ଦିଗପହଣ୍ଡି,୨୭/୦୮(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଅନ୍ତର୍ଗତ ଭୁଷୁଣ୍ଡା , ନନ୍ଦଗାଁ , ଭୀମଦେବପୁର ଗ୍ରାମର ଚାଷୀମାନେ ଚଳିତ ବର୍ଷ ବର୍ଷା ଅଭାବରୁ ଚାଷଜମି ଫାଟିବା ସହ ମରୁଡ଼ି ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ଚାଷୀମାନେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଥିବା ଜଣାପଡିଛି । ଯାହାକୁ ନେଇ ଉକ୍ତ ଜମିକୁ ମରୁଡି ଘୋଷଣା ଓ ଏହାର ସ୍ଥାୟୀ ପ୍ରତିକାର ଦାବିରେ ଗୁରୁବାର ଅପରାହ୍ନରେ ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଖବରନୁଯାୟୀ , ଚଳିତବର୍ଷ ଓଡ଼ିଶାରେ ବର୍ଷାର ଆଗମନ ଖୁବଶିଘ୍ର ହୋଇଥିବା ବେଳେ ବର୍ଷାକୁ ଭରଷା କରି ଚାଷୀମାନେ ନିଜ ନିଜ ଜମିରେ ତଳି ବୁଣିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଯେତିକି ପରିମାଣରେ ବର୍ଷା ହେବା କଥା ତାହା ଅତି କମ୍ ପରିମାଣର ବର୍ଷା ହେବାଯୋଗୁଁ ଚାଷଜମିରେ ଜଳର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଦିଗପହଣ୍ଡି , ସାନଖେମୁଣ୍ଡି ଅଞ୍ଚଳର ବହୁ ଗ୍ରାମବାସୀ ଚାଷକାର୍ଯ୍ୟ ନିମନ୍ତେ ଜଳ ପାଇଁ ନିକଟସ୍ଥ ଘୋଡାହାଡ ଡ୍ୟାମ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଜୁଲାଇ ମାସରେ ଘୋଡାହାଡ ଡ୍ୟାମରୁ କେନାଲ ଯୋଗେ ପାଣି ଛଡାଯିବା ପରେ ଚାଷୀମାନେ ଜମିରେ ତଳି ରୁଆ କାମ କରିଥିଲେ । ତେବେ ବର୍ତ୍ତମାନ ଘୋଡାହାଡ ଉପର ମୁଣ୍ଡରେ ବର୍ଷାର ଅଭାବ ହେତୁ ଡ୍ୟାମରେ ମଧ୍ୟ ଜଳଧାରଣ କ୍ଷମତା କମ୍ ରହିଥିବା ବେଳେ ବହୁ ଚାଷଜମିରେ ଧାନତଳି ପୋଡ଼ି ଯିବା ସହ ଗଜା ମରୁଡି ଭଳି ପରିସ୍ଥିତି ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଆଜି ପଦ୍ମନାଭପୁୁର ପଞ୍ଚାୟତର ଉକ୍ତ ଗ୍ରାମରେ ରହିଥିବା ପ୍ରାୟ ୩ ହଜାର ଭରଣ ଚାଷ ଜମି ବର୍ଷା ଅଭାବରୁ ଧାନତଳି ପୋଡ଼ି ଯାଇଛି । ଯାହାଫଳରେ ଉକ୍ତ ତିନି ଖଣ୍ଡ ଗ୍ରାମର ଚାଷୀମାନେ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ନେତୃତ୍ବରେ ଦିଗପହଣ୍ଡି ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଶ୍ରୀ ସ୍ବାଇଁଙ୍କୁ ସମସ୍ୟା ଜଣାଇବା ସହ ଏହାର ପ୍ରତିକାର କରିବା ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ଚାଷୀ ଚରଣ ପ୍ରଧାନ , ଅରୁଣ ପ୍ରଧାନ , ୱାର୍ଡସଭ୍ୟ ହୀନ ପ୍ରଧାନ, ଗଙ୍ଗା ପ୍ରଧାନ , ରମେଶ ଗୌଡ଼ ,ସନ୍ତୋଷ ସେଠୀ , ସିମାଞ୍ଚଳ ଗୌଡ଼ ,ବାବୁ ସେଠୀ , ସୁରେନ୍ଦ୍ର ସେଠୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ ।
( ରିପୋର୍ଟ- ଆରତ କୁମାର ହୋତା। )