ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ: ସମୀକ୍ଷା କଲେ ବିଭାଗୀୟ ସଚିବ ।

0 236

ମାଲକାନଗିରି,୩୦/୧୧(ପିଟିଟି):କୃଷି ସହିତ ପ୍ରାଣୀ ପାଳନ ଅଙ୍ଗାଙ୍ଗୀ ଭାବେ ଜଡିତ। ପ୍ରାଣୀ ପାଳନ ଚାଷୀମାନଙ୍କର ଆୟ ବୃଦ୍ଧି ଓ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ସହାୟକ ହୋଇଥିବାରୁ ରାଜ୍ୟ ସରକାର ବିଭିନ୍ନ ରିହାତି ପ୍ରଦାନ ମାଧ୍ୟମରେ ପ୍ରାଣୀ ପାଳନକୁ ପ୍ରୋତ୍ସାହିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ସଚିବ ସୁରେଶ କୁମାର ବଶିଷ୍ଠ ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ବୈଠକରେ ସଚିବ ଶ୍ରୀ ବଶିଷ୍ଠ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶର ବିଭିନ୍ନ ଯୋଜନାର ସମୀକ୍ଷା କରି କହିଥିଲେ ଯେ, ରାଜ୍ୟରେ ଉନ୍ନତ ପ୍ରଜାତିର ପ୍ରାଣୀ ପାଳନ ନିମନ୍ତେ ଆକର୍ଷଣୀୟ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ଯେପରି ଠିକ୍ ସମୟରେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ସେଥି ନିମନ୍ତେ ସେ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ଜିଲ୍ଲା ପାଇଁ ଥିବା ଧାର୍ଯ୍ୟ ଲକ୍ଷ୍ୟକୁ ସମୟସୀମା ମଧ୍ୟରେ ପୂରଣ କରିବା ପାଇଁ ମଧ୍ୟ କ୍ଷେତ୍ର ଅଧିକାରୀମାନଙ୍କୁ ଏଠାରେ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମିଳିତ ଭାବେ ଡିଏଲ୍ସି ବୈଠକ ଆୟୋଜନ କରିବାକୁ ଶ୍ରୀ ବଶିଷ୍ଠ କହିଛନ୍ତି। ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ସମେତ ଏହି ବିଭାଗର କ୍ଷେତ୍ର ଅଧିକାରୀମାନେ ଉପସ୍ଥିତ ଥିଲେ।ସେହିପରି ଆଜି ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ମାଲକାନଗିରି ଜିଲ୍ଲାରେ ନିର୍ମାଣଧୀନ ବିମାନ ବନ୍ଦରର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ଭାରତୀୟ ଖାଦ୍ୟ ନିଗମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ,ଏ କେ କେ ମୀନା, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର କମିଶନର ତଥା ସଚିବ ସୁରେଶ କୁମାର ବଶିଷ୍ଠ ଏବଂ ମୁଖ୍ୟ ଯନ୍ତ୍ରୀ ରାସ୍ତା ତାରା ପ୍ରସାଦ ମିଶ୍ର ବିମାନବନ୍ଦର ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ବୁଲି ଦେଖିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଉପସ୍ଥିତ ଥିଲେ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.