ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି : ବାମପନ୍ଥୀ ଦଳର ତଥ୍ୟାନୁସନ୍ଧାନ କମିଟିଘଟଣା ପାଇଁ ସରକାରୀ ଦାୟିତ୍ବହୀନତା ମୁଖ୍ୟ କାରଣ ।

0 246

ଭୁବନେଶ୍ୱର,୦୪/୧୧(ପିପିଟି): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅଜଣ ଚିକିତ୍ସିତ ହେଉଛନ୍ତି । ଲିଭର ସଂକ୍ରମିତ ହୋଇଥବବାରୁ ଦୁଇଜଣ ମହିଳାଙ୍କୁ ଗତ ୨ ତାରିଖ ରାତିରେ କଟକ ବଡ଼ ଡ଼ାକ୍ତରଖାନାକୁ ଆବଶ୍ୟକୀୟ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଚାରିଜଣ ଏବେବି ବ୍ରହ୍ମପୁର ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତ ରବିବାର ୩ ତାରିଖରେ ତିନି ବାମପନ୍ଥୀ ଦଳ ସି.ପି.ଆଇ., ସି.ପି.ଆଇ (ଏମ୍.ଏଲ୍) ଲିବରେସନ, ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ରାଜ୍ୟ ନେତୃବୃନ୍ଦ ମାଣ୍ଡିପଙ୍କା ଗାଁକୁ ଯାଇ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହ ଘଟଣା ସଂକ୍ରାନ୍ତରେ ସବିଶେଷ ତଥ୍ୟ ଅନୁସନ୍ଧାନ କରିଛନ୍ତି । ସରକାରୀ କଳର ଚରମ ଅବହେଳା ଯୋଗୁଁ ବି.ପି.ଏଲ୍ ଚାଉଳ ପ୍ରଦାନରେ ଅନାବଶ୍ୟକ ବିଳମ୍ବ କାରଣରୁ ଏଭଳି ଦୁଃଖଦାୟକ ଘଟଣା ଘଟିଲା । ପ୍ରତିବର୍ଷ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ୪ ମାସ ଆଦିବାସୀ ଲୋକମାନେ ଖାଦ୍ୟାଭାବର ସମ୍ମୁଖୀନ ହୁଅନ୍ତି । ଏହି ସମୟରେ ସେମାନଙ୍କ ପାଖରେ ଚାଉଳ, ମକା ଭଳି ଖାଦ୍ୟ ପଦାର୍ଥ କି ଘରପାଖରେ କାମ ନଥାଏ । ତେଣୁ ସେମାନେ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଇବାକୁ ବାଧ୍ୟ ହୁଅନ୍ତି । ଯାହା ଚଳିତ ବର୍ଷ ମଧ୍ୟ ଘଟିଛି । ପୂର୍ବରୁ ସେମାନଙ୍କୁ ପ୍ରତି ମାସରେ ଚାଉଳ ନମିଳି, ତିନି ମାସରେ ଥରେ ପଞ୍ଚାୟତ ଅଫିସ୍‌ରେ ମିଳେ । ଚଳିତ ଥର ଦୁଇଜଣ ମୃତ୍ୟୁବରଣ କରିବା ଓ ଛଅଜଣ ଆକ୍ରାନ୍ତ ହେବା ପରେ ନଭେମ୍ବର ୨ ତାରିଖରେ ୪ ମାସ ପରେ ଚାଉଳ ମିଳିଛି । ସୁଭଦ୍ରା ଯୋଜନା ଟଙ୍କା ପାଇଁ ମୃତ ମହିଳାମାନେ ଆବେଦନ କରିଥିଲେ ମଧ୍ୟ ସେମାନେ ଏ ପର୍ଯ୍ୟନ୍ତ ଉକ୍ତ ଟଙ୍କା ପାଇ ନାହାଁନ୍ତି । ସେଠାରେ ନେଟୱାର୍କ ସମସ୍ୟା ଲାଗି ରହୁଥବାରୁ କେୱାଇସି ଅପଡେଟ ଭଳି କାର୍ଯ୍ୟ ମଧ୍ୟ କରାଯାଇ ପାରୁନାହିଁ | ଅନ୍ୟପଟରେ ସେମାନେ ବାହାର ଦୁନିଆ ଠାରୁ ବିଛିନ୍ନ ହୋଇ ରହୁଛନ୍ତି । ଘଟଣା ଘଟିବା ପରେ ବି.ଡ଼ିଓ. ପ୍ରଥମ କରି ଗତ ୨ ତାରିଖରେ ସେହି ଗାଁକୁ ଯାଇଥିଲେ । ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ବା ଅଧିକାରୀ ଏ ପର୍ଯ୍ୟନ୍ତ ସେହି ଗାଁକୁ ଯାଇ ନାହାନ୍ତି । ବ୍ରାହ୍ମଣୀ ଗାଁ ଡ଼ାକ୍ତରଖାନା ଉନ୍ନ‌ତ ହୋଇଥିଲେ ଅକାଳରେ ଦୁଇଜଣଙ୍କ ଜୀବନ ଯାଇ ନଥାନ୍ତା ବୋଲି ତଥ୍ୟ ଅନୁସନ୍ଧାନକାରୀ ଦଳର ହୃଦ୍‌ବୋଧ ହୋଇଛି । ଆମର ଦାବୀ ହେଲା : ବି.ପି.ଏଲ୍ ଚାଉଳ ପ୍ରତିମାସରେ ସେମାନଙ୍କ ଗାଁରେ ଦିଆଗଲେ ସେମାନେ ବି.ପି.ଏଲ୍ ଚାଉଳ ଆଣିବା ପାଇଁ ଯାଉଥୁବା ୯ କି.ମି. ଦୂର ପଞ୍ଚାୟତ ଅଫିସକୁ ଆସି ଗୋଟିଏ ଦିନ ନଷ୍ଟ ହେବା ବା ଅର୍ଥ ଖର୍ଚ୍ଚରୁ ସେମାନେ ମୁକ୍ତି ପାଇବେ । ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ୪ ମାସ ଜଣ ପିଛା ୫ କେଳି ବଦଳରେ ଅନ୍ତତଃ ପକ୍ଷେ ୨୦ କେ.ଜି. ଚାଉଳ ସେମାନଙ୍କୁ ପ୍ରଦାନ କରାଯାଇ ପାରିଲେ ସେମାନେ ଭୋକ ବିକଳରେ ଆମ୍ବ ଟାକୁଆ ଜାଉ କରି ଖାଇବେ ନାହିଁ । ବ୍ରାହ୍ମଣୀ ଗାଁ ଡାକ୍ତରଖାନାକୁ ଅପଗ୍ରେଡ଼ କରାଯାଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୂପାନ୍ତରିତ କରାଗଲେ ଚିକିତ୍ସା ଅଭାବରୁ କେହି ମୃତ୍ୟୁବରଣ କରନ୍ତେ ନାହିଁ । ପର୍ଯ୍ୟାପ୍ତ ମୋବାଇଲ ଟାୱାର ସ୍ଥାପନ କରାଯାଇ ସେହି ଅଞ୍ଚଳରେ ନେଟ୍‌ୱାର୍କର ତୁରନ୍ତ ବ୍ୟବସ୍ଥା କରିବା ସହ ଗାଁ ପାଖରେ ଉନ୍ନୟନ ମୂଳକ କାମ ଯୋଗାଇ ଲୋକଙ୍କ ହାତକୁ ଟଙ୍କା ଯିବାର ବ୍ୟବସ୍ଥା କରିବା, ମୃତକ ଓ ଆହତଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାପାଇଁ ଏହି ତଥ୍ୟ ଅନୁସନ୍ଧାନକାରୀ ବଳ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବୀ କରିଛନ୍ତି । ରାଜ୍ୟ ସରକାର, ଯୋଗାଣ ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିଜର ଦୋଷ ଦୁର୍ବଳତାକୁ ଲାଚାଇ ଆଦିବାସୀଙ୍କ ଖାଦ୍ୟ ଅଭ୍ୟାସକୁ ଦୋଷ ଦେଇ ଗରୀବ ଆଦିବାସୀଙ୍କୁ ଉପହାସ କରିବା ବନ୍ଦ କରିବା ପାଇଁ ଆଜି ନେତାଜୀ ଭବନ ଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସି.ପି.ଆଇ.ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଏନ୍, ନାରାୟଣ ରେଡ୍ଡୀ, ସି.ପି.ଆଇ (ଏମ୍.ଏଲ୍) ଲିବରେସନର ରାଜ୍ୟ ସମ୍ପାଦକ ଯୁଧୁଷ୍ଠିର ମହାପାତ୍ର, ରାଧାକାନ୍ତ ସେଠି, ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର, ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଜାତୀୟ ନେତା ତ୍ରିପତି ଗମାଙ୍ଗ, ଷ୍ଟୁଡେଣ୍ଟସ୍ ବ୍ଲକର ରାଜ୍ୟ ସମ୍ପାଦିକା ଦିଶା ଆଜାଦ୍ ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.