ମାଲକାନଗିରି,୧୪/୧୨(ପିପିଟି): ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସେକ୍ଟର ହେଡ୍ କ୍ୱାଟର ମାଲକାନଗରିଠାରେ ତୃତୀୟ ପର୍ଯ୍ୟାୟ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ନେଇ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ବିଏସ୍ଏଫ୍ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମ ଅଧୀନରେ ମାଲକାନଗିିରି ଜିଲ୍ଲାର ଦୂରଦୂରାନ୍ତ ଅଞ୍ଚଳର ୧୦ ଜଣ ମହିଳା ଏବଂ ୧୦ ଜଣ ପୁରୁଷ ସର୍ବମୋଟ ୨୦ ଜଣ ଯୁବକଯୁବତୀ ଭ୍ରମଣ କରିବାର ସୁଯୋଗ ପାଇଛନ୍ତି । ଆସନ୍ତା ୧୬ ଡିସେମ୍ବର ୨୦୨୨ ରୁ ଦୁଇ ଜଣ ବିଏସ୍ଏଫ୍ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ଦଳ ମଧ୍ୟପ୍ରଦେଶର ଭୋପାଳ ସହର ଗସ୍ତ କରିବେ । ଏହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ସୀମା ସୁରକ୍ଷା ବଳ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ ସଂଗଠନର ମିଳିତ ସହଯୋଗରେ ଆୟୋଜିତ ହୋଇଛି ।
ଏହା ପୂର୍ବରୁ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଦୁଇଟି ପର୍ଯ୍ୟାୟରେ ଏହି ଅଞ୍ଚଳର ଆଦିବାସୀ ଯୁବକଯୁବତୀମାନେ ଭ୍ରମଣ କରିବାର ସୁଯୋଗ ପାଇଥିଲେ। ୧୬ ଅକ୍ଟୋବରରୁ ୨୨ ଅକ୍ଟୋବର ୨୦୨୨ ମଧ୍ୟରେ ୭୦ ଜଣ ଯୁବକଯୁବତୀ ଗୁଜୁରାଟର ଅହମ୍ମଦାବାଦ ସହର ଗସ୍ତ କରିଥିଲେ। ସେହିପରି ୨୦ ନଭେମ୍ବର ରୁ ୨୬ ଡିସେମ୍ବର ୨୦୨୨ ମଧ୍ୟରେ ୩୦ ଜଣ ଯୁବକଯୁବତୀ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ସହର ଗସ୍ତ କରିଛନ୍ତି ।
ଏହି ସମଗ୍ର ଯାତ୍ରା ସମୟରେ ଯୁବକଯୁବତୀମାନେ ମଧ୍ୟପ୍ରଦେଶର ଭୋପାଳ ସହରରେ ୧୬ ଡିସେମ୍ବର ରୁ ୨୨ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ରହିବେ ଏବଂ ରାଜ୍ୟ ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଏହି ଗସ୍ତ ସମୟରେ ସେମାନେ ମାନ୍ୟବର ରାଜ୍ୟପାଳ, ମନ୍ତ୍ରୀ ପରିଷଦର ସଦସ୍ୟ, ସଫଳ ବ୍ୟକ୍ତିତ୍ଵ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଦୂରଦର୍ଶନ ତାରକା ସମେତ ରାଜ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇବେ । ତତ୍ ସହିତ ବୃତ୍ତି ଚୟନ ଏବଂ ଶିଳ୍ପ କ୍ଷେତ୍ରରେ ପ୍ରଶିକ୍ଷଣ ନେଇ କାଉନସିଲିଂର ସୁଯୋଗ ପାଇବେ । ଦେଶର ସାମାଜିକ ଓ ସାଂସ୍କୃତିକ ନୈତିକତାକୁ ଭଲରେ ବୁଝିବା ପାଇଁ ସେମାନେ ପ୍ରମୁଖ ଶିଳ୍ପ,କର୍ପୋରେଟ ସଂସ୍ଥା,ଗୁରୁତ୍ଵପୂର୍ଣ୍ଣ ରାଷ୍ଟ୍ରୀୟ ପ୍ରତିଷ୍ଠାନ,ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନ ପରିଦର୍ଶନ କରିବେ । ଏହାଦ୍ବାରା ସେମାନଙ୍କର ଜ୍ଞାନର ସ୍ତର ବୃଦ୍ଧି ହେବା ସହ ଏକ ଉଜ୍ଜଳ ଭବିଷ୍ୟତ ଗଠନ ନିମନ୍ତେ ଏହା ଏକ ବିରାଟ ମଞ୍ଚ ପ୍ରଦାନ କରିବ । ଉଦଘାଟନୀ ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱନି, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ବିଏସ୍ଏଫ୍ ଦ୍ଵିତୀୟ ବାଟାଲିୟନ କମାଣ୍ଡାଣ୍ଟ ଅଜୟ କୁମାର ସିଂ, ବିଏସ୍ଏଫ୍ ଡେପୁଟି କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର ଏବଂ ମାଲକାନଗିରି ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଅଧିକାରୀ ହରିଶ ରୁପଲ୍ ଉପସ୍ଥିତ ଥିଲେ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)