାନ କରିବା ପାଇଁ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପରେ ଆଜି ହେଲିକପ୍ଟରରେ ଅବତରଣ କରିଛନ୍ତି । ଡିଜିପି ଆଜି ଦିନ ୧୧ ଘଟିକା ସମୟରେ ହନ୍ତାଳଗୁଡା ବିଏଏଫ କ୍ୟାମ୍ପରେ ପହଞ୍ଚିବା ପରେ ଆଖ ପାଖ କିଛି ଗ୍ରାମକୁ ଗସ୍ତ କରିଥଲେ । ସେଠାରେ ଗାଁ ଲୋକଙ୍କ ସହ ମଧ୍ୟ ଆଲୋଚନା କରିବା ସହ ବିଏସଏଫର ସିଭିକ୍ ଆକ୍ସନ୍ ପ୍ରୋଗ୍ରାମରେ ଯୋଗ ଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରକାର ଘରୋଇ ସରଞ୍ଜାମ ଓ ପୋଷାକ ବାଣ୍ଟିଥିଲେ । ଆଗକୁ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିବା ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ୨୦୧୭ ମସିହାରେ ଚିତ୍ରକୋଣ୍ଡା ବ୍ଲକରେ ମାଓବାଦୀଙ୍କ ଧମକ ଯୋଗୁଁ ସେଠାରେ ପଞ୍ଚାୟତ ନିର୍ବାଚନ ହୋଇପାରିନଥିଲା । ଏବେ ସୁରକ୍ଷା ବାହିନୀର ମାଓ ଦମନ ରଣନୀତି ଯୋଗୁଁ ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ଅପସରି ଯାଇଛନ୍ତି,ଫଳରେ ଚଳିତ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇପାରିବ । ବିଏସଏଫ, ଏସଓଜି,ଡିଭିଏଫ ବାହିନୀ ନକ୍ସଲ ଅପରେସନରେ ବହୁତ ଭଲ କାର୍ଯ୍ୟ କରୁଛନ୍ତି ସେ ପ୍ରକାଶ କରିଥିଲେ । ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା ହେତୁ ସ୍ବାଭିମାନ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟକ୍ରମ ଦ୍ରୁତଗତିରେ ଚାଲିଛି । ଏ ଅଞ୍ଚଳର ଲୋକେ ବେଶ ଉତ୍ସାହତ ରହିଛନ୍ତି । ପୋଲିସ ମହା ନିର୍ଦ୍ଦେଶକଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି,ଆଇ ଜି ଅପରେସନ,ଆଇଜି ଇଣ୍ଟେଲିଜେନସ ,ଆଇଜି ବିଏସଏଫଙ୍କ ସହ ମାଲକାନଗିରି ଏସପି ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.