ମାଲକାନଗିରି,୦୧/୧୨(ପିପିଟି): ମାଲକାନଗିରି ସଦର ମହକୁମାସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ.ସଂଧ୍ଯାରାଣୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ.ପ୍ରଫୁଲ୍ଲ କୁମାର ନନ୍ଦ, ଅତିରକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ.ଧନେଶ୍ୱର ମହାପାତ୍ର, ଅତିରକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ.ଶଶି ଭୂଷଣ ମହାପାତ୍ର, ଡଃ.ଦୁର୍ଗା ପ୍ରସାଦ ରାଜ, ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବାବୁଜୀ ଖରା ଯୋଗ ଦେଇ ଏଡସ୍ ରୋଗର ଭୟାବହ ଓ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ । ଶେଷରେ କୁଇଜ, ଚିତ୍ରାଙ୍କନ ପ୍ରତିଯୋଗୀତାରେ ଯୋଗ୍ୟ ବିବେଚିତ କୃତି ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି ଅବସରରେ ଛାତ୍ରୀମାନେ ମୁହଁରେ ଚିତ୍ର ଅଙ୍କନ କରି ଏଡସ ରୋଗର ଭୟାବହ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ମହାବିଦ୍ୟାଳୟର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଡସ ଯୌନ ସମ୍ପର୍କ ସହ ବିଭିନ୍ନ ଉପାୟରେ ବ୍ୟାପିଥାଏ ବୋଲି ମତବ୍ଯକ୍ତ କରାଯାଇଥିଲା । ତେଣୁ ଲୋକଙ୍କୁ ସଚେତନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ମହାବିଦ୍ଯାଳୟକୁ ଛାତ୍ରୀମାନେ ଗ୍ରାମାଞ୍ଚଳରୁ ଆସୁଥିବାରୁ ଏମାନେ ନିଜେ ସଚେତନ ହୋଇ ଗ୍ରାମର ଲୋକମାନଙ୍କୁ ଏଡସକୁ କିଭଳି ପ୍ରତିରୋଧ କରାଯାଇପାରିବ, ସେ ସମ୍ପର୍କରେ ସଚେତନ କରାଇବେ । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା ଶତକଡ଼ା ୦.୬ ପ୍ରତିଶତ ରହିଛି । ଜିଲ୍ଲାରେ ଗତ ୨୦୦୫ ମସିହାରୁ ୬୪ ହଜାର ୭୧୭ ଜଣଙ୍କୁ ପରୀକ୍ଷା କରାଯାଇଥିବା ବେଳେ ୩୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ କିଭଳି ଆମେ ଅଧିକ ହ୍ରାସ କରିପାରିବା, ସେଥିପାଇଁ ସଚେତନତାର କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ.ସଂଧ୍ୟାରାଣି ପଟ୍ଟନାୟକ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାମଗିରି)
Next Post